କର୍ମଚାରୀଙ୍କୁ ଲୁଟୁଥିବା ସଂସ୍ଥା ପ୍ରତି ଦରଦ : ଡ୍ରଗ୍‌ ଇନ୍‌ସପେକ୍ଟର ଓ ନିର୍ଦେଶାଳୟ ଟଣାଓଟରା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡ୍ରଗ୍‌ ଇନସପେକ୍ଟର ରେଞ୍ଜରେ କର୍ମଚାରୀ ନିଯୁକ୍ତି ଦେଇଥିବା ଏକ ଘରୋଇ ସଂସ୍ଥା ପାଇଁ ଡ୍ରଗ କଣ୍ଟ୍ରୋଲ ନିର୍ଦେଶାଳୟ ଅତ୍ୟଧିକ ଦରଦ ଦେଖାଇଛି। ସଂପୃକ୍ତ ସଂସ୍ଥା ନିଯୁକ୍ତି ଦେଇଥିବା କର୍ମଚାରୀଙ୍କୁ ଖୋଲାଖୋଲି ଲୁଟ୍‌ କରୁଥିବା ଅଡିଟ୍‌ ରିପୋର୍ଟରେ ସ୍ପଷ୍ଟ ହେବା ପରେ ମଧ୍ୟ ନିର୍ଦେଶାଳୟର ଏଭଳି ଦରଦ ଘଟଣାକୁ ଅଧିକ ରହସ୍ୟ କରିଦେଇଛି। ସଂସ୍ଥାର ଜାଲିଆତି ନଜର ଆସିବା ପରେ ବୌଦ୍ଧ ରେଞ୍ଜର ଡ୍ରଗ୍‌ ଇନ୍‌ସପେକ୍ଟର୍‌ ସଂପୃକ୍ତ ସଂସ୍ଥାକୁ କାର୍ଯ୍ୟରୁ ଛଟେଇ କରିଥିବା ବେଳେ ନିର୍ଦେଶାଳୟ ପକ୍ଷରୁ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଛଟେଇ ନ କରିବା ପାଇଁ ଚିଠି ଦେଇଛନ୍ତି। ଏହାକୁ ନେଇ ଡ୍ରଗ୍‌ସ କଣ୍ଟ୍ରୋଲ ନିର୍ଦେଶାଳୟ ଓ ସଂପୃକ୍ତ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କ ମଧ୍ୟରେ ଟଣାଓଟରା ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟର ବାରିପଦା, ପୁରୀ, ଭୁବନେଶ୍ୱର ୩, ବାଲେଶ୍ୱର ଗ୍ରାମାଞ୍ଚଳ, ବୌଦ୍ଧ ଓ ବ୍ରହ୍ମପୁର ଡ୍ରଗ୍‌ ଇନ୍‌ସପେକ୍ଟର ରେଞ୍ଜରେ ଏକ ସଂସ୍ଥା ପକ୍ଷରୁ ଆଉଟସୋର୍ସିଂ ଜରିଆରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୪ ମସିହାରେ ବର୍ଷେ ପାଇଁ ସଂପୃକ୍ତ ସଂସ୍ଥାକୁ ନିଯୁକ୍ତ କରାଯାଇଥିଲା। ତେବେ ସଂପୃକ୍ତ ସଂସ୍ଥା କର୍ମଚାରୀଙ୍କ ଇପିଏଫ୍‌ ଓ ଇଏସ୍‌ଆଇ ବାବଦରେ ଦାଖଲ କରିବାକୁ ଥିବା ଟଙ୍କା ଦାଖଲ କରୁ ନ ଥିବା ବାଲେଶ୍ୱର ଡ୍ରଗ୍‌ ଇନ୍‌ସପେକ୍ଟର ରେଞ୍ଜରଙ୍କ ଅଡିଟ୍‌ ସମୟରେ ନଜରକୁ ଆସିଥିଲା। ଏପରିକି ଏଥିପାଇଁ ସଂସ୍ଥା ପକ୍ଷରୁ କୌଣସି ଆକାଉଣ୍ଟ ଖୋଲାଯାଇ ନ ଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଅଡିଟ୍‌ ଯାଞ୍ଚ ସମୟରେ ସଂପୃକ୍ତ ସଂସ୍ଥା କର୍ମଚାରୀଙ୍କ ବାବଦରେ ଆବଶ୍ୟକ କୌଣସି କାଗଜପତ୍ର ଦାଖଲ କରିବାରେ ବିଫଳ ହୋଇଥିଲା।

ଅପରପକ୍ଷରେ ସଂପୃକ୍ତ ସଂସ୍ଥାକୁ ମାତ୍ର ୧ବର୍ଷ ପାଇଁ କର୍ମଚାରୀ ନିଯୁକ୍ତି ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିବା ବେଳେ ପରବର୍ତୀ ସମୟରେ ତାହାର ନବୀକରଣ ହୋଇନାହିଁ। ମାତ୍ର ବିନା ନବୀକରଣରେ ଏହି ସଂସ୍ଥା ଏବେ ବି କର୍ମଚାରୀ ନିଯୁକ୍ତି ଦେଇଥିବା ବେଳେ ସେ ବାବଦ ଅର୍ଥ ନେଇ ଚାଲିଛି। ଇପିଏଫ୍‌ ଓ ଇଏସ୍‌ଆଇ ବାବଦରେ ସଂପୃକ୍ତ ସଂସ୍ଥା ଗତ ୩ବର୍ଷ ଭିତରେ କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କା ଲୁଟି ନେଇଛି। ଡ୍ରଗ୍‌ସ କଣ୍ଟ୍ରୋଲ ନିର୍ଦେଶାଳୟ ଅଡିଟ୍‌ ରିପୋର୍ଟ ସଂପର୍କରେ ଜାଣି ମଧ୍ୟ ସଂପୃକ୍ତ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।

ସେହିପରି ବୌଦ୍ଧ ରେଞ୍ଜରେ ସଂପୃକ୍ତ ସଂସ୍ଥା ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା। ସେଠାରେ ମଧ୍ୟ ସଂପୃକ୍ତ ସଂସ୍ଥା କର୍ମଚାରୀଙ୍କ ଇପିଏଫ୍‌ ଓ ଇଏସ୍‌ଆଇ ବାବଦ ଟଙ୍କା ପଇଠ କରୁ ନ ଥିବା ଜଣାପଡ଼ିଥିଲା। କର୍ମଚାରୀଙ୍କ ଟଙ୍କା ଲୁଟ୍‌ ହେଉଥିବା ଜାଣିବା ପରେ ବୌଦ୍ଧ ରେଞ୍ଜର ଡ୍ରଗ୍‌ ଇନ୍‌ସପେକ୍ଟର ସଂପୃକ୍ତ ସଂସ୍ଥାକୁ ହାଜର ହେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ସଂପୃକ୍ତ ସଂସ୍ଥା ଏହାକୁ ଖାତିର କରି ନ ଥିଲା। ଫଳରେ ଡ୍ରଗ୍‌ ଇନ୍‌ସପେକ୍ଟର ସଂପୃକ୍ତ ସଂସ୍ଥାକୁ ଛଟେଇ କରିଥିଲେ। ମାତ୍ର ନିର୍ଦେଶାଳୟ ପକ୍ଷରୁ ସଂପୃକ୍ତ ସଂସ୍ଥାର କର୍ମଚାରୀଙ୍କୁ ଛଟେଇ ନ କରିବା ପାଇଁ ଚିଠି ଦିଆଯାଇଥିଲା। ଏ ସଂପର୍କରେ ଡ୍ରଗ୍‌ସ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର