କମିଟି ଗଠନ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୁଧ ଓ ଜରିମାନା ସହିତ ଏଣ୍ଟି୍ର ଟ୍ୟାକ୍ସ ଆଦାୟ ନୋଟିସ୍‌କୁ ନେଇ ବିବାଦ

କଟକ : ସୁପ୍ରିମକୋର୍ଟରେ ମାମଲା ଜିତିବା ପରେ ରାଜ୍ୟ ସରକାର ବକେୟା ଏଣ୍ଟି୍ର ଟ୍ୟାକ୍ସ ଆଦାୟ ପାଇଁ ଆରମ୍ଭ କରିଥିବା ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି। ବକେୟା ଥିବା ଏଣ୍ଟି୍ର ଟ୍ୟାକ୍ସ ସହିତ ଏହା ଉପରେ ସୁଧ ଓ ଓ ଜରିମାନା ଆଦାୟ ପାଇଁ ବାଣିଜ୍ୟକର ବିଭାଗ ପକ୍ଷରୁ ବିଭିନ୍ନ ଡିଲରଙ୍କୁ ନୋଟିସ୍‌ ଜାରି କରାଯାଇଛି। ବକେୟା ଥିବା ଏଣ୍ଟ୍ରି ଟ୍ୟାକ୍ସ ଆଦାୟ ବେଳେ କେତେକ କ୍ଷେତ୍ରରେ ବାର୍ଷିକ ୧୨ ପ୍ରତିଶତ ଓ ଅନ୍ୟ କେତେକ କ୍ଷେତ୍ରରେ ୨୪ ପ୍ରତିଶତ ସୁଧ ଅଦାୟ ପାଇଁ ବାଣିଜ୍ୟକର ବିଭାଗ ନୋଟିସ୍‌ ଦେଇଛି। ବକେୟା ଥିବା ଏଣ୍ଟି୍ର ଟ୍ୟାକ୍ସ ପରିମାଣ ଠାରୁ ସୁଧ ଓ ଜରିମାନାର ପରିମାଣ ଢେର ଅଧିକ ହୋଇଥିବାରୁ ବ୍ୟବସାୟୀ ମହଲ ଚିନ୍ତା ପ୍ରକଟ କରିଛି। କେତେକ କ୍ଷେତ୍ରରେ ସୁଧ ଓ ଜରିମାନା ରାଶି ବକେୟା ଥିବା ଏଣ୍ଟ୍ରି ଟ୍ୟାକ୍ସଠାରୁ ମଧ୍ୟ ଅଧିକ। ବକେୟା ଏଣ୍ଟି୍ର ଟ୍ୟାକ୍ସ ଅଦାୟକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ହାଇକୋର୍ଟ ଏ ପ୍ରସଂଗରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ମୁଖ୍ୟ ଶସନ ସଚିବଙ୍କୁ ଏହି ବିବାଦ ସମାଧାନ ପାଇଁ ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ସଚିବ, ବାଣିଜ୍ୟକର କମିସନର ଓ ଅନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କମିଟି ନିକଟରେ ବକେୟା ଏଣ୍ଟି୍ର ଟ୍ୟାକ୍ସ ପ୍ରସଂଗକୁ ନେଇ ଡିଲରମାନେ ଅଭିଯୋଗ ଉପସ୍ଥାପନ କରିବେ। ନିର୍ଦ୍ଦିିଷ୍ଟ ମାମଲାରେ କମିଟି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେଇ ପାରିବେ କିମ୍ବା କମିଟି ଏଥିପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ମଧ୍ୟ ଜାରି କରିପାରିବେ ବୋଲି ଖଣ୍ଡପୀଠଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ସୁଧ ଓ ଜରିମାନା ସହିତ ଏଣ୍ଟି୍ର ଟ୍ୟାକ୍ସ ଆଦାୟ ପାଇଁ ଆରମ୍ଭ କରାଯାଇଥିବା ପ୍ରକ୍ରିୟା ଯୋଗୁଁ ବିବାଦ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା ସହିତ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବା ଉଚିତ। ବକେୟା ଏଣ୍ଟି୍ର ଟ୍ୟାକ୍ସ ସୁଧ ଓ ଜରିମାନା ଆଦାୟକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ସମାଧାନ ପାଇଁ ଉଦ୍ୟମ ହେବା ଉଚିତ। ବକେୟା ଏଣ୍ଟି୍ର ଟ୍ୟାକ୍ସ ଉପରେ ସୁଧ ଓ ଜରିମାନା ପ୍ରସଂଗକୁ ବିଚାରକୁ ନେଇ ପ୍ରଶାସନ ସମାଧାନର ପନ୍ଥା ବାହାରକରି ଏଥିପାଇଁ ସ୍ୱତନ୍ତ୍ର ନିୟମାବଳୀ କରିଲେ ଏହା ରାଜସ୍ୱ ଆଦାୟରେ ସହାୟକ ହେବ ଓ ବିଭିନ୍ନ ଅଦାଲତରେ ମାମଲାର ସଂଖ୍ୟା ମଧ୍ୟ ହ୍ରସ କରିବ। ଏପରି ପରିସ୍ଥିତିରେ କମିଟି ଏ ପ୍ରସଂଗରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସେରାମିକ୍‌ ସେଲ୍ସ କର୍ପୋରେସନ୍‌ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭବାନୀ ପ୍ରସାଦ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଉତ୍ପାଦନ ହେଉ ନଥିବା ସାମଗ୍ରୀ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ବେଳେ ଏହା ଉପରେ ଏଣ୍ଟ୍ରିଟ୍ୟାକ୍ସ ଆଦାୟକୁ ବିରୋଧ କରି ଡିଲରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରି ସାମଗ୍ରୀ ଉପରୁ ଏଣ୍ଟି୍ର ଟ୍ୟାକ୍ସ ଆଦାୟ କରାଯାଇପାରିବ ନାହିଁ ବୋଲି ୨୦୦୮, ଫେବ୍ରୁଆରି ୧୮ରେ ହାଇକୋର୍ଟ ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ବିିଚରାଧୀନ ଥିବାବେଳେ ଏପରି ସାମଗ୍ରୀ ଉପରୁ ପ୍ରସ୍ତାବିତ ଏଣ୍ଟି୍ର ଟ୍ୟାକ୍ସର ଏକ ତୃତୀୟାଂଶ(୩୩.୧%) ଆଦାୟ ପାଇଁ ୨୦୧୦, ଫେବ୍ରୁଆରି ୩ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଅନ୍ତରୀଣ ଅନୁମତି ଦେଇଥିଲେ। ଯଦି ସରକାର ମାମଲା ହାରିଥାନ୍ତେ ତେବେ ଏହି ଟଙ୍କା ଡିଲରଙ୍କୁ ଫେରାଇଥାନ୍ତେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ୨୦୧୭, ମାର୍ଚ୍ଚ ୨୮ର ରାୟ ଯାଇଥିଲା। ଏହାପରେ ସରକାର ପୁରୁଣା ତାରିଖରୁ ବକେୟା ଥିବା ଦୁଇ ତୃତୀୟାଂଶ ଏଣ୍ଟି୍ରଟ୍ୟାକ୍ସ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ବକେୟା ଏଣ୍ଟି୍ରଟ୍ୟାକ୍ସ ଉପରେ ମୋଟା ଆକାରରେ ସୁଧ ଓ ଜରିମାନା ଅଦାୟ ପାଇଁ ବାଣିଜ୍ୟକର କମିସନର ୨୦୧୭, ମାର୍ଚ୍ଚ ୨୩ରେ ସର୍କୁଲାର ଜାରି କରିଥିଲେ। ଏପରି ପରିସ୍ଥିତିରେ ମୂଳ ଏଣ୍ଟି୍ର ଟ୍ୟାକ୍ସର ବହୁ ଗୁଣ ଟଙ୍କା ଡିଲରମାନଙ୍କ ଠାରୁ ଆଦାୟ ପାଇଁ ନୋଟିସ୍‌ ଜାରି କରିଥିଲା ବାଣିଜ୍ୟକର ବିଭାଗ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଡିଲରମାନେ ଏଣ୍ଟ୍ରିଟ୍ୟାକ୍ସ ବାବଦରେ ଅର୍ଥ କାହାଠାରୁ ରଖି ନଥିଲେ। ଏବେ ଏତେ ପରିମାଣର ଅର୍ଥ ଏକ ସଙ୍ଗେ ପଇଠ ପାଇଁ ନୋଟିସ ପାଇ ସମସ୍ୟାରେ ପଡିଥିଲେ। ଏ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇିଥିବା ବେଳେ କମିଟି ଗଠନ କରି ଏହି ପ୍ରସଂଗରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ୟବସାୟୀମାନେ ଆଶ୍ୱସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର