ବିଷ ପିଇ ଜୀବନ ହାରିଲେ ଯୁବଚାଷୀ

ଚିତ୍ରଡ଼ା : ଫସଲ ହାନି ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ହଳଦୀପାଳ ଗାଁର ଜଣେ ଯୁବଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀ ହେଉଛନ୍ତି ଜଗଦୀଶ ବେହେରା (୨୯)। ସେ ଲ୍ୟାମ୍ପ୍‌ସ ଓ ବ୍ୟାଙ୍କରୁ ଋଣ ନେଇ ଦେଢ଼ଏକର ଜମିରେ ଧାନଚାଷ କରିଥିଲେ। ପ୍ରଥମେ ଗଜା ମରୁଡ଼ି, ପରେ ପୋକ ଲାଗି ଫସଲ ନଷ୍ଟ ହୋଇଥିଲା। ଆଉ ଯାହାଥିଲା, ଧାନ ପାଚିଲା ବେଳେ ଲଘୁଚାପ ବର୍ଷାରେ ଗଜା ହୋଇଗଲା। ନିଜ ଚାଷର ଏଭଳି ଅବସ୍ଥା ଓ ଋଣ ଶୁଝିବା ଚିନ୍ତାରେ ଦୁଇଦିନ ହେବ ଭାରାକ୍ରାନ୍ତ ହୋଇ ପଡ଼ିଥିଲେ। ଶେଷରେ ଗତକାଲି ଘରେ କେହି ନଥିଲାବେଳେ କୀଟନାଶକ ପିଇଦେଇଥିଲେ। ଏହା ଜଣାପଡ଼ିବା ପରେ ତାଙ୍କୁ ପ୍ରଥମେ ବାରିପଦା ପିଆର୍‌ଏମ୍‌ ମେଡିକାଲ ଓ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଉଥିଲା। ହେଲେ କଟକରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଚିତ୍ରଡ଼ା ଫାଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ କରାଇ କେସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର