ଏଣିକି ମାଗଣା ଚିକିତ୍ସା ମିଳିବ
ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର: ସବୁ ସରକାରୀ ଡାକ୍ତରଖାନାରେ ମିଳିବ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଚିକିତ୍ସା। ସବ୍ସେଣ୍ଟର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠାରେ ରୋଗୀଙ୍କୁ ଏଭଳି ସୁବିଧା ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ୭୦ଲକ୍ଷରୁ ଉର୍ଧ୍ୱ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବେ। ଏ ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ହିଁ ବହନ କରିବେ। କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନା ଲୋକଙ୍କ ପାଖେ ପହଞ୍ଚିବା ପୂର୍ବରୁ ରାଜ୍ୟ ସରକାର ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଠାରୁ ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆରମ୍ଭ ହେବ ଓ ସେଥିରେ ଏସବୁ ସୁବିଧା ରହିଛି। ଏଥିରେ ରାଜ୍ୟର ୭୦ ପ୍ରତିଶତ ଲୋକ ଅର୍ଥାତ ୭୦ ଲକ୍ଷ ପରିବାର ଉପକୃତ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ଯୋଜନାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି। ସରକାରଙ୍କ ଘୋଷଣା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ମାଗଣା ଚିକିତ୍ସା ସେବା ଉପଲବ୍ଧ ହେବ। ରାଜ୍ୟର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ବାର୍ଷିକ ପ୍ରାୟ ୪.୮୪ କୋଟି ରୋଗୀ ଉପସ୍ଥାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ରୋଗ ପାଇଁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଓ ଔଷଧ ଉପଲବ୍ଧ ହେବ। ଏଥି ସହ ଡାକ୍ତରଖାନାରେ ଆଦାୟ ହେଉଥିବା ସମସ୍ତ ପ୍ରକାର ୟୁଜର୍ସ ଫି ବନ୍ଦ କରାଯିବ।
ରାଜ୍ୟ ସରକାରଙ୍କ ଅର୍ଥରେ ଆରମ୍ଭ ହେଉଥିବା ଏହି ଯୋଜନାରେ ପ୍ରାଥମିକ ଠାରୁ ଆରମ୍ଭ କରି ଶୀର୍ଷସ୍ତରୀୟ ଚିକିତ୍ସା ସେବା ନିମନ୍ତେ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ଏଥିରେ ରାଜ୍ୟର ଜନସଂଖ୍ୟାର ୭୦ ପ୍ରତିଶତ ପରିବାର ସ୍ୱାସ୍ଥ୍ୟ ସୁରକ୍ଷା ପାଇପାରିବେ। ମୋଟ୍ ୭୦ ଲକ୍ଷ ପରିବାରର ୩.୫ କୋଟି ଲୋକ ଉପକୃତ ହେବେ। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଆସୁଥିବା ସମସ୍ତ ପ୍ରସୂତି ଓ ଅସୁସ୍ଥ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ନିଜ ଗୃହକୁ ଫେରିବା ନିମନ୍ତେ ୫୦୦ ଟଙ୍କା ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ। ଏଥିରେ ବର୍ଷକୁ ୬.୫ ଲକ୍ଷରୁ ଅଧିକ ପ୍ରସୂତି ଓ ଅସୁସ୍ଥ ଶିଶୁ ଉପକୃତ ହେବେ। ପୂର୍ବରୁ ସରକାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ‘ନିରାମୟ’, ‘ନିଦାନ’, ‘ସହାୟ’, ‘ସୁନେତ୍ର’ ଇତ୍ୟାଦି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ମାଗଣା ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।