ପାଇଖାନା ଟାଙ୍କିରେ ୫ ମୃତ : ବଞ୍ଚେଇବାକୁ ଯାଇ ବଞ୍ଚିଲେନି

ଜଣେ ଗୁରୁତର ଚିକିତ୍ସାଧୀନ, ମୃତକଙ୍କ ମଧ୍ୟରେ ଦୁଇଭାଇ; ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା

ବିଷମକଟକ : ମୃତ୍ୟୁ କେମିତି ହାତଠାରି ଡାକେ, ରାୟଗଡ଼ାରେ ଘଟିଥିବା ଏକ ଦୁଃଖଦ ଘଟଣାରୁ ତାହା ଜଣାପଡ଼ିଛି। ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ଜଣ ପ୍ରାଣ ହରାଇଛନ୍ତି। ପ୍ରଥମେ ଜଣେ ମହିଳା ଶ୍ରମିକ ଟାଙ୍କି ଭିତରକୁ ଯାଇଥିଲେ। ସେ ନ ଫେରିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣକ ପରେ ଜଣେ ଟାଙ୍କି ଭିତରକୁ ପଶିଥିଲେ। ଶେଷରେ, ୬ ଜଣ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଦୁର୍ଗୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏହି ଗାଁର ଏମ. ଲକ୍ଷ୍ମଣ ମୂର୍ତିଙ୍କ ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲାଯାଇଥିଲା। ଏହାପରେ ଫଲ୍‌ସ ବାହାର କରିବାକୁ ମହିଳା ଶ୍ରମିକ ରଶ୍ମିତା ଉଲ୍ଲାକା (୨୦) ପାଇଖାନା ଟାଙ୍କି ଭିତରେ ପଶିଥିଲେ। କିନ୍ତୁ ଶ୍ୱାସରୁଦ୍ଧ ହୋଇ ସେ ଅଚେତ ହୋଇପଡ଼ିଥିଲେ। ଟାଙ୍କି ଭିତରୁ ବାହାରି ପାରି ନଥିଲେ। ଦୀର୍ଘ ସମୟ ଧରି ବାହାରକୁ ନଆସିବାରୁ ଅନ୍ୟ ଜଣେ ଶ୍ରମିକ ବୈରାଗୀ କଲକା (୨୫) ଉଦ୍ଧାର କରିବାକୁ ଟାଙ୍କି ଭିତରେ ପଶିଥିଲେ। ସେ ମଧ୍ୟ ଅଚେତ ହୋଇ ପଡ଼ିବାରୁ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରି (୩୫) ଦୁହିଁଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର, ତାଙ୍କର ଉଦ୍ୟମ କେବଳ ବ୍ୟର୍ଥ ହୋଇନଥିଲା, ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ।

ନିକଟରେ ଭଲିବଲ୍‌ ଖେଳୁଥିବା କିଛି ଯୁବକ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଯୁବକ ସୂର୍ଯ୍ୟ ନାରାୟଣ ପାତ୍ର, ବଂଶୀଧର ପାତ୍ର ଏବଂ କାର୍ତ୍ତିକ ଗୌଡ଼ ସାହସ କରି ଟାଙ୍କି ଭିତରେ ପଶିଥିଲେ। ବିଷାକ୍ତ ଗ୍ୟାସରେ ରୁନ୍ଧି ହୋଇଯିବାରୁ ସେମାନେ ବି ଅଚେତ ହୋଇଯାଇଥିଲେ।

ପାଇଖାନା ଟାଙ୍କିରେ ୬ ଜଣ ଫସି ରହିଥିବା ଖବର ପ୍ରଚାର ହେବାରୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ଗୋଟିଏ ଜେସିବି ଲଗାଇ ଟାଙ୍କିର ଉପର ପ୍ଲେଟ୍‌କୁ ବାହାର କରି ସମସ୍ତଙ୍କୁ ବାହାର କରାଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକ ଖ୍ରୀଷ୍ଟିଆନ ମେଡ଼ିକାଲରେ ଭର୍ତି କରାଯାଇଥିଲା।

ମାତ୍ର, ଡାକ୍ତର କାର୍ତ୍ତିକଙ୍କ ବ୍ୟତୀତ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। କାର୍ତ୍ତିକ ଗୌଡ଼ଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।

ବିଷମକଟକ ବିଧାୟକ ଜଗନ୍ନାଥ ସାରକା, ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା, ସ୍ୱାସ୍ଥ୍ୟ ଅଧିକାରୀ ବିମଳା ସାହୁ, ବିଷମକଟକ ବିଡିଓ ଗୁଲାମ ମକସୁଦ, ବିଷମକଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ପ୍ରମୁଖ ମେଡ଼ିକାଲରେ ପହଞ୍ଚ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଆହତ କାର୍ତ୍ତିକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

ଅନ୍ୟପକ୍ଷରେ, ଗୁଣପୁର ଉପଜିଲ୍ଲାପାଳ ଅମ୍ରିତ ଋତୁରାଜ ମୃତକଙ୍କ ପରିବାରବର୍ଗକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ମାତୃ ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା, ଭୂମିହୀନଙ୍କୁ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତୀତ ସମସ୍ତ ମୃତକଙ୍କୁ ବିଜୁ ପକ୍କାଗୃହ ପ୍ରଦାନ କରାଯିବା ବୋଲି ବିଧାୟକ ଶ୍ରୀ ସାରକା ଘୋଷଣା କରିଛନ୍ତି।

ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର : ବିଷମକଟକରେ ଶ୍ୱାସରୁଦ୍ଧ ହୋଇ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ ବୋଲି ଘୋଷଣା କରିଛନ୍ତି। ସେହିପରି ବିଜେଡି ପକ୍ଷରୁ ସାଧାରଣ ସମ୍ପାଦକ ତଥା ବିଧାୟକ ସଞ୍ଜୟ ଦାସବର୍ମା ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସେ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର