ଉତ୍ତର ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ମାରାଥନ୍‌ କାର୍ଯ୍ୟକ୍ରମ : ୯ ପ୍ରକଳ୍ପର ଉଦ୍‌ଘାଟନ,ଶିଳାନ୍ୟାସ

ବାଲେଶ୍ୱର/ବାରିପଦା : ଉତ୍ତର ଓଡିଶାରେ ଗୋଟିଏ ଦିନରେ ୩୦୦ରୁ ଅଧିକ କୋଟି ଟଙ୍କାର ୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଚାନ୍ଦିପୁର ରୋଡସ୍ଥିତ ହିଡିଗାଁରେ ପାରାଦୀପ-ହଳଦିଆ-ବରୌନୀ ଅଶୋଧିତ ତୈଳ ପାଇପ୍‌ଲାଇନର ବାଲେଶ୍ୱର ପମ୍ପ ଷ୍ଟେସନ, କୁରୁଡାସ୍ଥିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍‌ ଲାଇନର ବାଲେଶ୍ୱର ସେକ୍ସନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ସେଠାରେ ଆୟୋଜିତ ଏକ ସଭାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୁଖୀ ଯୋଜନା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ସେ କହିଥିଲେ ଯେ, ବଟଲିଂ ପ୍ଲାଣ୍ଟର ଦକ୍ଷତା ବୃଦ୍ଧି ଫଳରେ ଏବେ ବାଲେଶ୍ୱରରୁ ବର୍ଷକୁ ୧ କୋଟି ୩୦ ଲକ୍ଷ ସିଲିଣ୍ଡର ଭର୍ତ୍ତି ହୋଇପାରିବା ଏଲପିଜି ପାଇପ୍‌ ଲାଇନର ସଂଯୋଗୀକରଣ ଫଳରେ ଆଉ ରାସ୍ତାରେ ଟ୍ରକ ମାଧ୍ୟମରେ ଏଲ୍‌ପିଜିକୁ ନେବା ଆଣିବା ନକରି କମ୍‌ ଖର୍ଚ୍ଚରେ ପାଇପ ଯୋଗେ ସୁରକ୍ଷିତ ଭାବେ ବାଲେଶ୍ୱର ସମେତ ବିଭିନ୍ନ ପମ୍ପ ଷ୍ଟେସନକୁ ଏଲପିଜି ନିଆଯାଇପାରିବ। ୨୦୧୪ରେ ବାଲେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକରେ ମୋଟ୍‌ ୧୧୯ଟି ଏଲପିଜି ବିତରକ ଥିବା ବେଳେ ବର୍ତ୍ତମାନ ଏହା ୨୦୨ରେ ପହଞ୍ଚିଛି। ସେହିପରି ଏଲ୍‌ପିଜି ସଂଯୋଗ ସମଗ୍ର ଓଡ଼ିଶାରେ ୨୦୧୪ରେ ୨୦ ପ୍ରତିଶତ ଥିବା ବେଳେ ଏବେ ଏହା ୬୨ ପ୍ରତିଶତରେ ପହଞ୍ଚିଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ପୂର୍ବ ଭାରତରେ ଏହା ପ୍ରଥମ ଏଲପିଜି ପାଇପ୍‌ ଲାଇନ୍‌ ପ୍ରକଳ୍ପ ହୋଇଥିବା ବେଳେ, ଏହିଠାରୁ ହିଁ ବିକାଶର ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ।

ରେମୁଣା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ ଏଥିରେ ଯୋଗଦେଇ ବାଲେଶ୍ୱରରେ କେନ୍ଦ୍ରସରକାରଙ୍କ ପକ୍ଷରୁ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ସୂଚନା ଦେବା ସହ ଆଉକିଛି ନୂଆ ପ୍ରକଳ୍ପକୁ ତ୍ୱରିତ ବେଗରେ କାମ ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଆଇଓସିଏଲର ପୂର୍ବାଞ୍ଚଳ ନିର୍ଦ୍ଦେଶକ ପି.ସି ଚୌବେ ଏଥିରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଓସିଏଲର ମୁଖ୍ୟ ମହାପ୍ରବନ୍ଧକ ପ୍ରୀତିଶ ଭାରତ ଧନ୍ୟବାଦ ଅର୍ପଣ କରିଥିଲେ।

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଜେପି ନେତା ସମୀର ମହାନ୍ତି ଓ ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ମଦନ ମୋହନ ଦତ୍ତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଅପରାହ୍ନ ପ୍ରାୟ ୪ଟାରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ତିଳପଦା ଗାଁରେ ଆଇଓସିଏଲର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସୌରଚାଳିତ ପାନୀୟ ଜଳ ‘ଜଳଜୀବନ’ ଓ ସଡକ ଆଲୋକୀକରଣ କାର୍ଯ୍ୟକ୍ରମରେ ‘ସୂର୍ଯ୍ୟପ୍ରକାଶ’ର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ। ବେତନଟୀ କଲେଜରେ ଓଏନଜିସି ବହୁମୁଖୀ ସମ୍ମିଳନୀ କକ୍ଷର ଉଦଘାଟନ କରିଥିଲେ। ଏହାପରେ ବେତନଟୀ ଓ ବୈଶିଙ୍ଗାରେ ୧୨୭ କିମିର ଯାନବାହନ ଅନୁକୂଳ ଭୂତଳ ଅତିକ୍ରମ ରାସ୍ତାର ଭୂମିପୂଜା କରିବା ସହ ତକତପୁର ଛକରେ ୩୯ କମିର ଫ୍ଲାଇଓଭରର ମଧ୍ୟ ଶୁଭ ଦେଇଥିଲେ। ଶେଷରେ ବଡ଼ସାହି ବ୍ଲକର ହରିପୁର ପ୍ରତାପପୁର ପଞ୍ଚାୟତରେ ଗ୍ରାମ ସ୍ୱରାଜ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର