ଦାମଙ୍କୁ ନେଇ ନବୀନଙ୍କ ଚିନ୍ତା ବଢ଼ିଲା

ବ୍ରାହ୍ମଣ ମନ୍ତବ୍ୟକୁ ନେଇ ଅସନ୍ତୋଷ ତେଜୁଛି

୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ ଦାବି
ସଫେଇ ରଖିଲେ ଦାମ, କ୍ଷମା ମାଗିବାକୁ ମନାକଲେ

ଭୁବନେଶ୍ୱର : ମାଲକାନଗିରିର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ଉତ୍ସବରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବ୍ରାହ୍ମଣଙ୍କ ସଂପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ରାଜ୍ୟରେ ଝ଼଼ଡ଼ ସୃଷ୍ଟି ହେଲାଣି। ଆଜି ପୁରୀ ଓ ଭୁବନେଶ୍ୱରରେ ଏହାକୁ ତୀବ୍ର ବିରୋଧ କରାଯାଇଛି। ଦାମ ବାବୁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବ୍ରାହ୍ମଣ ସମାଜ। ସେପଟେ ଦାମ ବାବୁ କିନ୍ତୁ ତାଙ୍କ ଜିଦରେ ଅଟଳ ରହିଛନ୍ତି। କ୍ଷମା ମାଗିବେ ନାହିଁ ବୋଲି ରୋକ୍‌ଠୋକ୍‌ ଜଣାଇଛନ୍ତି। ଚିରାଚରିଚ ଢଙ୍ଗରେ ସେ ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଗଣମାଧ୍ୟମକୁ ଦାୟୀ କରିଛନ୍ତି। ଏକ ବିବୃତିରେ କହିଛନ୍ତି, ଅର୍ଥକୁ ଅନର୍ଥ କରାନଯାଉ।

ମିଳିଥିବା ସୂଚନା ଅନୁଯାୟୀ, ଦାମଙ୍କ ମନ୍ତବ୍ୟ ଉପରେ ଗାଁ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ନେଇ ଆଜି ଦଳର କିଛି ନେତା ମୁଖ୍ୟମନ୍ତ୍ରୀଙ୍କୁ ଏ ସଂପର୍କରେ ଜଣାଇଛନ୍ତି। କହିଛନ୍ତି, ଉପକୂଳରେ ଭୋଟ ବ୍ୟାଙ୍କ ବିଗିଡିଯିବା ଭୟ ଦେଖାଦେଇଛି। ନିର୍ବାଚନ ବର୍ଷରେ ଯଦି ଏଭଳିସ୍ଥିତି ଉପୁଜେ ତେବେ ବଡ଼ ଧରଣର ବିପର୍ଯ୍ୟୟ ଏଡ଼ାଇ ଦିଆଯାଇନପାରେ। ରାଜନୈତିକ ମହଲ ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏହି ଖବରକୁ ଗମ୍ଭୀରତାର ସହିତ ନେଇଛନ୍ତି। ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ଉଲ୍ଲେଖଯୋଗ୍ୟ, କେତେବେଳେ ମହିଳା ନେତ୍ରୀଙ୍କୁ ତ ଆଉ କେତେବେଳେ ଚାଷୀ। କେତେବେଳେ ଅଙ୍ଗନବାଡି କର୍ମୀଙ୍କୁ ଆକ୍ଷେପ କଲେଣି ତ ଆଉ କେତେବେଳେ ଜୟୀରାଜଗୁରୁଙ୍କ ସଂପର୍କରେ ମତ ରଖି ଚର୍ଚ୍ଚାରେ ରହିଛନ୍ତି ଦାମ ବାବୁ। ଜୟୀ ରାଜଗୁରୁଙ୍କ ପ୍ରସଙ୍ଗରେ ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବି ଚ୍ୟାଲେଞ୍ଜ କରିବାକୁ ପଛାଇନାହାନ୍ତି। ଏସବୁ ରାଜ୍ୟ ରାଜନୀତିରେ ଆଲୋଚନା ପରିସରରେ ରହିଥିବା ବେଳେ ଡାକ୍ତର ରାଉତ ବ୍ରାହ୍ମଣଙ୍କୁ କଟାକ୍ଷ କରିଥିବା ଅଭିଯୋଗ ଉଠିଛି। ଦାମ ବାବୁ କହିଥିଲେ, ଝରଣା ପାଣି ପିଇ ବଞ୍ଚିଯିବେ ସିନା ଆଦିବାସୀ ଭିକ ମାଗିବେ ନାହିଁ। ହେଲେ ବ୍ରାହ୍ମଣ ହାତ ପତେଇ ସମସ୍ତଙ୍କୁ ଭିକ ମାଗନ୍ତି। ବସ ଷ୍ଟାଣ୍ଡରେ ବ୍ରାହ୍ମଣମାନେ ଏପରି ହାତ ପକେଇ ଭିକ ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳେ। ଦାମଙ୍କ ଏହି ମନ୍ତବ୍ୟ ଏବେ ସମଗ୍ର ରାଜ୍ୟରେ ନିଆଁ ଲଗାଇଛି। ବ୍ରାହ୍ମଣ ସମାଜ ଏହାକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଆଜି ପୁରୀରେ ତାଙ୍କ ଫଟୋରେ ପ୍ରତିବାଦକାରୀମାନେ ନିଆଁ ଲଗାଇ ଦେଇଥିଲେ। ୨୪ ଘଣ୍ଟା ମଧ୍ୟରେ ଦାମବାବୁଙ୍କୁ କ୍ଷମା ମାଗିବା ଲାଗି କଣ୍ଟ ଦିଆଯାଇଛି।

କାହିଁକି ଦାମବାବୁ ହଠାତ୍‌ ଏଭଳି ମନ୍ତବ୍ୟ ଦେଲେ, ସେ ସଂପର୍କରେ ଦଳର କେହି ଠଉରାଇ ପାରୁନାହାନ୍ତି। ମନ୍ତ୍ରୀଙ୍କ ମନ୍ତବ୍ୟ ଯେ ଭୋଟ ବ୍ୟାଙ୍କ ବିଗାଡିବାରେ ଲାଗିଛି, ସେକଥା ନେତାମାନେ ଖୋଲାଖୋଲି ଚର୍ଚ୍ଚା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀଙ୍କ ଅସମ୍ଭବ ନିରବତାକୁ ନେଇ ମଧ୍ୟ ଦଳରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଗୋଟିଏ ଗୋଷ୍ଠୀ ଆଲୋଚନା କରୁଛନ୍ତି, ମୁଖ୍ୟମନ୍ତ୍ରୀ କିଛି ମନ୍ତ୍ରୀଙ୍କ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ରଖିଛନ୍ତି। ଯେକୌଣସି ମୁହୂର୍ତରେ ମନ୍ତ୍ରୀମାନଙ୍କ ବିଭାଗରେ ଅଦଳବଦଳ ହୋଇପାରେ। ଏମିତିରେ ବି ଗୋଟିଏ ପଦବି ଖାଲି ଅଛି। ଏଣୁ ଦାମ ବାବୁଙ୍କ ସଂପର୍କରେ ସୁପ୍ରିମୋ କିଛି ବଡ଼ ନିଷ୍ପତ୍ତି ନେବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଦଳର ପ୍ରତିଷ୍ଠା ଦିବସ ପରେ ଏ ନେଇ କସରତ ହେବ।

ଅନ୍ୟ ଗୋଟିଏ ଗୋଷ୍ଠୀର କହିବା କଥା ହେଉଛି, ମୁଖ୍ୟମନ୍ତ୍ରୀ ଦାମ ବାବୁଙ୍କ ସଂପର୍କରେ ନିରବ ରହିବା ଦ୍ୱାରା, ସାଧାରଣରେ ଏକ ଭୁଲ ବାର୍ତା ଯିବା ଆରମ୍ଭ ହେଲାଣି। ମୁଖ୍ୟମନ୍ତ୍ରୀ ଆଉ ଆଗଭଳି ଦୃଢ ନାହାନ୍ତି। ଏଣୁ କଥା କଥାରେ ବିଶୃଙ୍ଖଳାକାରୀଙ୍କୁ ଦଣ୍ଡୁଥିବା ନେତା ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ତାଙ୍କର ଏ ନିରବତା ଦ୍ୱାରା ଏସବୁ ମନ୍ତବ୍ୟକୁ ଦଳୀୟ ସ୍ୱୀକୃତି ମିଳୁଛି। ଗୋଟିଏ ପଟେ ଭୋଟ ସୃଷ୍ଟି କରିବା ଲାଗି ଉଦ୍ୟମ ହେଉଥିବା ବେଳେ ଦାମ ବାବୁ ଭୋଟ ବିଗାଡିବା ଆରମ୍ଭ କରିଛନ୍ତି।

ଡାକ୍ତର ରାଉତ ମଧ୍ୟ ଆଜି ଏକ ବିଜ୍ଞପ୍ତିରେ ତାଙ୍କ ମତ ରଖିଛନ୍ତି। କହିଛନ୍ତି, ବୃତ୍ତି, ସଂସ୍କୃତି ଏବଂ ପରମ୍ପରା ସଂପର୍କରେ ତାଙ୍କର ସାଧାରଣ ଜ୍ଞାନ ରହିଛି। ଏହା ରାଜନୀତିକ ଉଦ୍ଦେଶ୍ୟରୁ ପ୍ରାୟୋଜିତ ହୋଇପାରିଥାଏ। ମନ୍ତ୍ରୀ କିନ୍ତୁ ସ୍ୱୀକାର କରିଛନ୍ତି, ୧୭ ତାରିଖ ସନ୍ଧ୍ୟାରେ ସେ କହିଥିଲେ, ହଜାର ହଜାର ବର୍ଷ ତଳେ ଚାଷକୁ ବୃତ୍ତିଭାବେ ଗ୍ରହଣ କରିଥିବା ଚାଷୀ ବାତ୍ୟା, ବନ୍ୟା, ମରୁଡ଼ି, ପୋକ ଆକ୍ରମଣ ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିଲା।

କାପୁରୁଷ ଭଳିଆ ଆତ୍ମହତ୍ୟା କରୁନଥିଲା। ଏଥିପାଇଁ କୁହାଯାଏ ଚାଷ ଆରମ୍ଭ କରିଥିବା ଆଦିବାସୀ କେବେ ଭିକ୍ଷା ମାଗେ ନାହିଁ କିମ୍ବା ଆତ୍ମହତ୍ୟା କରେ ନାହିଁ। ସେହିଭଳି ଧର୍ମ ହିଁ ବିଶ୍ୱାସ। ଯୁଗ ଯୁଗ ଧରି ଆମର ବିଶ୍ୱାସ ରହିଛି ଯେ ଜାତିଶ୍ରେଷ୍ଠ ବ୍ରାହ୍ମଣ-ସେମାନେ ଭିକ୍ଷା ଗ୍ରହଣ କରିଥାଆନ୍ତି। ବ୍ରତୋପନୟନ ବେଳେ ଚାରିକର୍ମ ପରେ ବ୍ରାହ୍ମଣ ପିଲା ସନ୍ନ୍ୟାସୀ ହୁଏ ଏବଂ ସେତେବେଳେ କୁହାଯାଏ ‘ଭଗତ୍‌ ଭିକ୍ଷାଂ ଦେହି’ ଏବଂ ପୁଣ୍ୟ ଅର୍ଜନ କରିବା ଆଶାରେ ବ୍ରାହ୍ମଣ ସନ୍ନ୍ୟାସୀକୁ ଭିକ୍ଷା ଦିଆଯାଏ। କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଗରିବ ବ୍ରାହ୍ମଣଟିଏ ଭିକ୍ଷା ମାଗିଲେ ପୂଣ୍ୟ ଅର୍ଜନ ହେଉଥିବାରୁ ତାକୁ ଭିକ୍ଷା ଦିଆଯାଏ, ଏବଂ ବ୍ରାହ୍ମଣ ଭିକ୍ଷା ଗ୍ରହଣ କରନ୍ତି। କିନ୍ତୁ ଆଦିବାସୀ ଚାଷୀ କେବେ ଭିକ୍ଷା ମାଗନ୍ତି ନାହିଁ କି ଭିକ୍ଷା ଗ୍ରହଣ କରନ୍ତି ନାହିଁ ।

ଦାମ ବାବୁ ବିବୃତିରେ ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରି କହିଛନ୍ତି, ପରମ୍ପରା ଅନୁସାରେ ବ୍ରାହ୍ମଣମାନେ ନମସ୍ୟ ଏବଂ ସେମାନଙ୍କର ଆଶିର୍ବାଦ ମିଳିଲେ ଧର୍ମ ଅର୍ଜନ କରିଥାଏ। ସେ ସେମାନଙ୍କୁ ତୁଚ୍ଛା ତାତ୍ସଲ୍ୟ କରି ଧର୍ମ ହରାଇବେ କାହିଁକି ଏବଂ ମହାନ ପରମ୍ପରା ପ୍ରତି ଅବଜ୍ଞା କରିବି କାହିଁକି? ଉଲ୍ଲେଖଯୋଗ୍ୟ, ଅଙ୍ଗନବାଡି ପ୍ରସଙ୍ଗରେ ଦାମ ବାବୁଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର