ଗାଁ ମୁହାଁ ହାତୀପଲ : ବୁଗୁଡ଼ାରେ ୨୫ ହାତୀ, ୨ ଅସୁସ୍ଥ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ଟାକରା ସେକ୍ସନର ବୁଗୁଡ଼ା ଓ ବୁଗୁଡ଼ା କଲୋନୀ ଅଂଚଳକୁ ଗତକାଲି ରାତିରେ ଏକ ହାତୀପଲ୍ଲ ପଶି ଆସି ବ୍ୟାପକ ପଣସ ନଷ୍ଟ କରିଛନ୍ତି। ଏହି ହାତୀପଲ୍ଲ ସ୍ଥାନୀୟ ବିରିଗଡ଼ ପାହାଡ଼ରୁ ଆସି ଗାଁମୁହାଁ ହୋଇଥିବା ବେଳେ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ହାତୀପଲ୍ଲ ଏବେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟାରେ ଏହି ହାତୀପଳ୍ଲ ଗାଁ ନିକଟବର୍ତ୍ତୀ ହୋଇଥିଲେ। ହାତୀଙ୍କ ଗର୍ଜନ ଶୁଣି ଅଂଚଳବାସୀ ଭୟରେ ରହିବା ସହ ବନବିଭାଗକୁ ସୂଚନା ଦେଇଥିଲେ। ହେଲେ ହାତୀ ସମ୍ପର୍କରେ ସୂଚନା ପାଇ କୌଣସି ବନ କର୍ମଚାରୀ (ଟେରିଟୋରିଆଲ୍) ଘଟଣା ସ୍ଥଳରେ ପହଞ୍ଚି ନଥିଲେ। ଏହି ହାତୀପଲ୍ଲରେ ୨୫ ଟି ହାତୀ ରହିଥିବା ବେଳେ କିଛି ଦନ୍ତା ହାତୀଙ୍କ ସହ ୨ଟି ଅସୁସ୍ଥ ହାତୀ ଓ ୫ଟି ଛୁଆ ହାତୀ ଥିବା ଜଣାପଡ଼ିଛି। ଅସୁସ୍ଥ ହାତୀ ଦୁଇଟି ସମ୍ପୂର୍ଣ୍ଣ ଦୁର୍ବଳ ଥିବା ଜଣାପଡ଼ିଛି। କିଛି ସମୟ ଧରି ହାତୀମାନେ ବିଭିନ୍ନ ପଣସ ଗଛ ଭଙ୍ଗାରୁଜା କରିବା ସହ ପଣସ ଖାଇଥିଲେ।

ମାତ୍ର ବଡ଼କଥା ହେଉଛି ବନବିଭାଗ (ଟେରିଟୋରିଆଲ୍) ପକ୍ଷରୁ ହାତୀମାନେ ସୁରକ୍ଷିତ ଭାବରେ ଗମନାଗମନ କରିବା ପାଇଁ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଂଚଳରେ ହାତୀ ଚଲାପଥ ନିର୍ମାଣ କରାଯାଇଥିଲା। ତାର ବାଡ଼ ମାଧ୍ୟମରେ ସେମାନଙ୍କ ଚଲାପଥକୁ ସୁରକ୍ଷିତ କରାଯାଇଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ବହୁ ଭାବରେ ନଷ୍ଟ ହୋଇଛି। ଯେଉଁଥି ପାଇଁ ହାତୀମାନେ ଗାଁ ମଧ୍ୟକୁ ପଶି ଆସିବା ପାଇଁ ସୁଯୋଗ ପାଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ବିଶେଷକରି ହାତୀପଲ୍ଲ ଉପରେ କିଛି ଶିକାରୀଙ୍କ ଦୃଷ୍ଟି ରହିଥିବା ଜଣାପଡିଛି। ହାତୀ ଶିକାର କରିବା ପାଇଁ କିଛି ଶିକାରୀ ଦୈନିକ ଉକ୍ତ ଅଂଚଳରେ ପଇଁତରା ମାରୁଥିବା କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି। ମାତ୍ର ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ କହିଛନ୍ତି, ହାତୀମାନେ ବାଣିବିରି ଓ ପାନାବାରୀ ଅଂଚଳରୁ ଆସିଥିବା ବେଳେ ସେମାନେ ଏବେ ଲଙ୍ଗଳଖୋଲ ଜଙ୍ଗଲ ମଧ୍ୟକୁ ପଳାଇଛନ୍ତି। ବନବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର