କାରଖାନା ଆଇନରେ ବଡ଼ ପରିବର୍ତନ

ଭୁବନେଶ୍ବର : କରୋନା ଲାଗି ଶିଳ୍ପ କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଛି। ଏଣୁ ଏ କ୍ଷେତ୍ରରେ ସୁଧାର ଆଣି ଅଧିକ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ କ୍ଷତିଗ୍ରସ୍ତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପରେ ଶ୍ରମିକ-କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାର ପ୍ରଚଳିତ କାରଖାନା ଆଇନ-୧୯୪୮ରେ ଏକ ବଡ଼ ପରିବର୍ତନ କରିଛନ୍ତି। ସଂପ୍ରତି ବିଧାନସଭା ଚାଲୁନଥିବା ପରିପ୍ରେକ୍ଷୀରେ ଏହାକୁ ଅଧ୍ୟାଦେଶ ମାଧ୍ୟମରେ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲଗାଇଛି।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟସଚିବ କହିଛନ୍ତି, କାରଖାନା ଆଇନ ପରିସରକୁ ଆସିବା ପାଇଁ ସର୍ବନିମ୍ନ ଶ୍ରମିକ ନିୟୋଜନ ସୀମାର ବୃଦ୍ଧି କରାଯାଇଛି। ପୂର୍ବରୁ ବୈଦ୍ୟୁତିକ ଶକ୍ତି ପ୍ରୟୋଗ ସହିତ ଅନ୍ୟୂନ ୧୦ ଜଣ ଓ ବୈଦ୍ୟୁତିକ ପ୍ରୟୋଗ ବିନା ଅନ୍ୟୂନ ୨୦ ଜଣ ଶ୍ରମିକ ନିୟୋଜନର ସୀମାକୁ ଆଜି କ୍ୟାବିନେଟ୍ ୫୦କୁ ବଢ଼ାଇ ଦେଇଛନ୍ତି। ମାତ୍ର ବିପଦସଙ୍କୁଳ ନିର୍ମାଣ କାରଖାନାମାନଙ୍କରେ ଯେତେ ସଂଖ୍ୟକ ଶ୍ରମିକ କାର୍ଯ୍ୟରତ ଥିଲେ ମଧ୍ୟ ଏହା କାରଖାନା ଆଇନ ପରିସରଭୁକ୍ତ ହେବେ।

DNA India

ଯେଉଁ ବିପଦସଙ୍କୁଳ କାରଖାନାର ସର୍ବାଧିକ ଶ୍ରମିକ ନିୟୋଜନ କ୍ଷମତା ୨୦ରୁ ଅଧିକ ଓ ୫୦ରୁ କମ୍, ସେଗୁ଼ଡିକୁ ସରକାରଙ୍କ ନିର୍ଧାରଣ ଅନୁଯାୟୀ ଏକକାଳୀନ ପଞ୍ଜୀକରଣ କରାଯିବ। ଏଥିପାଇଁ ସେମାନଙ୍କୁ ସରକାରୀ ଦେୟ, ନକ୍ସା ମଞ୍ଜୁରି, ସନନ୍ଦ ନବୀକରଣ, ନିୟମିତ ନିରୀକ୍ଷଣରୁ ମୁକ୍ତ କରାଯିବ। ମାତ୍ର ଆତ୍ମ ପ୍ରମାଣିତ ପତ୍ର ଓ ବାର୍ଷିକ ବିବରଣୀ ସେମାନେ ପ୍ରଦାନ କରିବେ। ତ୍ରୈମାସିକ ଅଧିକାଳିକ (ଓଭରଟାଇମ) ସମୟର ଅବଧି ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି। ସହମତି ଭିତ୍ତିରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ମଧ୍ୟରେ ମହିଳା ଶ୍ରମିକଙ୍କୁ ନିୟୋଜନ କରାଯାଇପାରିବ। ମାତ୍ର ଏଥିପାଇଁ ପର୍ଯ୍ୟାପ୍ତ ସୁରକ୍ଷା, କଲ୍ୟାଣ ଓ ନିରାପତ୍ତା ସହିତ ଅଭୟାଶ୍ରୟର ବ୍ୟବସ୍ଥା କର୍ତୃପକ୍ଷ ସୁନିଶ୍ଚିତ କରିବେ ବୋଲି ସରକାର କହିଛନ୍ତି। ଅର୍ଜିତ ଛୁଟି ଉପଲବ୍ଧର ସୀମା ୨୪୦ ପାରିଶ୍ରମିକ ଦିବସରୁ ୧୮୦ ପାରିଶ୍ରମିକ ଦିବସକୁ ହ୍ରାସ କରାଯାଇଛି। ଆଇନ ଅଦାଲତରେ ଅଯଥାରେ ଛନ୍ଦି ନ ହେବା ପାଇଁ ମୌଖିକ ଛୋଟମୋଟ ତ୍ରୁଟି ନିମନ୍ତେ ମକଦ୍ଦମା ରୁଜୁ କରାଯିବ ନାହିଁ ବରଂ ସିଡ୍ୟୁଲ ୪ ଅନୁସାରେ ଜରିମାନା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର