ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ କ୍ରାଇମ୍‌ ବ୍ରାଞ୍ଚ୍‌ର ସ୍ୱତନ୍ତ୍ର ଟିମ୍‌

କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ରୋକିବା ପାଇଁ କ୍ରାଇମ୍‌ ବ୍ରାଞ୍ଚ୍‌ ସାଇବର ସେଲ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି। ସାଇବର ସେଲ୍‌ର ଜଣେ ଡିଏସ୍‌ପି ଓ ଜଣେ ଇନିସ୍‌ପେକ୍ଟରଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଘଟଣାର ତଦନ୍ତ କରିବା ସହିତ ପରୀକ୍ଷା ପରିଚାଳନା ଓ ଭିଡିଓ ଭାଇରାଲ୍‌ ଘଟଣାର ବିଭିନ୍ନ ଦିଗ ଉପରେ କଡ଼ା ନଜର ରଖିଛନ୍ତି। ଯେଉଁମାନେ ଏପରି ପ୍ରଶ୍ନପତ୍ର ଭାଇରାଲ୍‌ କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରହିବାକୁ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମ୍‌ ବ୍ରାଞ୍ଚ୍‌ ଅଧୀକ୍ଷକ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୬ତାରିଖ ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ସଂକ୍ରାନ୍ତରେ ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗ୍‌ମ୍‌ କ୍ରାଇମ୍‌ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଏହା ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରାଯାଇ ଏଦିଗରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରୁଛନ୍ତି।

ଇତିମଧ୍ୟରେ ମାଟ୍ରିକ୍‌ ପରୀକ୍ଷାର ଶନିବାର ଅନୁଷ୍ଠିତ ଗଣିତ ପରୀକ୍ଷାରେ ଅସଦ୍‌ଉପାୟ ଅବଲମ୍ବନ କରୁଥିବା ଅଭିଯୋଗରେ ୨୫୧ଜଣ ପରୀକ୍ଷାର୍ଥୀ ବୋର୍ଡ ସ୍କ୍ଵାଡ ହାତରେ ଧରାପଡ଼ି ଏମ୍‌ପି ହୋଇଛନ୍ତି। ସେହିପରି ଆଜି ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଓ ସୋସିଆଲ୍‌ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ବୋର୍ଡ କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି। ବୋର୍ଡ ସଂପାଦକ ରମାଶିଷ ହାଜରା କହିଛନ୍ତି, ଗଣିତ ପରୀକ୍ଷା ସରିବା ପରେ କୌଣସି ବ୍ୟକ୍ତି ପ୍ରଶ୍ନପତ୍ରର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଛନ୍ତି। ଆଜି ସଂପୃକ୍ତ ବିଦ୍ୟାଳୟରେ ତହସିଲ୍‌ଦାର, ସଂପୃକ୍ତ ଥାନା ଅଧିକାରୀଙ୍କ ସମେତ ବୋର୍ଡ ସ୍କ୍ଵାଡ୍‌ ବିଭିନ୍ନ ସମୟରେ ପରିଦର୍ଶନ କରିଥିବାରୁ ପ୍ରଶ୍ନପତ୍ର ଲିକ୍‌ ହେବାର ପ୍ରଶ୍ନ ଉଠୁନାହିଁ। ପରୀକ୍ଷା ସମୟରେ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍‌ଙ୍କ ବ୍ୟତୀତ ଅନ୍ୟ କାହାରିକୁ ମୋବାଇଲ୍‌ ରଖିବା ବାରଣ କରାଯାଇଥିବାରୁ ପ୍ରଶ୍ନପତ୍ର ଲିକ୍‌ ସଂପୂର୍ଣ୍ଣ ମିଛ ଓ ମନଗଡ଼ା ବୋଲି ସଂପାଦକ ଶ୍ରୀ ହାଜରା କହିଛନ୍ତି। ତେଣୁ ଏଥିରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ବିଚଳିତ ବା ପ୍ରଭାବିତ ନ ହୋଇ ପରୀକ୍ଷା ପରୀକ୍ଷା ପରିଚାଳନାରେ ସହଯୋଗ କରିବାକୁ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ଓ ସଂପାଦକ ରମାଶିଷ ହାଜରା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର