ଡିଲର ଆକାଉଣ୍ଟରେ ଚାଷୀଙ୍କ ଋଣ ଟଙ୍କା, ପାୱାରଟିଲର ପାଇଁ ୧୨ ଚାଷୀ ବାରଦୁଆର

କେନ୍ଦୁଝର : କୃଷକଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ ‌ହେଉଛି। ମାତ୍ର କୃଷକଙ୍କ ପାଖରେ ଏହି ଯୋଜନାର ପ୍ରକୃତ ସୁଫଳ ମିଳୁନାହିଁ। କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଅଞ୍ଚଳର ଚାଷୀଙ୍କ ନାମରେ ପାୱାର ଟିଲର କିଣାରେ ହୋଇଥିବା ଜାଲିଆତି ଘଟଣା ଏହାର ଜ୍ବଳନ୍ତ ଉଦାହରଣ। କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଅଞ୍ଚଳର ପ୍ରାୟ ୧୨ ଜଣ ଚାଷୀ ୨୦୧୫ ରେ ଋଣ କରି ପାୱାର ଟିଲର କିଣିବା ପାଇଁ ଆନ୍ଧ୍ର ବ୍ୟାଙ୍କରେ ମାର୍ଜିନ ମନି ବା ପାୱାର ଟିଲରର ମୂଲ୍ୟରୁ ୩୫ ହଜାର ଟଙ୍କା ଦାଖଲ କରିଥିଲେ।

ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଇଁଣ୍ଡା ଗ୍ରାମର ରାଜକିଶୋର ବେହେରା, ତୁରୁମୁଙ୍ଗା ଗ୍ରାମର ଶଙ୍କର୍ଷଣ ସାହୁ, ଡୁମୁରିଗୁଡ଼ା ଗ୍ରାମର ସରୋଜ କୁମାର ମହାନ୍ତ, ଚେମଣା ଗ୍ରାମର ନିରାକାର ମହାନ୍ତ, ତୁରୁମୁଙ୍ଗା ଗ୍ରାମର ଅରୁଣ କୁମାର ସାହୁ, ଲକ୍ଷ୍ମଣ କୁମାର ସିଂ, ଦାଶରଥିପୁର ଗ୍ରାମର ଯୁଧିଷ୍ଠିର ମହାନ୍ତ, ଫୁଲକଅଁଳେଇ ଗ୍ରାମର ଶତ୍ରୁଘ୍ନ କର ଚୌଧୁରୀ, ମହେନ୍ଦ୍ର ମହାନ୍ତ, ପୁଟୁଗାଁର ରୂପନାଥ ମହାନ୍ତ, ଚେମଣା ଗାଁର ପଦ୍ମଲୋଚନ ମହାନ୍ତ ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଆନ୍ଧ୍ର ବ୍ୟାଙ୍କରେ ୩୫ ହଜାର ଟଙ୍କାଲେଖାଏଁ ଜମା କରିଥିଲେ। ପାୱାର ଟିଲର ମୂଲ୍ୟ ୧ ଲକ୍ଷ ୩୫ ହଜାର ଟଙ୍କା ହୋଇଥିବାରୁ ୩୫ ହଜାର ଟଙ୍କା ବ୍ୟାଙ୍କରେ ଜମା କରିବା ପରେ ନିୟମ ଅନୁସାରେ ପାୱାରଟିଲର ଡିଲର ତଥା ତୁରୁମୁଙ୍ଗାର ତାରିଣୀ ଏଣ୍ଟରପ୍ରାଇଜେସ୍‌କୁ ବ୍ୟାଙ୍କ ପକ୍ଷରୁ ଡେଲିଭରି ଅର୍ଡର ବା ଡିଓ ଦେବା କଥା। ସଂପୃକ୍ତ ତାରିଣୀ ଏଣ୍ଟରପ୍ରାଇଜେସ୍‌ ବ୍ୟାଙ୍କରୁ ଡିଓ ପାଇବା ପରେ ସଂପୃକ୍ତ ଚାଷୀଙ୍କୁ ପାୱାର ଟିଲର ଯୋଗାଇବା କଥା। ବିଲ୍‌ ଦେବା ପରେ ବ୍ୟାଙ୍କ ଟଙ୍କା ଦେବା କଥା। କିନ୍ତୁ ଡିଲର ମୂଳରୁ ପାୱାର ଟିଲର ଦେଲେନାହିଁ। ଅନ୍ୟପଟେ ସଲାସୁତୁରାରେ ତତ୍‌କାଳୀନ ଆନ୍ଧ୍ର ବ୍ୟାଙ୍କ କେନ୍ଦୁଝର ଶାଖାର ମ୍ୟାନେଜର ସଂପୃକ୍ତ ଡିଲର ତାରିଣୀ ଏଣ୍ଟରପ୍ରାଇଜେସ୍‌କୁ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ଫଳରେ ଚାଷୀମାନେ ଆଉ ପାୱର ଟିଲର ପାଇଲେ ନାହିଁ। ବ୍ୟାଙ୍କରେ ଟଙ୍କା ଜମା କରିବା ପରେ ଦୀର୍ଘଦିନ ବିତିଯିବା ସତ୍ତ୍ବେ ପାୱାର ଟିଲର ନ ମିଳିବାରୁ ଚାଷୀମାନେ ବାରମ୍ବାର ବ୍ୟାଙ୍କରେ ଅଭିଯୋଗ କରିଥିଲେ। ଖୁବ୍‌ଶୀଘ୍ର ମିଳିବ ବୋଲି ବ୍ୟାଙ୍କ ମ୍ୟାନେଜର କିଶୋର ନାଏକ ପ୍ରତିଶ୍ରୁତି ଦେଇଥିଲେ। ବାସ୍ତବ କଥା ହେଉଛି, ଚାଷୀଙ୍କ ନାମରେ ପାୱରଟିଲର ଋଣ କରି ଜାଲିଆତି କରାଯାଇଛି ବୋଲି ଜାଣିବା ବେଳକୁ ‘ନେଡ଼ି ଗୁଡ କହୁଣି’କୁ ବୋହି ଯାଇଥିଲା।

ତଥ୍ୟ ଅନୁସାରେ, ବ୍ୟାଙ୍କ ପକ୍ଷରୁ ସଂପୃକ୍ତ ଡିଲର ତାରିଣୀ ଏଣ୍ଟରପ୍ରାଇଜେସ୍‌କୁ ଡ୍ରାଫ୍ଟ ଯୋଗେ ଟଙ୍କା ଦିଆଯାଇଥିଲା। ଆକାଉଣ୍ଟ ନମ୍ବର-୧୨୯୯୧୩୧୦୦୦୦୦୩୮୦ରେ ଡ୍ରାଫ୍ଟ ଯୋଗେ ପ୍ରଥମେ ୨୯.୫.୨୦୧୫ରେ ଦୁଇଟି ପାୱର ଟିଲର ବାବଦ ଟଙ୍କା ୨ ଲକ୍ଷ ୭୦ ହଜାର ଦିଆଯାଇଥିଲା। ଏହାପରେ ୧.୬.୨୦୧୫ରେ ୧ଲକ୍ଷ ୩୪ ହଜାର ଟଙ୍କା, ୩.୬.୨୦୧୫ରେ ୪ଟି ପାୱର ଟିଲର ବାବଦରେ ୫ ଲକ୍ଷ ୨୭ ହଜାର ଟଙ୍କା ଏବଂ ୧୧.୬.୨୦୧୫ରେ ଡ୍ରାଫ୍ଟ ଯୋଗେ ୫ଟି ପାୱାର ଟିଲର ବାବଦରେ ୬ଲକ୍ଷ ୭୧ ହଜାର ଟଙ୍କା ସଂପୃକ୍ତ ଡିଲରଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ଚାଷୀମାନେ ପାୱାର ଟିଲର ପାଇବା ପରେ ସଂପୃକ୍ତ ଡିଲରଙ୍କୁ ବ୍ୟାଙ୍କ ଟଙ୍କା ପଇଠ କରିବା କଥା। ତାହା କରା ନ ଯାଇ କାହିଁକି ଡିଲରଙ୍କୁ ଆଗୁଆ ଟଙ୍କା ଦିଆଯାଇଥିଲା ବୋଲି ଏବେ ପ୍ରଶ୍ନ ଉଠୁଛି। ଦ୍ବିତୀୟରେ ସଂପୃକ୍ତ ଚାଷୀମାନେ ଏନେଇ ବାରମ୍ବାର ତତ୍‌କାଳୀନ ବ୍ୟାଙ୍କ ମ୍ୟାନେଜରଙ୍କୁ ଜଣାଇଥିଲେ ବି ତାଙ୍କ ଅଭିଯୋଗକୁ ସେ ଶୁଣି ନ ଥିଲେ।

ସମ୍ବନ୍ଧିତ ଖବର