ଆଜିଠାରୁ ହୀରାକୁଦରେ ମାଛ ଧରା ବନ୍ଦ

ପାତରଅନ୍ତର ଜାରି,ବନ୍ଧ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ନୋହିଲା, ସମ୍ବଲପୁର ପ୍ରଶାସନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ ନାହିଁ

0

ସମ୍ବଲପୁର : ମାଛର ପ୍ରଜନନ ସମୟ ଜୁନ ୧୫ ତାରିଖରୁ ହୀରାକୁଦ ଜଳ ଭଣ୍ଡାରରୁ ମାଛ ଧରିପାରିବେ ନାହିଁ ମତ୍ସ୍ୟଜୀବୀ। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି ରହିବ ବୋଲି ମତ୍ସ୍ୟ ବିଭାଗ ଉପନିର୍ଦେଶକ ପବିତ୍ର ବେହେରା କହିଛନ୍ତି। ଅନ୍ୟଦିଗରେ ସମୁଦ୍ର ମତ୍ସ୍ୟଜୀବୀଙ୍କ ଭଳି ଜଳଭଣ୍ଡାର ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ବର୍ଷେ ପରେ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ। ଏଥିଯୋଗୁଁ ପ୍ରତ୍ୟେକ ବର୍ଷ ଏହି ୨ ମାସ ହୀରାକୁଦ ଜଳଭଣ୍ଡାରର ୪ ହଜାର ମତ୍ସ୍ୟଜୀବୀ ଯେଉଁ ଆର୍ଥିକ ସଙ୍କଟ ସାମ୍ନା କରି ଆସୁଛନ୍ତି ଚଳିତ ବର୍ଷ ଏହାର ସମାଧାନ ଆଶା ମଉଳି ଯାଇଛି।

ମାଛ ଚାଷ ପାଇଁ ହୀରାକୁଦ ଜଳଭଣ୍ତାର ଉପରେ ନିର୍ଭର କରନ୍ତି ସମ୍ବଲପୁର, ବରଗଡ଼ ଏବ˚ ଝାରସୁଗୁଡ଼ାର ପ˚ଜୀକୃତ ୪ ହଜାର ମତ୍ସ୍ୟଜୀବୀ। ଏଥିସହିତ ୫ ହଜାର ଅଣପ˚ଜୀକୃତ ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ଏଥି ଉପରେ ନିର୍ଭରଶୀଳ। ଜୁନ ୧୫ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ମାଛ ପ୍ରଜନନ ନିଷେଧାଦେଶ ସମୟରେ ଏହି ମତ୍ସ୍ୟଜୀବୀମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି। ଚିକିତ୍ସା କିମ୍ବା ସନ୍ତାନଙ୍କ ନାମଲେଖା ପାଇଁ ଅଚାନକ ଟଙ୍କା ଆବଶ୍ୟକ ହେଲେ ଏହି ଆବଶ୍ୟକତା ପୂରଣ ସେମାନଙ୍କ ପାଇଁ ସହଜ ହୁଏ ନାହିଁ। ସମୁଦ୍ର ମତ୍ସ୍ୟଜୀବୀଙ୍କ ଭଳି ହୀରାକୁଦ ନଦୀବନ୍ଧ ମତ୍ସ୍ୟଜୀବୀଙ୍କୁ ନିଷେଧାଦେଶ ସମୟରେ ସରକାରୀ ସହାୟତା ଦାବି ନେଇ ୨୦୧୮ ମସିହାରେ ହୀରାକୁଦ ନଦୀବନ୍ଧର ମତ୍ସ୍ୟଜୀବୀମାନେ ତତକାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ନିଷେଧାଦେଶର ୨ ମାସ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ମତ୍ସ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇ ଥିଲା। ଏହି ପ୍ରସ୍ତାବ ଅନୁଯାୟୀ, ମାଛ ଚାଷୀ କିଛି ଅର୍ଥ ଦେଲେ କେନ୍ଦ୍ର ସରକାର ୧୫ ଶହ ଏବ˚ ରାଜ୍ୟ ସରକାର ୧୫ ଶହ ଟଙ୍କା ଦେବେ। ଏହାକୁ ମିଶାଇ ମତ୍ସ୍ୟଜୀବୀଙ୍କୁ ନିଷେଧାଦେଶ ସମୟରେ ୫୪ ୦୦ ଟଙ୍କା ଭତ୍ତା ଦିଆଯିବ। ୨ ଟଙ୍କା ଚାଉଳ ଯୋଜନାରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯିବ, ମାଛ ମାର୍କେଟି˚ ପାଇଁ ରିଭର୍ରି˚ ଫଣ୍ତ ଏବ˚ ମାଛ ଚାଷ ପାଇଁ ଘେରି ପ୍ରସ୍ତାବ ଦିଆଯିବ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। କିଛି ଦିନ ପୂର୍ବରୁ ସଚିବ ସ୍ତରରେ ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନିଷ୍ପତ୍ତି ଘୋଷଣା କରାଯାଇ ନାହିଁ।

ନିଷେଧାଦେଶ ସମୟରେ ଛତିଶଗଡ଼ ମତ୍ସ୍ୟଜୀବୀ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ

ନିଷେଧାଦେଶ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଅପେକ୍ଷା ଛତିଶଗଡ଼ ମତ୍ସ୍ୟଜୀବୀ ପ୍ରଶାସନ ପାଇଁ ମୁଖ୍ୟ ଚାଲେଞ୍ଜ ହୋଇଛି। ଗତବର୍ଷ ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ନିଷେଧାଦେଶ ସମୟରେ ୩୦୦ ମତ୍ସ୍ୟଜୀବୀ ମାଛ ମାରିବା ନେଇ ପ୍ରଶାସନର ନଜରକୁ ଆସିଥିଲା। ଛତିଶଗଡ଼ରେ କଲମା ବ୍ୟାରେଜ ଯୋଗୁଁ ସେଠାରେ ସ୍ଥିତ ୩୦ ଗାଁର ନଦୀ ଏବଂ ପୋଖରୀ ଶୁଖିଲା ପଡ଼ିଯାଏ। ଏଥିଯୋଗୁଁ ଝାରସୁଗୁଡ଼ା ଜିଲ୍ଲା କଣ୍ଢେଇକେଳା, ମହୁଲପାଲି ଏବ˚ ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ଗତବର୍ଷ ବ୍ୟାପକ ପରିମାଣରେ ଛତିଶଗଡ଼ ମତ୍ସ୍ୟଜୀବୀମାନେ ବେଆଇନ ଭାବରେ ମାଛ ମାରିଥିଲେ। ନିଷେଧାଦେଶ ସମୟରେ ଡୁଲୁଙ୍ଗି ଜାଲ ବ୍ୟବହାର ଯୋଗୁଁ ଉତ୍ପାଦନକୁ ପ୍ରଭାବିତ କରିଥିଲା।

ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ତାରର ମାଛ ଉତ୍ପାଦନ କ୍ଷମତା ୩୫ ହଜାର ମେଟ୍ରିକ ଟନ। ମାତ୍ର ଏଠାରୁ ଉତ୍ପାଦିତ ହୁଏ ୮ ହଜାର ମେଟ୍ରିକ ଟନ ମାଛ। ଝାରସୁଗୁଡ଼ା ଏବ˚ ବରଗଡ଼ ଜିଲ୍ଲାର ବିଭିନ୍ନ ଗାଁରେ ଛତିଶଗଡ଼ର ୧୦ରୁ ୧୫ ହଜାର ମାଛ ଚାଷୀ ନିଷେଧାଦେଶ ସମୟରେ ବେଆଇନ ଭାବରେ ମାଛ ଧରୁଥିବାରୁ ମାଛ ଉତ୍ପାଦନ ହ୍ରାସ ପାଉଥିବା ନେଇ ସେତେବେଳେ ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। କଲିକତାର ମାଛ ବ୍ୟବସାୟୀମନେ ଏମାନଙ୍କୁ ଅର୍ଥ ଦେଇ ସହାୟତା କରୁଛନ୍ତି। ନିଷେଧାଦେଶ ସମୟରେ ବନ୍ଧ ମତ୍ସ୍ୟଜୀବୀଙ୍କୁ ସରକାରୀ ସହାୟତା ଦିଆଗଲେ, ଏହି ବେଆଇନ କାରବାରକୁ ସ୍ଥାନୀୟ ସ୍ତରରେ ଯେଉଁ ସହାୟତା ମିଳୁଛି ଏହା ବନ୍ଦ ହେବ ବୋଲି ଆଶା ରହିଛି। ମତ୍ସ୍ୟ ବିଭାଗ ଉପନିର୍ଦେଶକ ପବିତ୍ର ବେହେରା କହିଛନ୍ତି, ନିଷେଧାଦେଶ ସମୟରେ ମାଛ ନମାରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସ୍ବତନ୍ତ୍ର ବୈଠକ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.