ଗଞ୍ଜାମ ପୁଲିସର ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ କୋକୋ ଆହତ, ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି

ଛତ୍ରପୁର : ଗଞ୍ଜାମ ପୁଲିସର ଅପରେସନ୍ କ୍ରିମିନାଲ୍ କ୍ଲିନ ଅଭିଯାନର ୫୭ତମ ଏନ୍‌କାଉଣ୍ଟର୍‌ରେ ପଡ଼ିଛି ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ (୨୫)। ବ୍ରହ୍ମପୁର ଗୋସାଇଁ ନୂଆଗାଁ ରାଜୀବ ନଗରର ମୂଳ ବାସିନ୍ଦା ସୁଶାନ୍ତ ଆଜି ଛତ୍ରପୁର-ଗଞ୍ଜାମ ରାସ୍ତା ନିକଟ ଜୟଶ୍ରୀ କେମିକାଲ ଛକ ନିକଟରେ ଗଞ୍ଜାମ ଥାନା ପୁଲିସ୍‌ ଏ‌ନ୍‌କାଉଣ୍ଟର୍‌ରେ ଆହତ ହୋଇଛି। ତାର ବାମ ଆଣ୍ଠୁରେ ଗୁଳି ଲାଗିଛି। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହାସହ ତାଠାରୁ ଏକ ନାଲି ରଙ୍ଗର ଏକ ୟାମାହା ବାଇକ୍, ଗୋଟିଏ ପିସ୍ତଲ, ଦୁଇଟି ଗୁଳି ଓ ଦୁଇଟି ମୋବାଇଲ ଜବତ ହୋଇଛି।

ସୁଶାନ୍ତ ନାମରେ ବ୍ରହ୍ମପୁର, ଗୋପାଳପୁର, ଗୋଳନ୍ଥରା, ଗଞ୍ଜାମ, ଖଲ୍ଲିକୋଟ ଥାନାରେ ୭ ଟି ଡକାୟତି ଓ ହତ୍ୟା ଭଳି ସଙ୍ଗିନ ମାମଲା ରହିଛି। ସେ ଦୀର୍ଘ ଦିନ ଧରି ପୁଲିସକୁ ଚକ୍‌ମା ଦେଇ ଫେରାର ଥିଲା। ଆଉ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ତାର ପଲଟଣ ସହ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା। ଏପରିକି ଗଲା ମାସ ୨୨ ତାରିଖରେ ଗଞ୍ଜାମ ସହରର ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରତିନିଧ ସୁଧୀର ପାଢୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ମଧ୍ୟ ସେ ସଂପୃକ୍ତ ବୋଲି ପୁଲିସ କହିଛି। ସୁଧୀରଙ୍କ ସ୍କର୍ପିଓ ଗାଡ଼ି ଉପରକୁ ବୋମା ମାଡ଼ କରି ଫେରାର୍ ହୋଇ ଯାଇଥିଲା। ସୁଶାନ୍ତକୁ ଗିରଫ କରିବା ପାଇଁ ଗଞ୍ଜାମ ପୁଲିସ ୨୨ ଦିନ ଧରି ରାଜ୍ୟ ଏବଂ ରାଜ୍ୟ ବାହାରେ ଜାଲ ବିଛାଇଥିଲା। ଆଜି ଭୋରରେ ସୁଶାନ୍ତ ଛତ୍ରପୁର-ଗଞ୍ଜାମ ରାସ୍ତା ଦେଇ ଯାଉଥିବା ସୂଚନା ଗଞ୍ଜାମ ପୁଲିସକୁ ହସ୍ତଗତ ହୋଇଥିଲା। ଏହା ପରେ ଏକ ଟିମ୍ ଜୟଶ୍ରୀ କେମିକାଲ ଛକରେ ତାକୁ କାବୁ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଥିଲେ। ପୁଲିସ ଟିମ ଉପରକୁ ସୁଶାନ୍ତ ଗୁଳି ଚଳାଇଥିଲା। ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନାରେ ତାର ବାମ ଆଣ୍ଠୁ ଜଖମ ହେବାରୁ ସେ ପଡ଼ି ଯାଇଥିଲା। ଗୁଳି ବିନିମୟ ବେଳେ ଦୁଇ ଜଣ କନ‌ଷ୍ଟେବଳ ଆହତ ହୋଇଥିଲେ। ସୁଶାନ୍ତର ଅପରାଧ ଡାଏରୀ ବିଷୟରେ ଅଧିକ ଖୋଳତାଡ଼ କରାଯିବ ବୋଲି ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର