ରେସନ୍ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ସୈାଭାଗ୍ୟ ଯୋଜନା ଅପହଞ୍ଚ : ପଟ୍ଟା ମିଳିଛି, ଜମି କେଉଁଠି ଦେଖି ନାହାଁନ୍ତି

0

ନିରାକାରପୁର : ନିଜର ଘରବାଡ଼ି କିଛି ନାହିଁ। କୌଳିକ ବୃତ୍ତିକୁ ଜାବୋଡ଼ି ଧରି ସେମାନେ ସରକାରୀ ଜମିରେ ପଡ଼ିରହିଛନ୍ତି । ହେଲେ ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ। କାହା ନାମ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାହିଁ ତ କିଏ ବାର୍ଦ୍ଧକ୍ୟ ଭତ୍ତା ପାଉ ନାହିଁ। ଆଉ କେତେକ ସରକାରୀ ଜମି ପଟ୍ଟା ପାଇଛନ୍ତି ସତ, ହେଲେ ସେମାନଙ୍କ ଜମି କେଉଁଠି ଅଛି ଏ ପର୍ଯ୍ୟନ୍ତ ଜାଣି ନାହାଁନ୍ତି। ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ବିକାଶ ନିମନ୍ତେ ସରକାର ଯୋଜାନ ପରେ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନର ଅଣଦେଖା ସହ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହା ନିମ୍ନସ୍ତରରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଯୋଜନା ଯେଉଁ ତିମିରେକୁ ସେହି ତିମିରେ ରହିଯାଇଛି। କାଗଜପତ୍ରରେ ସବୁ ଠିକ୍ ଥିଲେ ମଧ୍ୟ ହିତାଧିକାରୀମାନଙ୍କ ଭାଗ୍ୟ ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ପଞ୍ଚାୟତରେ।

ସୂଚନା ଯୋଗ୍ୟକି, ଦୀର୍ଘ ବର୍ଷଧରି ୧୦/୧୫ଟି ଆଦିବାସୀ (ମୁଣ୍ତପୋତା କୋଳା) ପରିବାର ଡିଆ ସ୍ଥିତ ଶ୍ରୀ କପିଳେଶ୍ବର ଦେବ ପୀଠ ନିକଟସ୍ଥ ପଡିଆରେ ବସବାସ କରି ଆସୁଛନ୍ତି। ପୂର୍ବରୁ ଏମାନେ ତାଳବରଡାରେ ନିର୍ମିତ କୁଡିଆ କରି ରହୁଥିଲେ। ବର୍ତମାନ ମୁଲମଜୁରୀ ଓ ଭିକ୍ଷାବୃତ୍ତି କରି ନୂଆଣିଆ ଚାଳଛପର ମାଟି ଘରେ ଜୀବନ ବିତାଉଛନ୍ତି। ଅଳ୍ପ କେତୋଟି ପରିବାରକୁ ଛାଡିଦେଲେ ଅଧିକାଂଶଙ୍କ ଭାଗ୍ୟରେ ବର୍ତମାନ ସୁଦ୍ଧା ଅତ୍ୟାବଶ୍ୟକ ରେସନ୍ କାର୍ଡର ସୁଯୋଗ ମିଳି ନଥିବା ବେଳେ ବର୍ଦ୍ଧକ୍ୟ ଭତ୍ତା, ବସୁନ୍ଧରା, ବିଜୁ ପକ୍କାଘର, ସୈାଭାଗ୍ୟ ଯୋଜନା ଆଦି ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ ହୋଇ ରହିଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ସରକାର କେତେ ଜଣଙ୍କୁ ‘ମୋ ଜମି ମୋ ଡିହ’ ଯୋଜନାରେ ପଟ୍ଟା ଖଣ୍ତିଏ ଧରାଇ ଦେଇଛନ୍ତି। ମାତ୍ର ସେମାନଙ୍କୁ ସେମାନଙ୍କ ଜମି କେଉଁଠି ତାହା ଚିହ୍ନଟ ‌ ଦିଆଯାଇ ନାହିଁ। ଫଳରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କର ଜମି କେଉଁଠି ବୋଲି ଜାଣି ପାରୁନାହାନ୍ତି। ଆଉ କେତେକଙ୍କୁ ବସୁନ୍ଧରା ଯୋଜନାରେ ସାମିଲ୍ କରାଯାଇଥିଲେ ସୁଦ୍ଧା ସେମାନଙ୍କର ଭାଗ୍ୟ ଏବେ ସରକାରୀ ନାଲିଫିତା ତଳେ ରହିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଜଗା ପ୍ରଧାନ, କାଳିଆ ପ୍ରଧାନ, ବିକ୍ରମ ପ୍ରଧାନ ପରିବାରକୁ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ। ଫଳରେ ସଞ୍ଜ ନଇଁଲେ ଏମାନଙ୍କ ପାଇଁ ଡିବିରି ଆଲୁଅ ଏକମାତ୍ର ଭରସା ବୋଲି କୁହନ୍ତି ଆଦିବାସୀ ମହିଳା ସୁଭଦ୍ରା ପ୍ରଧାନ।

ସେହିପରି ଜଗା ପ୍ରଧାନ, କାଳିଆ ପ୍ରଧାନ, ବିକ୍ରମ ପ୍ରଧାନ ପରିବାରକୁ ରାସନ କାର୍ଡ ଖଣ୍ଡେ ମିଳିବା ସ୍ବପ୍ନ ହୋଇଛି। ଖାଲି ସେତିକି ନୁହଁ ଏହି ପରିବାରର ବୟୋଜ୍ୟେଷ୍ଠ ରବିପ୍ରଧାନ ପରିଣତ ବୟସରେ ପହଞ୍ଚି ଥିଲେ ସୁଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ନିର୍ବାଚନ ଆସିଲେ ସମସ୍ତେ ଆମ ପାଖକୁ ଆସି ମିଠାକଥା କହି ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। ହେଲେ ନିର୍ବାଚନ ସରିଲେ ଆମଭଳି ଲୋକଙ୍କ କଥା ଶୁଣିବାକୁ ସେମାନଙ୍କ ପାଖରେ ସମୟ ନଥାଏ ବୋଲି କୁହନ୍ତି ଜଗା ପ୍ରଧାନ ଓ କାଳିଆ ପ୍ରଧାନ। ଜିଲ୍ଲା ପ୍ରଶାସନ ଆଦିବାସୀ ହରିଜନଙ୍କ ସ୍ବାର୍ଥଦୃଷ୍ଟିରୁ ବିକାଶ ନାମରେ ଡିଣ୍ତିମ ପିଟୁଥିବା ବେଳେ ଉକ୍ତ ପରିବାର ପ୍ରତି ଦୃଷ୍ଟି ନ ପଡିବା ବିଡମ୍ବନାର ବିଷୟ । ଏ ନେଇ ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଅଶ୍ବିନୀ ଚୈାଧୁରୀଙ୍କୁ ପଚାରିବାରେ ପ୍ରାୟ ୪/୫ଟି ପରିବାରକୁ ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଅନ୍ୟ ପରିବାରଙ୍କ ଖବର ଆମ ପାଖରେ ନାହିଁ। ସେମାନେ ଆବେଦନ କଲେ ସରକାରୀ ନିୟମ ଅନୁସାରେ ସାହାଯ୍ୟ ସହଯୋଗ ମିଳିପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.