ପୁଲିସ ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ମାଙ୍ଗା ଆହତ

ପିସ୍ତଲ, ଗୁଳି ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଆଜି ପୁଣି ପୁଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ପୁଲିସର ଅପରେସନ୍‌ ‘କ୍ରିମିନାଲ କ୍ଲିନ୍‌’ ଅଭିଯାନରେ ୩୮ନମ୍ବର ଏନ୍‌କାଉଣ୍ଟର୍‌ର ଶିକାର ହୋଇଛି ଦୁର୍ଦ୍ଦାନ୍ତ ମାଙ୍ଗା ଓରଫ୍‌ ରାଜେଶ ପଣ୍ଡା। ମାଙ୍ଗାର ବାମ ଗୋଡ଼ ଆଣ୍ଠୁ ନିକଟରେ ଗୁଳି ବାଜିଛି। ମାଙ୍ଗାକୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ପୁଲିସ ଏକ ପିସ୍ତଲ, ଦୁଇଟି ଗୁଳି ଜବତ କରିଛି ବୋଲି ଟାଉନ୍‌ ଏସ୍‌ଡିପିଓ ପ୍ରଭାତ ଚନ୍ଦ୍ର ରାଉତରାୟ ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୋସାଇଁନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ସ୍ପେସାଲ୍‌ ଟିମ୍‌ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲା। ରାତି ପ୍ରାୟ ୧୦ଟା ୧୦ମିନିଟରେ ମାଙ୍ଗା ବାଇକ୍‌ରେ ଆସୁଥିଲା। ଲାଞ୍ଜିପଲ୍ଲୀ ବାଇପାସ୍‌ ବରଫ ଫ୍ୟାକ୍ଟି୍ର ନିକଟରେ ପୁଲିସକୁ ଦେଖିବା କ୍ଷଣି ମାଙ୍ଗା ଦ୍ରୁତ ଗତିରେ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲା। ଏଥିରେ ପୁଲିସ ତାର ପିଛା କରିଥିଲା। ପୁଲିସ ପିଛା କରୁଥିବା ଦେଖି ମାଙ୍ଗା ଗୁଳି ଫୁଟାଇଥିଲା। ଜୀବନ ବଞ୍ଚାଇବାକୁ ଯାଇ ପୁଲିସ ପାଲଟା ଫାୟାରିଂ କରିଥିଲା। ଏଥିରେ ମାଙ୍ଗା ଆହତ ହୋଇଥିଲା। ମାଙ୍ଗା ତଳେ ପଡ଼ିଯିବା ପରେ ପୁଲିସ ତାକୁ ମାଡ଼ି ବସିଥିଲା।

ପୁଲିସ ଘଟଣାସ୍ଥଳରୁ ଏକ ବାଇକ୍‌ ମଧ୍ୟ ଜବତ କରିଛି। ମାଙ୍ଗା ନାଁରେ ବିଭିନ୍ନ ଥାନାରେ ଚୋରି, ଡକାୟତି, ଲୁଟ୍‌, ରାହାଜାନି ଭଳି ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ ଜିଆର୍‌ପି ଥାନାରେ ମଧ୍ୟ ପ୍ରାୟ ୧୦ଟି ମାମଲା ରହିଛି। ଗତ ଜାନୁଆରି ମାସରେ ଗୋସାଇଁନୂଆଗାଁ ଥାନା ଇଲାକାରେ ହୋଇଥିବା ଏକ ଡକାୟତି ଯୋଜନା ମାମଲାରେ ମାଙ୍ଗା ଫେରାର୍‌ ରହିଥିଲା। ପୁଲିସ ମାଙ୍ଗାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ଆଜି ଶେଷରେ ପୁଲିସ ମାଙ୍ଗାକୁ ଧରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର