ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କେର ଆଗୁଆ ସୂଚନା ପାଇଁ ଗୋପାଳପୁର ଓ ପାରାଦୀପରେ ଡପ୍ଲର୍ ରାଡାର୍ ସ୍ଥାପନ ହୋଇଛି। ବାଲେଶ୍ବର ଓ ସମ୍ବଲପୁରରେ ମଧ୍ୟ ରାଡାର୍ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି। ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହା ସହ ବିଭାଗ ପକ୍ଷରୁ ‘ସତର୍କ’ ଆପ୍ ବ୍ୟବହାର କରାଯାଉଛି। ଏହା ମାଧ୍ୟମରେ ବଜ୍ରପାତ ଓ ଗ୍ରୀଷ୍ମପ୍ରବାହ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଉଛି। ଫନି ସମୟରେ ମାସ୍ ମେସେଜିଂ ସିଷ୍ଟମ୍ ଜରିଆରେ ଲୋକମାନଙ୍କ ନିକଟକୁ ୧ କୋଟି ୮୦ ଲକ୍ଷ ଏସ୍ଏମ୍ଏସ୍ ପଠାଯାଇ ବାତ୍ୟା ସମ୍ବନ୍ଧୀୟ ପ୍ରାକ୍ ସୂଚନା ଦିଆଯାଇଥିଲା ବୋଲି ମନ୍ତ୍ରୀ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାୟକ ଅଶ୍ବିନୀ ପାତ୍ରଙ୍କ ମୂଳ ପ୍ରଶ୍ନ ଥିଲା, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ସରକାର ବୈଜ୍ଞାନିକ ପଦ୍ଧତ୍ତି ଅବଲମ୍ବନ କରୁଛନ୍ତି କି ? ଉତ୍ତରରେ ମନ୍ତ୍ରୀ କହିଥିଲେ, ରାଜ୍ୟ ସମ୍ମୁଖୀନ ହେଉଥିବା ବିପର୍ଯ୍ୟୟଗୁଡ଼ିକର ଠିକ୍ ମୁକାବିଲା ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତ୍ତି ଅବଲମ୍ବନ କରାଯାଉଛି। ରାଜ୍ୟ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଆପଦକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଯୋଗାଯୋଗ ଉପକରଣମାନ ସ୍ଥାପନ କରାଯାଇଛି। ଜାତୀୟ ବାତ୍ୟା ଆପଦ ପ୍ରଶମନ ପ୍ରକଳ୍ପ ଅଧୀନରେ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପ୍ରାକ୍ ସୂଚନା ବିତରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ଅଧୀନରେ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ର, ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ସଦର ମହକୁମା, ୨୨ଟି ଉପକୂଳବର୍ତ୍ତୀ ବ୍ଲକ୍, ୧୪ଟି ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଅନ୍ୟ ସ୍ଥାନମାନଙ୍କରେ ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାପନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମ୍ବନ୍ଧରେ ତଥ୍ୟ ଆଦାନପ୍ରଦାନ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ବାରା ୫୮ଟି ସାଟେଲାଇଟ୍ ଫୋନ୍ କିଣାଯାଇ ୩୦ଟି ଜିଲ୍ଲାର ଜିଲ୍ଲାପାଳ, ୧୦ଟି ଓଡ୍ରାଫ୍ ବାହିନୀ, ଓଡ଼ିଶା ଫାୟାର ସର୍ଭିସ୍, କମିସନରେଟ୍ ଅଫ୍ ପୁଲିସ୍, ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି।
ପ୍ରଫୁଲ୍ଲ ସାମଲ, ବିଷ୍ଣୁ ସେଠୀ, ନୃସିଂହ ସାହୁ, ରଘୁନାଥ ଗମାଙ୍ଗୋ, ଅନନ୍ତ ଦାସ ଓ ମୁକେଶ ପାଲ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।