ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅନ୍ତର୍ଗତ ଜାମକୁଣ୍ଡା ଫାଣ୍ଡି ପୁଲିସର ଦବଙ୍ଗଗିରିକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ଜଣେ କନଷ୍ଟେବଲ୍ ୫ ଜଣ କଲେଜ ଛାତ୍ରଙ୍କୁ ମାଡ଼ମାରି ରାସ୍ତାରେ ଉଠ୍ବସ୍ କରାଇଛନ୍ତି। ଛାତ୍ରମାନେ ‘ମାମୁ’ କହିବାରୁ ସେ ରାଗିପାଚି ଏମିତି କାଣ୍ଡ କରିଛନ୍ତି। ଘଟଣାଟି ୫ ଦିନ ତଳେ ଘଟିଥିଲା। ହେଲେ ଏହାର ଭିଡିଓ ଭାଇରାଲ୍ ହେବା ପରେ ଆଜି ଖୋଳତାଡ଼ ଆରମ୍ଭ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ; ଘଟଣା ଦିନ ଲଙ୍ଗଳେଶ୍ୱରର ଦୁର୍ଗାପ୍ରସନ୍ନ ଜୁନିୟର କଲେଜ ଓ ଜାମଶୁଳୀ କଲେଜରେ ପଢ଼ୁଥିବା ମୋଟ ୫ଜଣ ଛାତ୍ର ପଢ଼ା ସାରି ସାଇକଲରେ ଘରକୁ ଫେରୁଥିଲେ। ଏତିକିବେଳେ ଜଗତୀପୁର-ପଞ୍ଚୁପାଲି ରାସ୍ତାରେ ବାଲିଆପାଳ ଥାନାର ଜାମକୁଣ୍ଡା ଫାଣ୍ଡିି କନେଷ୍ଟବଲ୍ ଦୀପକ ପ୍ରଧାନ ବାଇକ ଯୋଗେ ଦ୍ରୁତଗତିରେ ଆସୁଥିଲେ। ତାଙ୍କୁ ଦେଖି ଜଣେ ଛାତ୍ର ‘ମାମୁ ଆସୁଛନ୍ତି, ସାଇଡ୍ ଦିଅ’ ବୋଲି କହିଥିଲେ। ପୁଲିସ ବାବୁଙ୍କ କାନରେ ଏ କଥା ପଡ଼ିଯାଇଥିଲା। ସେ ରାଗ ତମତମ ହୋଇ ମେଣ୍ଡାପଡ଼ା ନିକଟରେ ବାଇକ ଅଟକାଇ ପିଲାମାନଙ୍କ ପାଖକୁ ଆସିଥିଲେ। କିଏ ‘ମାମୁ’ କହିଲା ବୋଲି ପଚାରିଥିଲେ। କେହି ଜବାବ ନଦେବାରୁ ସେ ଜଣେ ଛାତ୍ରଙ୍କୁ ଭିଡ଼ିନେଇ ରାସ୍ତା ଉପରେ ଗଡ଼େଇ ତଡ଼େଇ ନିସ୍ତୁକ ମାଡ଼ ମାରିଥିଲେ। ସେତିକିରେ ତାଙ୍କ ରାଗ ଶାନ୍ତହୋଇ ନଥିଲା। ଅନ୍ୟ ସମସ୍ତ ଛାତ୍ରଙ୍କୁ କାନଧରି ୧୦୦ ଥର ବସ୍ଉଠ୍ କରାଇଥିଲେ। ଏ ଘଟଣା ବିଷୟରେ ପିଲାମାନେ ଘରେ କହିଥିଲେ। ହେଲେ ପୁଲିସ ବିରୋଧରେ ଯାଇ କ’ଣ ଲାଭହେବ ଭାବି ଅଭିଭାବକମାନେ ଭୟରେ କାହାକୁ କିଛି ନ କହିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ତେବେ ଘଟଣା ବେଳେ ପୁଲିସ ବାବୁଙ୍କ ଦବଙ୍ଗଗିରିର ଦୃଶ୍ୟ ଜଣେ ଯୁବକ ନିଜ ମୋବାଇଲ୍ କ୍ୟାମେରାରେ ସୁଟ୍ କରି ଦେଇଥିଲେ। ଏହି ଭିଡିଓ କ୍ରମେ ଭାଇରାଲ୍ ହେବା ପରେ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଛାତ୍ରମାନଙ୍କୁ ଭେଟି ଘଟଣା ସଂପର୍କରେ ପଚାରିବାରୁ ସବୁ କଥା ସାମ୍ନାକୁ ଆସିଛି।
ଏନେଇ ସଂପୃକ୍ତ କନେଷ୍ଟବଳ ଶ୍ରୀ ପ୍ରଧାନଙ୍କୁ ପଚରାଯିବାରୁ ସେ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଛାତ୍ରମାନେ ‘ମାମୁ’ କହିବାରୁ ତାଙ୍କୁ ଏହା ଆଘାତ ଦେଇଥିଲା ଓ ସେ ସେମାନଙ୍କୁ ତାଗିଦ କରିବା ପାଇଁ ସାମାନ୍ୟ ଗାଳିଦେଇଥିଲେ। ହେଲେ ଛାତ୍ରମାନେ କିଛି ନଶୁଣି ଓଲଟା ତାଙ୍କ ଉପରେ ଅଶ୍ଳୀଳ ଗାଳି ପ୍ରୟୋଗ କରିଥିଲେ ବୋଲି କହିଛନ୍ତି। ମାଡ଼ ମାରିବା ଓ ବସ୍ଉଠ୍ କରାଇବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି। ଏନେଇ ବାଲିଆପାଳ ଥାନା ଆଇଆଇସି କ୍ଷମାସାଗର ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।