ବନ୍ୟାଜଳରେ ଉବୁଟୁବୁ ଭଦ୍ରକ ଜିଲ୍ଲା

ସାଳନ୍ଦୀ, ବୈତରଣୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ

ଭଦ୍ରକ: କ୍ରମାଗତ ୩ ଦିନ ଧରି ଲଗାଣ ବର୍ଷରେ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇ ଉଠିଛି। ଉଭୟ ସାଳିନ୍ଦୀ ଓ ବୈତରଣୀ ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଜିଲ୍ଲାର ମୋଟ୍‌ ୪୫ଟି ଗ୍ରାମ ପଞ୍ଚାୟତ ଏବେ ପାଣି ଘେରରେ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ସାଳିନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳେ ଆଖୁଆପଦା ଠାରେ ବୈତରଣୀ ନଦୀର ବନ୍ୟାଜଳ ୧୭.୯୪ ମିଟର ଥିବା ବେଳେ ସାଳିନ୍ଦୀ ନଦୀର ବନ୍ୟାଜଳ ୧୪.୫୦ ମିଟର ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୨ ଥିବା ବେଳେ ସେଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାଜଳ ଭଣ୍ଡାରିପୋଖରୀ ବ୍ଲକ୍‌ର ଦକ୍ଷିଣବାଡ ଗ୍ରାମ ପଞ୍ଚାୟତ- ହାଟଡିଡି ରାସ୍ତାରେ ୪ ଫୁଟ୍‌ ଉପରେ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ମିଳିଥିବା ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ୧୫ଟି ଗ୍ରାାମ ପଞ୍ଚାୟତ, ଧାମନଗର ବ୍ଲକ୍‌ର ୧୦ଟି ପଞ୍ଚାୟତ, ତିହିଡ଼ି ବ୍ଲକ୍‌ର ୮ଟି ପଞ୍ଚାୟତ, ଚାନ୍ଦବାଲି ବ୍ଲକ୍‌ର ୪ଟି ପଞ୍ଚାୟତ, ଭଦ୍ରକ ବ୍ଲକ୍‌ର ୮ ପଞ୍ଚାୟତ ମୋଟ୍‌ ୪୫ଟି ପଞ୍ଚାୟତ ପାଣି ଘେରରେ ଥିବା ବେଳେ ଭଦ୍ରକ ପୌରସଂସ୍ଥାର ୧୦ଟି ଓ୍ଵାଡ ମଧ୍ୟ ପାଣି ଘେରରେ ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ସାଳିନ୍ଦୀ ନଦୀ କୁଳିଆ ଲୋକଙ୍କ ପାଖରେ ସର୍ବନିମ୍ନ ଆବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି। ବିଭିନ୍ନ ଅଞ୍ଚଳରେ ମାଟି ଘର ଭାଙ୍ଗି ଯାଇଥିିବାର ଖବର ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର