ଦିବାଲୋକରେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା; ଆହତ ବ୍ୟବସାୟୀ ସ୍କୁଟି ଚଢ଼ି ଚିକିତ୍ସା ପାଇଁ ନିଜେ ଗଲେ ହସ୍‌ପିଟାଲ୍‌

ନାଲକୋ ନଗର: ନାଲକୋ ରେଲୱେ ଲାଇନ ନିକଟରେ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା କରିବା ପରେ ବ୍ୟବସାୟୀଙ୍କୁ ଦିବାଲୋକରେ କଟୁରୀରେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଆହତ ଯୁବକ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମ ପାଟଣା ସାହିର ବିପିନ ବିହାରୀ ନାହାକ ( ୩୨ ) ବୋଲି ଜଣାପଡ଼ିଛି। ସେ ବୁଲି ବୁଲି ବିଭିନ୍ନ ହାଟରେ ତେଜରାତି ଓ ଟମାଟୋ ବ୍ୟବସାୟ କରନ୍ତି।

ତେବେ ବଅଁରପାଳ ଥାନା ଅନ୍ତର୍ଗତ ପାଣିଓଳା ଠାରେ ଆଜି ଅପରାହ୍ନ ୧.୩୦ସମୟରେ ବିପିନ ବିହାରୀ ନାହାକ ଥର୍ମାଲ ହାଟରୁ ବେପାର ସାରି ପାଣିଓଳା ରାସ୍ତା ଦେଇ ଯାଉଥିବା ନାଲକୋ ରେଲୱେ ଲାଇନ ନିକଟରେ ଗୋଟିଏ କଳା ରଙ୍ଗର ହୋଣ୍ଡା ୟୁନିକନ ନମ୍ବର ବିହୀନ ବାଇକରେ ତିନିଜଣ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରିଥିଲେ।

ବ୍ୟବସାୟୀ ଜଣଙ୍କ ଖାତିର ନକରିବାରୁ ଦୁର୍ବୃତ୍ତମାନେ ଆଣିଥିବା ଧାରୁଆ କଟୁରୀରେ ଦୁଇ ହାତ କାନ୍ଧରେ ହାଣି ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବ୍ୟବସାୟୀ ଜଣଙ୍କ ବାମ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଡାହାଣ ହାତରେ ସାମାନ୍ୟ ଆଘତ ଲାଗିଥିବା ବେଳେ ସେ ସ୍କୁଟିରୁ ତଳକୁ ପଡ଼ି ଯାଇଥିଲେ।

ଦୁର୍ବୃତ୍ତମାନେ ଟଙ୍କା ଥିବା ଆଶାରେ ବ୍ୟବସାୟୀଙ୍କ ସ୍କୁଟି ଡ଼ିକି ଖୋଲି ଥିଲେ। ହେଲେ କିଛି ନମିଳିବାରୁ ଦୂରରୁ ଆସୁଥିବା ଏକ କାରକୁ ଦେଖି ସେମାନେ ଚାଲି ଯାଇଥିଲେ। ଦୁର୍ବୃତ୍ତମାନେ ଚାଲିଗଲା ପରେ ବ୍ୟବସାୟୀ ଜଣଙ୍କ ରାସ୍ତା କଡ଼ରୁ ଉଠି ନିଜ ସ୍କୁଟି ଯୋଗେ ନାଲକୋ ଡାକ୍ତରଖାନାକୁ ଆସି ପ୍ରାଥମିକ ଚିକିତ୍ସା କରାଇଥିଲେ। ଖବର ପାଇ ପରିବାର ଲୋକ ନାଲକୋ ଡାକ୍ତର ଖାନାରେ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର