ସରକାରୀ ଅଫିସରେ ଅଫିସରଙ୍କୁ ‘ଭାଇ’ ଡାକୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅଫିସରେ ବରିଷ୍ଠ ଅଧିକାରୀଙ୍କୁ ‘ଭାଇ’ ବୋଲି ଡାକି ସମ୍ବୋଧନ କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ | କାରଣ ଆପଣଙ୍କ ଭାଇ ଡାକ ଆପଣଙ୍କ ଚାକିରିକୁ ହରଡ଼ଘଣାରେ ପକାଇପାରେ | ରାଜ୍ୟ ସରକାରଙ୍କ ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବାକୁ ନେଇ କଡା ନିର୍ଦ୍ଦେଶ ଆସିଛି | ସରକାରୀ ମର୍ଯ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପଶୁପାଳନ ନିର୍ଦ୍ଦେଶକ । ଏଥିରେ କୁହାଯାଇଛି, ବରିଷ୍ଠ ଅଧିକାରୀ ଉପସ୍ଥିତିରେ ବି ଅନେକ କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଫିସରଙ୍କୁ ଭାଇ ଡାକୁଛନ୍ତି ।

ଅଫିସ ଭିତରେ ଏଭଳି ଭାଇ ଉଚ୍ଚାରଣ ଠିକ ହେଉନାହିଁ । ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ ଥାଇପାରେ । କିନ୍ତୁ ଅଫିସ ଭିତରେ ଏଭଳି ଭାଇ ଡାକ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି, ୧୯୫୯ର ଉଲ୍ଲଙ୍ଘନ କରୁଛି ।

ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଚେତାଇ କୁହାଯାଇଛି । ନଭେମ୍ବର ୧୬ ତାରିଖରେ ନିର୍ଦ୍ଦେଶକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର