ଘରୋଇ ହୋମିଓପ୍ୟାଥିକ ଚିକିତ୍ସକଙ୍କୁ ପଞ୍ଜୀକରଣ ଦାବି

ଭୁବନେଶ୍ୱର : ରାଜ୍ୟରେ ଘରୋଇ ହୋମିଓପ୍ୟାଥିକ ଚିକିତ୍ସକଙ୍କ ପଞ୍ଜୀକରଣ ପାଇଁ ଦାବି କରିଛି ଘରୋଇ ହୋମିଓପ୍ୟାଥିକ ପ୍ରାକ୍ଟିସିନର୍ସ ଆସୋସିଏସନ୍‌। ଏହାସହ ଘରୋଇ ହୋମିଓପ୍ୟାଥିକ ଚିକିତ୍ସକଙ୍କ କ୍ଲିନିକ ଉପରେ ମନଇଛା ଚଢ଼ଉ ବନ୍ଦ କରାଯାଉ। ଏହାର ପ୍ରତିବାଦରେ ଆସନ୍ତା ୧୧ତାରିଖରେ ଆସୋସିଏସନ୍‌ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛି।

ଆଜି ଆସୋସିଏସନ୍‌ ପକ୍ଷରୁ ଓଡେସା ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଅଟଳ କୁମାର ଦାସ କହିଲେ, ପୂର୍ବରୁ ପ୍ରଚଳିତ ନିୟମ ଅନୁସାରେ ଘରୋଇ ହୋମିଓପ୍ୟାଥିକ ଚିକିତ୍ସକଙ୍କୁ ସରକାର ପଞ୍ଜୀକରଣ କରୁଥିଲେ। ମାତ୍ର ୧୯୯୬ ମସିହାରୁ ଏହାକୁ ବନ୍ଦ କରି ଦିଆଯାଇଛି। ପଞ୍ଜୀକରଣ ସାର୍ଟିଫିକେଟ୍‌ ନ ଥିବାରୁ ଘରୋଇ ହୋମିଓପ୍ୟାଥିକ ଚିକିତ୍ସକମାନଙ୍କୁ ଚିକିତ୍ସା ଦେବାରେ ସମସ୍ୟା ହେଉଛି। ତେଣୁ ପୂର୍ବ ନିୟମକୁ ପୁନର୍ବାର ପ୍ରଚଳନ କରିବା ସହିତ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚିକିତ୍ସାକଙ୍କ ପଞ୍ଜୀକରଣ କରାଯାଉ। ବାରମ୍ବାର ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ଫଳ ମିଳିପାରି ନାହିଁ। ତେଣୁ ଏହାର ପ୍ରତିବାଦରେ ଆସନ୍ତା ୧୧ତାରିଖରେ ଘରୋଇ ହୋମିଓପ୍ୟାଥିକ ଚିକିତ୍ସକମାନେ ରାଜଧାନୀରେ ଏକ ଶୋଭାଯାତ୍ରାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ନେତ୍ରାନନ୍ଦ ଭେଶି, ମଦନ ମୋହନ ପାତ୍ର, ହରେକୃଷ୍ଣ ମୁଦୁଲି ଓ ପରେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର