କୋଲକାତାରେ ଡାକ୍ତରଙ୍କୁ ମାଡ଼ ଘଟଣାର ପ୍ରତିବାଦ : ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଆଜି
କଟକ : କୋଲକାତାର ଏନ୍ଆର୍ଏସ୍ଏମ୍ସିଏଚ୍ ରୋଗୀ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କ ଉପରେ ହୋଇଥିବା ମାଡ଼ ଘଟଣା ପ୍ରତିବାଦରେ ଚାଲିଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ। କୋଲକାତାରେ ଡାକ୍ତର ମାନେ ଚଳାଇଥିବା ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆସନ୍ତାକାଲି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍(ଆଇଏମ୍ଏ)ଓଡ଼ିଶା ଶାଖା ପକ୍ଷରୁ ଧର୍ମଘଟ କରାଯିବ। ଡାକ୍ତରମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ ସ୍ବରୂପ କାର୍ଯ୍ୟରେ ଯୋଗ ଦେବେ ନାହିଁ। ଫଳରେ ଓପିଡି ସେବା ବନ୍ଦ ରହିବ। ମାତ୍ର ଜରୁରିକାଳୀନ ସେବା ପ୍ରଦାନ କରାଯିବ ବୋଲି କଟକସ୍ଥିତ ଆଇଏମ୍ ହାଉସ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍ଏ ରାଜ୍ୟ ସଂପାଦକ ଡାକ୍ତର ଜନ୍ମେଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆନ୍ଦୋଳନରେ ଘରୋଇ ମେଡିକାଲ ସଂଘ, ଓମ୍ସା ସମେତ ଏସ୍ସିବି ୟୁଜି ଓ ପିଜି ସଂଘ ଆଦି ସାମିଲ୍ ହେବେ ବୋଲି ଆଇଏମ୍ଏ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତର ମହାପାତ୍ର କହିଛନ୍ତି, କୋଲକାତାର ରୋଗୀ ମୃତ୍ୟୁ ଘଟଣାକୁ ନେଇ ଡାକ୍ତରଙ୍କୁ ଯେଉଁପରି ଭାବେ ମରଣାନ୍ତକ ଆକ୍ରମଣ ହେଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି କ୍ରମରେ ଆସନ୍ତାକାଲି ୨୪ଘଣ୍ଟିଆ ଧର୍ମଘଟ କରାଯିବ। ଫଳରେ ସୋମବାର ସକାଳ ୬ରୁ ମଙ୍ଗଳବାର ସକାଳ ୬ଟା ଯାଏଁ ଓପିଡି ସେବା ବନ୍ଦ ରହିବ। ଡାକ୍ତର ମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ। ମାତ୍ର ଜରୁରିକାଳୀନ ସେବା ପୂର୍ବଭଳି ଚାଲୁ ରହିବ ବୋଲି ଆଇଏମ୍ଏ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଏସ୍ସିବି ପିଜି ଓ ୟୁଜି ଛାତ୍ର ସଂଘ ପକ୍ଷରୁ ମଧ୍ୟ ସକାଳ ୯ରୁ ୫ଟା ପର୍ଯ୍ୟନ୍ତ ଅଣଜରୁରୀକାଳୀନ ସେବା ବନ୍ଦ ରଖାଯିବାକୁ ଘୋଷଣା ହୋଇଛି।
ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀରେ ଆଇଏମ୍ଏର ରାଜ୍ୟ ସଭାପତି ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ଡାକ୍ତର ବ୍ରଜ କିଶୋର ଦାଶ, କଟକ ଜିଲ୍ଲା ସଭାପତି ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ସଂପାଦକ ଡାକ୍ତର ଶକ୍ତିପ୍ରସାଦ ଦାଶ, ପିଏଚ୍ଏଓର ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଓମ୍ସା ସାଧାରଣ ସଂପାଦକ ପୁଣ୍ୟଶ୍ଲୋକ ଦାସ, ଆରଡିଏର ସଭାପତି ଡାକ୍ତର ଜ୍ୟୋର୍ତିମୟ ନାୟକ,ଏସ୍ସିବି ୟୁଜି ଓ ପିଜି ସଂଘ ସଭାପତି ପ୍ରଭାତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।