ପୁଅର ମୃତ୍ୟୁ ହେଲା ବୋଲି ବାଲିଝରରେ ବାପା, ନଗଡ଼ାରେ ମା’ ମୃତ

ନରସିଂହପୁର/କାଳିଆପାଣି : ଆଜି ଯାଜପୁରର ନଗଡ଼ା ଓ କଟକ କାନପୁରରେ ଦୁଇଟି ହୃଦୟ ବିଦାରକ ଘଟଣା ଘଟିଛି। ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ନଗଡ଼ାରେ ମା’ ଓ କାନପୁରରେ ବାପା ପ୍ରାଣ ହରାଇଛନ୍ତି।

ନଗଡ଼ା ପଡ଼ୋଶୀ ଗୁହିଆଶାଳ ମୌଜାରେ ବନ୍ଦୁ ପ୍ରଧାନଙ୍କ ପୁଅ ବଣୁ(୨୭) ହାଣ୍ଡିଆ ଖାଇ ନିଶାଗ୍ରସ୍ତ ଅବସ୍ଥାରେ ଗାଁ ପୋଖରୀକୁ ଗାଧୋଇ ଯାଇଥିଲେ। ସେଇଠି ସାମାନ୍ୟ ଅସାବଧାନତାରୁ ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ଉକ୍ତ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଭେଣ୍ଡିଆ ପୁଅର ମୃତ୍ୟୁ ଖବର ଶୁଣି ତାଙ୍କ ମାଆ ସୁଆଗି ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବାଲିଝରି ଗ୍ରାମରେ ଠିକ୍‌ ସମାନ ଘଟଣା ଘଟିଛି। ଦୁଆରି ବେହେରା(୯୦ଙ୍କ ପୁଅ ପ୍ରଶାନ୍ତ କୁମାର ବେହେରା(୪୭) ୨୦୦୦ ମସିହାରୁ ଜଗତସିଂହପୁର ଜିଲ୍ଲାର ପାରାଦୀପ୍‌ ଲକ୍‌ ଥାନାରେ ପୁଲିସ୍‌ କନେଷ୍ଟବଳ ଭା‌େବ କାର୍ଯ୍ୟ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ପାରାଦୀପ ପୁଲିସ କାନପୁର ଥାନା ସହଯୋଗରେ ପ୍ରଶାନ୍ତଙ୍କ ପରିବାରକୁ ମୃତ୍ୟୁ ଖବର ଦେଇଥିଲା। ଏହି ସମୟରେ ଘରେ ଗାଧୋଉଥିବା ବାପା ଦୁଆରି ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଟଳି ପଡ଼ିଥିଲେ। ଏହି ଦୁଃଖଦ ଘଟଣା ବାଲିଝରି ଅଞ୍ଚଳରେ ପ୍ରଚାରିତ ହେବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର