ଭିତ୍ତିଭୂମି ନ ସଜାଡ଼ିବା ମହଙ୍ଗା ପଡ଼ିଲା : ୪ଟି ଯୁକ୍ତ ୨ କଲେଜରେ ତାଲା, ୨୩ଟି କଲେଜ ନାମଲେଖା ଉପରେ କଟକଣା ଜାରି, ୫୬କୁ ସର୍ତ୍ତମୂଳକ ଅନୁମତି

ଭୁବନେଶ୍ୱର : ଗୋଟିଏ ବର୍ଷ ବ୍ୟବଧାନରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଲେଜ) ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯୁକ୍ତ ୨ କଲେଜଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ଅଧୀନରୁ ଗଣଶିକ୍ଷା ବିଭାଗ ଅଧୀନକୁ ଆସିବା ପରେ ପ୍ରଥମଥର କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ୮୨ଟି କଲେଜକୁ ବନ୍ଦ କରାଯାଇଥିଲା। ଏବେ ପୁଣି ୨୦୧୮-୧୯ ଶିକ୍ଷାବର୍ଷରେ ୨୭ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୪ଟି ଯୁକ୍ତ ୨ କଲେଜ ବନ୍ଦ ହୋଇଛି। ଆଉ ୨୩ଟି କଲେଜରେ ନାମଲେଖା ଉପରେ କଟକଣା ଲାଗୁ ହୋଇଛି। ଛାତ୍ରଛାତ୍ରୀ କୌଣସି ବି ପରିସ୍ଥିତିରେ ସମ୍ପୃକ୍ତ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ କୁହାଯାଇଛି। ଏଥିସହ ଯୁକ୍ତ୨ ନାମଲେଖା ପ୍ରକ୍ରିୟାରୁ ଉକ୍ତ ୨୭ଟି କଲେଜକୁ ବାଦ୍‌ ଦିଆଯାଇଛି।

୨୦୧୮-୧୯ ଶିକ୍ଷାବର୍ଷରେ ୧୫୦୦ରୁ ଅଧିକ ଯୁକ୍ତ ୨ କଲେଜରେ ନାମଲେଖା ହେଉଛି। ସେଥିରୁ ୪୩୫ଟି ସେଲ୍ଫ ଫାଇନାନ୍ସିଂ କଲେଜ। ଗତ ଜୁନ୍‌ ୧ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ସେହି ଦିନ ୨୭ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା, ପିଲା ହେଉ ନ ଥିବା, ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ଯୋଗାଉ ନ ଥିବା କଲେଜଗୁଡ଼ିକ ଏହି ତାଲିକାରେ ରହିଛନ୍ତି। ଯେଉଁ ୨୭ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ସେଥିରେ ୪ଟି ଅଣଅନୁଦାନପ୍ରାପ୍ତ କଲେଜ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ, ବରଗଡ଼ ଜିଲ୍ଲାରେ ଥିବା ସେଲ୍ଫ ଫାଇନାନ୍ସିଂ କଲେଜ ‘ରୋଟାରି କଲେଜ, ଗଞ୍ଜାମ ଜିଲ୍ଲାର ଓମ୍‌ ହେରମ୍ବାଳୟା ଆବାସିକ କଲେଜ, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାସ୍ଥିତ ଶ୍ରୀ ଭାଲି କଲେଜ ଓ ଦେବଗଡ଼ ଜିଲ୍ଲାର ଅଣଅନୁଦାନପ୍ରାପ୍ତ କଲେଜ ‘ଦେବଗଡ଼ ମହିଳା କଲେଜ’କୁ ୨୦୧୮-୧୯ ଶିକ୍ଷାବର୍ଷରେ ବନ୍ଦ କରାଯାଇଛି।

ଯେଉଁ ୨୩ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି, ସେଥିରେ ଅନୁଗୁଳ ଜିଲ୍ଲାର ବିଦ୍ୟାଭାରତୀ ଆବାସିକ କଲେଜ, ବାଲେଶ୍ୱର ଜିଲ୍ଲାର ଆରଜେଏସ୍‌ଏମ୍‌ଏସ୍‌, ଶାସ୍ତ୍ରୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ସତ୍ୟସାଇ ସାଇନ୍ସ କଲେଜ, ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ବଲାଙ୍ଗୀର ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟାଜ୍ଞାନ ମନ୍ଦିର, କଟକ ଜିଲ୍ଲାର ନିଶ୍ଚନ୍ତକୋଇଲିସ୍ଥିତ ଶକ୍ତି କଲେଜ, ଦେବଗଡ଼ ଜିଲ୍ଲାର ଅଣଅନୁଦାନପ୍ରାପ୍ତ କଲେଜ ‘ରେଙ୍ଗାଲବେଡା ଆଞ୍ଚଳିକ ପଞ୍ଚାୟତ କଲେଜ’, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ କ୍ରିଷ୍ଣା ଇଣ୍ଟରନ୍ୟାସନାଲ କଲେଜ ଅଫ୍‌ ସାଇନ୍ସ ଓ କମର୍ସ, ଆମ୍ବେଦକର କଲେଜ, ପ୍ରତିଭା ଆବାସିକ କଲେଜ, କଳାହାଣ୍ଡି ଜିଲ୍ଲାର କେବିକେ ଟାଇନ୍ସ ଏକାଡେମି କଲେଜ ରହିଛି।

ସେହିପରି କେନ୍ଦ୍ରାପଡ଼ାର ରମାଦେବୀ କଲେଜ, ଖୋର୍ଧାର ସୁବାସ ସାଇନ୍ସ କଲେଜ, ନାନୋ ସାଇନ୍ସ କଲେଜ, ପୁରୀ ଜିଲ୍ଲାର ସାରଳା ବିଜ୍ଞାନ ଆବାସିକ କଲେଜ, ମଙ୍ଗଳା ଆବାସିକ କଲେଜ, ରାୟଗଡ଼ା ଜିଲ୍ଲାର ସ୍ୱାମୀ ବିବେକାନନ୍ଦ ଆବାସିକ କଲେଜ, ସମ୍ବଲପୁର ଜିଲ୍ଲାର ଚାରମାଳ କଲେଜ, ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟଗ୍ରାଲ ଏଜୁକେସନ ଓ ରିସର୍ଚ୍ଚ, ସୋନପୁର ଜିଲ୍ଲାର ଅଣଅନୁଦାନପ୍ରାପ୍ତ ‘କଳିଙ୍ଗ କଲେଜ’, ‘ମା’ ମେଟକାଣି ମହିଳା କଲେଜ’ ଓ ସୁନ୍ଦରଗଡ଼ ଜିଲ୍ଲାର ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ‘ସାବିତ୍ରୀ ଗୋପାଳ ପଞ୍ଚାୟତ କଲେଜ’ ରହିଛନ୍ତି।

ଅନ୍ୟପକ୍ଷରେ ୨୦୧୮-୧୯ରେ ୫୬ଟି ଯୁକ୍ତ୨ କଲେଜକୁ ସର୍ତମୂଳକ ନାମଲେଖା ପାଇଁ ଅନୁମତି ମିଳିଛି। ୧୨ଟି କଲେଜ ସେମାନଙ୍କ ଭିତ୍ତିଭୂମି ବିକାଶ କରିବା ପାଇଁ ଅନୁମତି ମାଗିଛନ୍ତି। ୫ଟି କଲେଜ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କ୍ୟାମ୍ପସ ସ୍ଥାନାନ୍ତର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିକଟରେ ଅନୁରୋଧ କରିଥିଲେ। ସେଥିମଧ୍ୟରୁ ୨ଟିକୁ ଅନୁମତି ଦିଆଯାଇଥିବା ବେଳେ ବାକି ୩ଟି ଅନୁମତି ମିଳି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର