ହାତୀ ପାଇଁ ୬୧୮ ଥର ରେଳ ଚଳାଚଳ ନିୟନ୍ତ୍ରିତ ହୋଇଛି

ଖୋର୍ଧା : ରାଜ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଘଟଣା ବୃଦ୍ଧି ପାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବହୁ ପରିବେଶବିତ୍ ଉଦବେଗ ପ୍ରକାଶ କଲେଣି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ହେଉ କିମ୍ବା ହାତୀ ମଣିଷ ସଂଘର୍ଷରୁ ହେଉ ଅଥବା ରେଳ ଧାରଣାରେ ଚଳପ୍ରଚଳ କାରଣରୁ ହେଉ ହାତୀମାନେ ଯେ ଅସୁରକ୍ଷିତ ତାହା କ୍ରମାଗତ ବୃଦ୍ଧି ପାଉଥିବା ହାତୀ ମୃତ୍ୟୁ ଘଟଣାରୁ ସ୍ପଷ୍ଟ ହୋଇଛି। ଏଥିପାଇଁ ବନବିଭାଗ ଠାରୁ ଆରମ୍ଭ କରି ପରିବେଶବିତ୍‍ଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଅପରପକ୍ଷେ, ୨୦୧୩ ମସିହାରେ ରମ୍ଭା ଠାରେ ଟ୍ରେନ୍‍ ଧକ୍କାରେ ୪ଟି ହାତୀଙ୍କର ମୃତ୍ୟୁ ପରଠାରୁ ରେଳଲାଇନ୍ କଡ଼ ଜଙ୍ଗଲ ଓ ହାତୀ ଚଳପ୍ରଚଳ ହେଉଥିବା ରେଲଲାଇନରେ ହାତୀଙ୍କ ସୁରକ୍ଷା ପାଇଁ ବିଶେ‌ଷ ଧ୍ୟାନ ଦିଆଯାଇଛି। ଫଳରେ ଗତ ୬ ବର୍ଷ ମଧ୍ୟରେ ଖୋର୍ଧା ଜିଲ୍ଲାର ଖୋର୍ଧା, ଚନ୍ଦକା ଓ ଚିଲିକା ବଣ୍ୟପ୍ରାଣୀ ବନଖଣ୍ଡରେ ପ୍ରାୟ ୪୫୦ଟି ଘଟଣାରେ ହାତୀମାନଙ୍କୁ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା କରାଯାଇପାରିଥିବା ଜଣାପଡ଼ିଛି । କେବଳ ଗତ ଅକ୍ଟୋବର ସୁଦ୍ଧା ସମଗ୍ର ଇଷ୍ଟକୋଷ୍ଟ ରେଳବାଇର ଖୋର୍ଧା ଡିଭିଜନ ଅନ୍ତର୍ଗତ ୮ଟି ବନଖଣ୍ଡ ଅଞ୍ଚଳରେ ମୋଟ ୬୧୮ଟି ଘଟଣାରେ ସତର୍କତା ଅବଲମ୍ୱନ କରାଯାଇ ହାତୀମାନଙ୍କୁ ରକ୍ଷା କରାଯାଇଥିବା ଖୋର୍ଧା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଥାଉ କି, ୨୦୧୩ ମସିହା ରମ୍ଭାଠାରେ ଟ୍ରେନ୍‍ ଧକ୍କାରେ ୪ଟି ହାତୀଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ରେଳବାଇ ଓ ବନ ବିଭାଗର ଉଚ୍ଚସ୍ତରୀୟ ବୈଠକ ବସି ଏକ କୋର୍ଡିନେଟିଂ ମେକାନିଜିମ‍ର ବିକାଶ କରାଯାଇଥିଲା। ତଦନୁଯାୟୀ ହାତୀ ରେଲଲାଇଡ଼୍‍ କଡ଼ ଆଡ଼କୁ ମୁହାଁଇଲେ ବନ ବିଭାଗ ଏ ସମ୍ପର୍କରେ ରେଳ ବିଭାଗକୁ ଅବଗତ କରାଇ ଟ୍ରେନ୍‍ ଚଳାଚଳ ଉପରେ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ପରିପ୍ରେକ୍ଷୀରେ ଗତ ଅକ୍ଟୋବର ସୁଦ୍ଧା ଖୋର୍ଧା ବନ ଖଣ୍ଡ ଅଧୀନରେ ମାତ୍ର ୩୪ଟି ସେହିପରି ଘଟଣା ଘଟିଛି। ବନ ବିଭାଗ ପକ୍ଷରୁ ରେଳବାଇ କର୍ତୃପକ୍ଷଙ୍କୁ ପୂର୍ବରୁ ସୂଚନା ଦିଆଯିବା ଦ୍ୱାରା ହାତୀମାନେ ରେଳ ଲାଇନ୍‍ ପାର ବେଳେ କୌଣସି ଦୁର୍ଘଟଣା ଘଟି ନାହିଁ। ସେହିପରି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ଏହି ସମୟ ମଧ୍ୟରେ ୪ଟି ଅନୁରୂପ ଘଟଣାରେ ହାତୀମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରାଯାଇ ପାରିଛି । ଏହି ସମୟ ମଧ୍ୟରେ ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୨୬୯ ଥର ହାତୀ ରେଳଲାଇନ୍‍ କଡ଼କୁ ଆସିଯାଇଥିବା ଜଣାପଡ଼ିବା ପରେ ରେଳବାଇ କର୍ତୃପକ୍ଷଙ୍କୁ ଅବଗତ କରାଯାଇ ରେଳ ଚଳାଚଳକୁ ନିୟନ୍ତ୍ରଣ କରାଯାଇଛି । ସେହିପରି କଟକ ବନଖଣ୍ଡ ଅଞ୍ଚଳରେ ୨୨୫ ଥର, ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ୨୪ ଥର, କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ୭୧ ଥର, ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ୧୦ ଥର ଏବଂ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ୪୪ ଥର ହାତୀ ରେଳଲାଇନ୍‍ କଡ଼କୁ ଆସିଯାଇଥିବା ଜଣାପଡ଼ିବା ପରେ ରେଳ ଚଳାଚଳକୁ ନିୟନ୍ତ୍ରଣ କରାଯାଇଛି । ସେହିପରି ଏହି ୮ଟି ବନଖଣ୍ଡ ଅଞ୍ଚଳରେ ୨୦୧୭ ମସିହାରେ ୪୭୫ ଥର , ୨୦୧୬ ମସିହାରେ ୧୫୪୯ ଥର, ୨୦୧୫ ମସିହାରେ ୧୪୫୬ ଥର, ୨୦୧୪ ମସିହାରେ ୧୮୫୭ ଥର ଏବଂ ୨୦୧୩ ମସିହାରେ ୫୭୪ ଥର ସତର୍କତା ଅବଲମ୍ୱନ କରାଯାଇ ହାତୀମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରାଯାଇଥିବା ଖୋର୍ଧା ବନ ବିଭାଗ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧିତ ଖବର