ବିଦେଶାଗତ ଅତିଥି ପକ୍ଷୀଙ୍କ ଘରବାହୁଡ଼ା, ଉଦ୍‌ବେଗ ପ୍ରକାଶ କଲେ ପକ୍ଷୀ ପ୍ରେମୀ

ବ୍ରହ୍ମଗିରି: ନୀଳାମ୍ବୁ ଚିଲିକାରୁ ସ୍ବଦେଶକୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡ଼ା ଆରମ୍ଭ ହେଲାଣି। ଶୀତ ଚାରିମାସ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାରେ ପାଦ ଥାପି ଥିଲେ ବିଦେଶାଗତ ଅତିଥି ପକ୍ଷୀ। ସୁଦୂର ସାଇବେରିଆ, କାଜାଖସ୍ତାନ, ହିମାଳୟ, ଅଷ୍ଟ୍ରେଲିଆ, ମଙ୍ଗୋଲିଆ, ଚୀନ, ଲଦାଖ ପ୍ରଭୃତି ଅଞ୍ଚଳରୁ ଚିଲିକାକୁ ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ଚାରିମାସ ଚିଲିକାର ନଳବଣ ସହିତ ୫ଟି ରେଞ୍ଜ୍‌ରେ ଲକ୍ଷାଧିକ ପକ୍ଷୀ ରହିଥିଲେ। ଏବେ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡ଼ା ଆରମ୍ଭ ହୋଇ ସାରିଲାଣି। ଚିଲିକାରୁ ପ୍ରାୟ ୫ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡ଼ା ହୋଇ ସାରିଲାଣି। ମାସ ଶେଷ ସୁଦ୍ଧା ନିର୍ଦ୍ଦିଷ୍ଟ ସଂଖ୍ୟା ଜଣାପଡ଼ିବ ବୋଲି ସୂଚନା ମିଳିଛି। କିନ୍ତୁ ଚଳିତ ବର୍ଷ ଚିଲିକାକୁ ଆସିଥିବା ବିଦେଶାଗତ ଅତିଥି ପକ୍ଷୀଙ୍କ ମଧ୍ୟରୁ ଅଧାରୁ ଅଧିକ ଘର ବାହୁଡ଼ା ହୋଇ ସାରିଲେଣି। ଏବେ ଚିଲିକାରେ ପ୍ରାୟ ୬ ଲକ୍ଷରୁ ଅଧିକ ପକ୍ଷୀ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୦ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ୍‌ରେ ୬୦ଜଣ କର୍ମଚାରୀ ନିୟୋଜିତ ରହିଥିବା ବାଲୁଗାଁ ଡିଏଫ୍ଓ ଆଲୋକ ରଞ୍ଜନ ହୋତା କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଚିଲିକାକୁ ୧୧ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ଏମାନଙ୍କ ମଧ୍ୟରେ ୧୬୦ରୁ ଅଧିକ ପ୍ରଜାତିର ଅତିଥି ପକ୍ଷୀ ଚିହ୍ନଟ ହୋଇଥିଲେ। ନଳବଣରେ ୫ଲକ୍ଷରୁ ଅଧିକ ପକ୍ଷୀ ଦେଖା ଯାଇଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ବନାଗ୍ନି ପରେ ପୁଣି ଥରେ ଚିଲିକାକୁ ଏକ ଲକ୍ଷରୁ ଅଧିକ ବିଦେଶାଗତ ଅତିଥି ପକ୍ଷୀ ଆସିଥିଲେ। ଯାହାକି ପକ୍ଷୀ ପ୍ରେମୀ ଓ ବନ ବିଭାଗ ପାଇଁ ଖୁସିର ଖବର ଆଣି ଦେଇଥିଲା। ମାତ୍ର ଅଣ୍ତା ନ ଦେଇ ବିଦେଶାଗତ ଅତିଥି ପକ୍ଷୀଙ୍କ ଘରବାହୁଡ଼ା ଆରମ୍ଭ ହୋଇଥିବାରୁ ପକ୍ଷୀ ପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର