ହର୍ପିସ୍‌ ନେଲା ‘କମଳା’ ଜୀବନ, ନନ୍ଦନକାନନରୁ ‌ଲୋପ ପାଇଯିବେ ହାତୀ!

ବାରଙ୍ଗ (ଭୁବନେଶ୍ବର) : ମାରାତ୍ମକ ହର୍ପିସ୍‌ ଭାଇରସ୍‌ ସଂକ୍ରମଣରେ ଆଜି ୬ବର୍ଷର ଆଉ ଏକ ହାତୀ ଛୁଆ ‘କମଳା’ର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାର ପରେ ହାତୀପ୍ରେମୀ ଓ ପ୍ରାଣୀ ବିଶେଷଜ୍ଞଙ୍କ ମନରେ ଛନକା ପଶିଛି। ଆଶଙ୍କା ପ୍ରକାଶ ପାଇଲାଣି ନନ୍ଦନକାନନରୁ ହାତୀ ବଂଶ ସଫା ହୋଇଯିବ କି? କାରଣ ମାତ୍ର ୨୫ ଦିନ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ‘କମଳା’ ତୃତୀୟ ହାତୀ ଛୁଆ ଭାବେ ପ୍ରାଣ ହରାଇଛି।ଏହା ପୂର୍ବରୁ ଗତ ଅଗଷ୍ଟ ୨୬ ତାରିଖରେ ଜୁଲି (୧୦) ଓ ୪ ଦିନ ତଳେ ଅର୍ଥାତ୍‌ ଗତ ୧୫ ତାରିଖରେ ହାତୀ ଚନ୍ଦନ(୯)ର ଜୀବନ ନେଇଥିଲା ଏହି ଭାଇରସ୍‌। ତଥାପି ବି ସଂକଟ ଟଳିନି। ଭାଇରସ୍‌ ସଂକ୍ରମଣ ଭୟରେ ହାତୀଶାଳରୁ ଅଲଗା ହୋଇ କମଳା ସହ ରହୁଥିବା ‘ଗୌରୀ’ର ଜୀବନ ବି ବିପଦରେ। ତାକୁ ମଧ୍ୟ ଏହି ଭାଇରସ୍‌ ଆକ୍ରାନ୍ତ କରିଥାଇପାରେ ସନ୍ଦେହ କରି ନନ୍ଦନକାନନ କର୍ତ୍ତୃପକ୍ଷ ଓ ପ୍ରାଣୀ ଚିକିତ୍ସକ ଗୁରୁବାର ରାତିରୁ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ତାକୁ ସାଲାଇନ୍‌ ଓ ପ୍ରତିଷେଧକ ଦେଇ ଚିକିତ୍ସା କରାଯାଉଛି।

ଏହି ମାରାତ୍ମକ ହର୍ପିସ୍‌ ଭାଇରସ୍‌ ଏସିଆ ମହାଦେଶର ଛୁଆ ହାତୀମାନଙ୍କଠାରେ ଦେଖାଯାଏ। ଥରେ ଏହି ଭାଇରସ୍‌ରେ ସଂକ୍ରମିତ ହେଲେ ବଞ୍ଚିବା ଅସମ୍ଭବ। ଚିକିତ୍ସା ବିଜ୍ଞାନରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ନିଦାନ ବାହାରିନାହିଁ। ତେଣୁ ଗୋଟିକ ପରେ ଗୋଟିଏ ଲଗାତାର ୩ଟି ଛୁଆ ହାତୀ ଆଖି ଆଗରେ ଚାଲି ଯିବାପରେ ଆତଙ୍କ ବଢିଲାଣି। ଅନ୍ୟପକ୍ଷରେ ରାଜ୍ୟ ସରକାର ଏଯାଏ ଘଟଣାର ଗମ୍ଭୀରତା ଉପଲବ୍ଧି କରିବା ଭଳି ମନେ ହେଉନାହିଁ। ସରକାରୀସ୍ତରରେ ଏ ନେଇ ମଧ୍ୟ ତନାଘନା ନାହିଁ।

ଅନ୍ୟ ରାଜ୍ୟରୁ ବିଶେଷଜ୍ଞ ଡକାଇ ଆଲୋଚନା କରିବା ଲାଗି ମଧ୍ୟ ଜଙ୍ଗଲ ବିଭାଗ ଆଗ୍ରହ ପ୍ରକାଶ କରିନାହିଁ। ସବୁଠାରୁ ବଡ଼ କଥା ହେଲା, ଏହି ଭାଇରସର ପ୍ରଭାବ ଓଡ଼ିଶାର ଅନ୍ୟ ଜଙ୍ଗଲରେ ପଡୁଛି କି ନାହିଁ, ତାହା ମଧ୍ୟ ସରକାର ଅନୁଧ୍ୟାନ କରିନାହାନ୍ତି।

ଖବର ଅନୁସାରେ, ବୁଧବାର ସଂଧ୍ୟାରେ ‘କମଳା’ ଅଚାନକ ମାନ୍ଦାଳିଆ ହୋଇପଡ଼ିଥିଲା। ଖାଦ୍ୟ ଖାଇ ନଥିଲା। ଏହା ଦେଖି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଓ ଚିକିତ୍ସକ ତାକୁ ପ୍ରତିଷେଧକ ଟିକା ଓ ସାଲାଇନ୍‌ ଦେଇ ଚିକିତ୍ସା ଆରମ୍ଭ କରିଦେଇଥିଲେ। ରାତି ସାରା ଜଗି ରହି ତା’ର ଦେଖାରଖା କରିଥିଲେ। ଆଜି ସକାଳେ ତା’ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ତା’ର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବା ସହ ପୂର୍ବବତ୍‌ ଚିକିତ୍ସା ଜାରି ରହିଥିଲା। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ, ମାହୁନ୍ତ, ଜନ୍ତୁ ବିଭାଗ କମର୍ଚାରୀ ତାକୁ ଜଗି ରହିଥିଲେ। ନିର୍ଦ୍ଦେଶକ ଶଶି ପଲ୍ ମଧ୍ୟ ସକାଳେ ତାକୁ ନିରୀକ୍ଷଣ କରିଥିଲେ। କମଳାକୁ ବର ଡାଳ ଦେବାରୁ ସେ ଖାଇଥିଲା। ହେଲେ ତା’ର ଆଦୌ ଝାଡ଼ା, ପରିସ୍ରା ହେଉନଥିଲା। ଅପରାହ୍‌ଣ ପ୍ରାୟ ୪ଟା ବେଳେ ସେ ହର୍ପିସ୍‌ ଭାଇରସ୍‌ରେ ସଂକ୍ରମିତ ଥିବା ରକ୍ତନମୁନା ରିପୋର୍ଟରୁ ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ଓ ଚିକିତ୍ସକମାନେ କମଳା ରହୁଥିବା କଟେଜ୍‌ ନମ୍ବର ୨ରେ ତା ଚିକିତ୍ସାକୁ ନେଇ ଅଧିକ ତତ୍ପରତା ଦେଖାଇଥିଲେ।

କମଳା ସେତେବେଳକୁ ଘୁମେଇବା ସହ ବାରମ୍ବାର ପାଟି ଭିତରେ ଶୁଣ୍ଢ ପୂରାଉଥିଲା। କର୍ମଚାରୀଙ୍କ ସହାୟତାରେ ତା’ ପାଟି ମେଲା କରି ଦେଖାଯାଇଥିଲା। ପାଟି ଭିତର ଲାଲ୍ ହୋଇ ରକ୍ତାକ୍ତ ଦେଖାଯାଇଥିଲା। ସଂକ୍ରମଣ ଦ୍ରୁତଗତିରେ ବଢ଼ି ଆଭ୍ୟନ୍ତରୀଣ କ୍ଷତ ସୃଷ୍ଟି କରିଥିବାରୁ କମଳା ଜୀବନ ପ୍ରତି ବିପଦ ଘନେଇଥିବା ଅନୁମାନ କରି ଅଧିକାରୀମାନେ ନେଇଥିଲେ। ଅପରାହ୍‌ଣ ସାଢ଼େ ୪ଟାରେ ତାକୁ ପ୍ରତିଷେଧକ ଟିକା ଓ ସାଲାଇନ୍ ଦେଇ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରାଯାଇଥିଲା। କିନ୍ତୁ ମାରାତ୍ମକ ହର୍ପିସ୍‌ ହାମରାଇଟିଜ୍ ସଂକ୍ରମଣ ଆଗରେ ସବୁ ଚେଷ୍ଟା ହାର ମାନିଥିଲା। ସଂଧ୍ୟା ପ୍ରାୟ ୫ଟା ୨୦‌‌ରେ ‘କମଳା’ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲା। ଆସନ୍ତାକାଲି ଓୟୁଏଟିର ବିଶେଷଜ୍ଞ ଚିକିତ୍ସକ ତା’ର ଶବ ବ୍ୟବଚ୍ଛେଦ କରିବେ। ଅପରପକ୍ଷେ କମଳାର ମୃତ୍ୟୁ ପରେ ଏବେ ‘ଗୌରୀ’ ଓ ‘ମାମା’ଙ୍କୁ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ି ଯାଇଛି।

ଉଲ୍ଲେଖଯୋଗ୍ୟ, ‘କମଳା’କୁ ଗତ ୨୦୧୩ ମସିହା ଅଗଷ୍ଟ ୧ ତାରିଖରେ କୋରାପୁଟର ନାରାୟଣ ପାଟଣାରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ଗତ ୧୫ ତାରିଖରେ ଛୋଟ ହାତୀ ଚନ୍ଦନର ମୃତ୍ୟୁ ପରେ କମଳା ଓ ଗୌରୀଙ୍କୁ ହାତୀଶାଳରୁ ଅଲଗା କରି ଦିଆଯାଇଥିଲା। ଦୁହିଁଙ୍କୁ କଟେଜ୍‌ ନମ୍ବର ୨ରେ ରଖାଯାଇଥିଲା। ମାମା ମଧ୍ୟ ଅଲଗା ହୋଇ ଭେଟେନାରି ପାଖରେ ରହୁଛି। ତାକୁ ସେଠାରୁ ଅନ୍ୟତ୍ର ଛଡ଼ା ଯାଉନାହିଁ। ସେ ସୁସ୍ଥ ଅଛି।

ସମ୍ବନ୍ଧିତ ଖବର