ବଣାଇଁଗଡ଼ : ସୁନ୍ଦରଗଡ଼ରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଗତକାଲି ରାତିରେ ଏକ ହୃଦୟ ବିଦାରକ ଘଟଣାକ୍ରମରେ ଏକ ହାତୀ ଜଣେ ମହିଳାଙ୍କ ସାମ୍ନାରେ ତାଙ୍କର ୧୦ବର୍ଷର ପୁଅକୁ ଶୁଣ୍ଢରେ ଟାଣିନେଇ କଚାଡ଼ି ମାରିଛି। ଏହି ସମୟରେ ୪ ବର୍ଷର ଝିଅକୁ ଧରି ମହିଳା ଦୌଡ଼ି ପଳାଇବା ସମୟରେ ଝିଅଟି ପଡ଼ିଯାଇ ଗୁରୁତର ଆହତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜଙ୍ଗଲ ପାଦଦେଶସ୍ଥ ଆମରୁଢି ଗାଁର ସ୍ୱର୍ଗତଃ ଦେବେନ୍ଦ୍ର ମୁଣ୍ଡାଙ୍କ ବିଧବା ପତ୍ନୀ ସାବିତ୍ରୀ ଗତ ରାତି ଘର ପାଇଟିରେ ବ୍ୟସ୍ତ ଥିବାବେଳେ ତାଙ୍କ ପୁଅ ବିଶ୍ୱନାଥ (୧୦) ଓ ୪ ବର୍ଷର ଝିଅ ସୁନାନି ଶୋଇ ପଡ଼ିଥିଲେ। ରାତି ପ୍ରାୟ ୯ଟାରେ ୭ଟି ହାତୀ ଜଙ୍ଗଲରୁ ଆସି ଗାଁରେ ପଶିଥିଲେ। ହାତୀପଲ ପ୍ରଥମେ ସାବିତ୍ରୀଙ୍କ ଘରମୁହାଁ ହୋଇ କାନ୍ଥ ଭାଙ୍ଗି ଦେଇଥିଲେ। ସାବିତ୍ରୀ ହାତୀଙ୍କ ଉପଦ୍ରବ ଜାଣିବା ମାତ୍ରେ ନିଦରେ ଥିବା ପୁଅ-ଝିଅଙ୍କୁ ଉଠାଇ ବାହାରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଠିକ୍ ସେତିକିବେଳେ ଗୋଟିଏ ହାତୀ ବିଶ୍ୱନାଥକୁ ଶୁଣ୍ଢରେ ଟାଣି ନେଇ କଚାଡି ମାରି ଦେଇଥିଲା। ସାବିତ୍ରୀ ଛୋଟ ଝିଅକୁ ଧରି ପ୍ରାଣ ବିକଳରେ ଦୌଡ଼ି ପଳାଇବାରୁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ତେବେ ସେ ଦୌଡ଼ିବା ସମୟରେ ଝିଅ ତଳେ ପଡ଼ିଯାଇ ଆହତ ହୋଇଥିଲା।