Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଖର୍ଚ ପାଇଁ ବାଟ ପାଉନାହାନ୍ତି

ଆରମ୍ଭରୁ ଡିଏମ୍‌ଏଫ୍‌ ବାଟବଣା, ମୁଣ୍ଡ ବିନ୍ଧା କଲାଣି କେନ୍ଦୁଝର

0 248

ଭୁବନେଶ୍ୱର : ଅଙ୍ଗନବାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ବିଦ୍ୟାଳୟ ଗୃହ ନିର୍ମାଣ। ଟ୍ୟୁବେଓ୍ଵଲ୍‌ ସ୍ଥାପନ ଠାରୁ ଉଠା ଜଳସେଚନ ପ୍ରକଳ୍ପ। ଏସବୁ ପ୍ରକଳ୍ପ ପାଇଁ ରାଜ୍ୟ ବଜେଟ୍‌ରେ ଢେର୍‌ ଅର୍ଥ ବ୍ୟୟବରାଦ କରାଯାଉଛି। ବର୍ଷ ଶେଷ ବେଳକୁ ପ୍ରକଳ୍ପ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ କି ବଜେଟ୍‌ରେ ବରାଦ ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି ସରକାର।

କିନ୍ତୁ ଜିଲ୍ଲାପାଳମାନେ ଡିଷ୍ଟ୍ରିକ୍ଟ ମିନେରାଲ୍‌ ଫାଉଣ୍ଡେସନ୍‌ ବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥରେ ଏଭଳି ଅନେକ ପ୍ରକଳ୍ପକୁ ହାତକୁ ନେଇଥିବା ଜଣାପଡିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆବଶ୍ୟକ ମାନବସମ୍ବଳ ଓ ଭିତ୍ତିଭୂମିର ଅଭାବ କାରଣରୁ ଏସବୁ ପ୍ରକଳ୍ପର କାର୍ଯ୍ୟାନ୍ଵୟନ ତ ହୋଇପାରୁନାହିଁ। ଓଲଟା ଡିଏମ୍‌ଏଫ୍‌ ଏବେ ସରକାରଙ୍କ ପାଇଁ ବିପଦ ଟାଣି ଆଣିଛି। କାରଣ ପ୍ରକଳ୍ପ ଚୟନ କ୍ଷେତ୍ରରେ ନା ଜିଲ୍ଲାବାସୀଙ୍କୁ ବିଶ୍ୱାସକୁ ନିଆଯାଇଛିି ନା କ୍ଷତିଗ୍ରସ୍ତ ଲୋକଙ୍କ ଦାବିକୁ ଧ୍ୟାନରେ ରଖାଯାଇଛି। ଏପରିକି କେଉଁ ଜିଲ୍ଲାରେ ଖଣି ଖାଦାନ ଦ୍ୱାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କେତେ ଲୋକ ପ୍ରଭାବିତ ହେଉଛନ୍ତି, କେଉଁ କେଉଁ ଅଞ୍ଚଳକୁ ଏ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦିଆଯିବା କଥା ତାହା ମଧ୍ୟ ନିର୍ଣ୍ଣୟ ହୋଇନାହିଁ। ଅଥଚ ପ୍ରକଳ୍ପ ବାବଦରେ ଶହ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇସାରିଲାଣି ଓ ଟଙ୍କା ଖର୍ଚ୍ଚ ବି ଆରମ୍ଭ ହୋଇଗଲାଣି।

ଡିଏମ୍‌ଏଫ୍‌ ପାଣ୍ଠିର ଏଭଳି ଅପବ୍ୟୟ ନେଇ କେନ୍ଦୁଝର ସମେତ ଖଣିଜ ସଂପଦ ଭରା ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି।

ସିଧା ସିଧା ଅଭିଯୋଗ ହୋଇଛି ଯେ ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ସୃଷ୍ଟି ପଛର ଅସଲ ଉଦ୍ଦେଶ୍ୟ ପରାହତ ହୋଇଛି। ସରକାରଙ୍କ ମନମାନି କାରଣରୁ ଏବେ ଏସବୁ ଜିଲ୍ଲାକୁ ରାଜ୍ୟ ବଜେଟ୍‌ରୁ ଯେତିକି ଅର୍ଥ ଆସିବା କଥା ତାହା ମଧ୍ୟ କମିଯିବା ଅସମ୍ବବ ନୁହେଁ। ଏହାଦ୍ୱାରା ଆଞ୍ଚଳିକ ବୈଷମ୍ୟ ବଢିବ ବୋଲି ଏହି ମହଲ ଚେତାବନୀ ଦେଇଛନ୍ତି।

ବୁଦ୍ଧିଜୀବୀ ମହଲର ଏଭଳି ଉଦ୍‌ବେଗ ଏବେ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଲାଣି। ସ୍ଥିତି ଗମ୍ଭୀର ହେବା ପୂର୍ବରୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ଗତକାଲି ଉନ୍ନୟନ କମିସନର ଆର୍‌ ବାଲାକ୍ରିଷ୍ଣନ୍‌ଙ୍କ ନେତୃତ୍ୱରେ ୪ଟି ବିଭାଗର ସଚିବଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ କେନ୍ଦୁଝର ଯାଇ ସ୍ଥିତି ସମୀକ୍ଷା କରିଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାରା ଭାରତରେ ଡିଏମ୍‌ଏଫ୍‌ ପାଣ୍ଠି ସୃଷ୍ଟି କରିବାରେ ଓଡ଼ିଶା ଆଗରେ ରହିଛି। ଶହେ କି ଦୁଇଶହ କୋଟି ନୁହେଁ, ସେପ୍‌ଟେମ୍ବର ସୁଦ୍ଧା ଓଡ଼ିଶାର ଏହି ପାଣ୍ଠିର ଆକାର ୩ ହଜାର ୪୩୩ କୋଟି ଟଙ୍କା ଛୁଇଁଲାଣି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିକଟରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଏ ମଧ୍ୟରୁ ୧୪୫୯ କୋଟି ଟଙ୍କା ବ୍ୟୟ ଲାଗି ଖସଡ଼ା ପ୍ରସ୍ତୁତ ହୋଇଛି। ବିଭିନ୍ନ କ୍ଷେତ୍ରରେ ପ୍ରାୟ ୯୮୯୬ଟି ପ୍ରକଳ୍ପକୁ ସରକାର ହାତକୁ ନେଇଛନ୍ତି।

ତେବେ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭର୍ଣ୍ଣମେଣ୍ଟ୍‌ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ମଧ୍ୟପ୍ରଦେଶ ଭଳି ୪ଟି ରାଜ୍ୟକୁ ନେଇ ଯେଉଁ ଷ୍ଟାଟସ୍‌ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ସେଥିରେ ଏହି ପାଣ୍ଠିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ବିରୋଧରେ ଅଭିଯୋଗ ହେଉଛି, ପାଣ୍ଠି ଖର୍ଚ୍ଚ କିଛି ନିର୍ଦିଷ୍ଟ ନିର୍ଦେଶନାମା ଜିଲ୍ଲାପାଳଙ୍କୁ ଦିଆଯାଇନାହିଁ। ଏହାର ପରିଣାମରେ ଉପଯୁକ୍ତ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି କୁହାଯାଉଥିବା ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପୁଷ୍ଟିହୀନତା ଦୂର କ୍ଷେତ୍ରରେ ଅଧିକ ଧ୍ୟାନ ଦିଆଯିବା ଉପରେ ଏହି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ରିପୋର୍ଟ ଦର୍ଶାଇଥିଲା ଯେ ଖଣି ଅଞ୍ଚଳରେ ପାଣି ଅଧିକ ପ୍ରଦୂଷିତ। ଏ କ୍ଷେତ୍ରରେ ଟ୍ୟୁବେଓ୍ଵଲ୍‌ ଖନନକୁ ବିଶେଷ ଉତ୍ସାହିତ କରାଯାଏନାହିଁ। ମାତ୍ର ଜିଲ୍ଲାପାଳମାନେ ଟ୍ୟୁବେଓ୍ଵଲ୍‌ ସ୍ଥାପନ ଦିଗରେ ମାତ୍ରାଧିକ ଆଗ୍ରହ ପ୍ରକଟ କରିଛନ୍ତି। ଏହି ରିପୋର୍ଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି। ଡିଏମ୍‌ଏଫ୍‌ ପାଣ୍ଠି ବିିନିଯୋଗ ଠିକଣା ଭାବେ ହେବ ନା ନାହିଁ, ସେ ନେଇ ସନ୍ଦେହ ଉଙ୍କି ମାରିଲାଣି। ଠିକ୍‌ ଏମିତି ଏକ ସମୟରେ ସରକାରୀ ଅଧିକାରୀଙ୍କର କେନ୍ଦୁଝରରେ ତନାଘନା ଏ ପ୍ରସଙ୍ଗକୁ ଅଧିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ତଥ୍ୟ ଅନୁସାରେ, କେନ୍ଦୁଝରରେ ଏହି ପାଣ୍ଠିର ଆକାର ଇତିମଧ୍ୟରେ ୧୧୮୧ କୋଟି ୮୬ଲକ୍ଷ ୯୦ ହଜାରକୁ ଛୁଇଁଛି। ଏ ମଧ୍ୟରୁ ଏବେ ସୁଦ୍ଧା ପିଇବା ପାଣି କ୍ଷେତ୍ରରେ ୧୩୦ କୋଟି ୯୧ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଗୋଟିଏ ଟ୍ୟୁବେଓ୍ଵଲ୍‌ ପିଛା ପାଖାପାଖି ୪ଲକ୍ଷ ଟଙ୍କା ଲେଖାଏଁ ବିନିଯୋଗ କରାଯାଇ ୨୭୪ଟିର ନିର୍ମାଣ ଶେଷ ହୋଇସାରିଲାଣି। ପ୍ରଶ୍ନ ଉଠୁଛି, ଖଣି ଖାଦାନ ଭରପୂର ଅଞ୍ଚଳରେ ଏସବୁ ଟ୍ୟୁବେଓ୍ଵଲ୍‌ର ଭବିଷ୍ୟତ କେତେ ଦିନ। ସବୁ ଗାଁକୁ ପାଇପ୍‌ ଯୋଗେ ପାଣି ଦେବା ପରିବର୍ତେ ଟ୍ୟୁବେଓ୍ଵଲ୍‌କୁ କାହିଁକି ପ୍ରଶାସନ ଗୁରୁତ୍ୱ ଦେଉଛି?

ସେହିଭଳି ଶିକ୍ଷା କ୍ଷେତ୍ରରେ ୪୦ କୋଟି ୯୨ଲକ୍ଷ, ସ୍ୱାସ୍ଥ୍ୟରେ ୩୯୨ କୋଟି ୩୭ଲକ୍ଷ, ମହିଳା ଓ ଶିଶୁ ବିକାଶରେ ୩ କୋଟି ୯୦ଲକ୍ଷ, ଦକ୍ଷତା ବିକାଶରେ ୨୦ କୋଟି ୩୫ଲକ୍ଷ, ଭିତ୍ତିଭୂମି ନିର୍ମାଣରେ ୧୭୯ କୋଟି ୯୯ ଲକ୍ଷ, ଜଳସେଚନରେ ୧୬ କୋଟି ୧୪ଲକ୍ଷ, ଜଳଛାୟା ବିକାଶରେ ୩ କୋଟି ୪ଲକ୍ଷ, ବନୀକରଣରେ ୧୨ଲକ୍ଷ ୮୪ ହଜାର ଏହିଭଳି ମୋଟ ୭୮୪ କୋଟି ୬୧ଲକ୍ଷ ଟଙ୍କା ୫୨ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ଖର୍ଚ୍ଚର ହିସାବ ମୁଣ୍ଡ ବୁଲାଇଦେବା ଭଳି। ମାତ୍ର ୬୦ କୋଟି ୩୯ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟବରାଦ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଅର୍ଥ ବରାଦକୁ ନେଇ ଗତକାଲି ସ୍ଥାନୀୟ ବୁଦ୍ଧିଜୀବୀ କେବଳ ଅସନ୍ତୋଷ ପ୍ରକଟ କରିଛନ୍ତି ତା ନୁହେଁ, ସଚିବମାନେ ମଧ୍ୟ ସନ୍ତୁଷ୍ଟ ହୋଇପାରିନାହାନ୍ତି। ପ୍ରଥମାର୍ଧ ସମୀକ୍ଷା ବେଳେ ବେଶ୍‌ କିଛି ଘଣ୍ଟା ଧରି ଏ ନେଇ ତନାଘନା ହୋଇଥିଲା। ବିଭିନ୍ନ ବିଭାଗକୁ ଦୋଷ ଠେଲିଥିଲେ ଜିଲ୍ଲାପାଳ, ଆଉ ପାଲଟା ଜବାବ ଦେଇଥିଲେ ସଚିବମାନେ। ଅଧିକ ଅଧିକାରୀ ନିଯୁକ୍ତି ଉପରେ ବି ପ୍ରଶାସନ ଗୁରୁତ୍ୱ ଦେଇଥିଲା।

ଅନ୍ୟପକ୍ଷରେ ବୁଦ୍ଧିଜୀବୀ ଯେଉଁ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି,ତାହା ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ମହଲରୁ କୁହାଯାଇଛି ଯେ ଅନ୍ୟ ସବୁ ଜିଲ୍ଲାରେ ସରକାର ନିଜ ଖର୍ଚ୍ଚରେ ମେଡ଼ିକାଲ କଲେଜ କରୁଥିବା ବେଳେ ଏଠାରେ କାହିଁକି ଡିଏମ୍‌ଏଫ୍‌ ପାଣ୍ଠିରେ ହେବ? ସେହିଭଳି ବନୀକରଣ ଠାରୁ ଆରମ୍ଭ କରି ବିଦ୍ୟାଳୟ ଶ୍ରେଣୀ ଗୃହ, ଉଠାଜଳସେଚନ ପ୍ରକଳ୍ପ ଲାଗି ସରକାର ତାଙ୍କ ବଜେଟ୍‌ରେ ବ୍ୟୟ ବରାଦ କରୁଛନ୍ତି ସବୁ ଜିଲ୍ଲାପାଇଁ। ଯଦି କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ ପାଣ୍ଠିରୁ ଏ କ୍ଷେତ୍ରରେ ବ୍ୟୟବରାଦ କରାଯିବ, ତେବେ ରାଜ୍ୟ ବଜେଟ୍‌ରେ କେନ୍ଦୁଝରର ଭାଗ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଆବଶ୍ୟକ ଶିକ୍ଷକ ନ ଦେଇ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିବା, ଆବଶ୍ୟକ ଚିକିତ୍ସା ଆଦି ଭିତ୍ତିଭୂମି ସୃଷ୍ଟି ନ କରି ଓମ୍‌ଫେଡ୍‌ ଜରିଆରେ ଗାଈ ପ୍ରଦାନକୁ ମଧ୍ୟ ନାପସନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

3 × 5 =