ଶେଷ ସପ୍ତାହରେ ଲଘୁଚାପ : ୨୫ରୁ ବଦଳିବ ପାଗ, ବଢ଼ିବ ବର୍ଷା

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ବର : ଜୁଲାଇ ଶେଷ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଓଡ଼ିଶାରେ ଦୁର୍ବଳ ରହିଥିବା ମୌସୁମୀ ପୁଣିଥରେ ସକ୍ରିୟ ହେବ। ୨୫ ତାରିଖଠାରୁ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବା ସହ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ସେଭଳି ବର୍ଷାର ସମ୍ଭାବନା ନାହିଁ। ତେବେ କାଳବୈଶାଖୀ ପ୍ରଭାବରେ ୨୨ ଓ ୨୩ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ହାଲକା ବର୍ଷା ହୋଇପାରେ। ୨୪ ତାରିଖରେ ମଧ୍ୟ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ତେବେ ୨୫ ତାରିଖଠାରୁ ପାଗରେ ପରବର୍ତନ ଆସିବ। ଉପକୂଳ ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ୨୫ରୁ ୨୮ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ତାହା ଲଘୁଚାପରେ ପରିଣତ ହୋଇପାରେ। ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ସେପଟେ ଆଜି ମୌସୁମୀ ଜନିତ ଏକ ଟ୍ରପ୍‌ ଲାଇନ୍‌ ଓଡ଼ିଶା ଉପର ଦେଇ ଯାଇଛି। ଝାରସୁଗୁଡ଼ା, ବାଲେଶ୍ବରଠାରୁ ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଲମ୍ବିଛି। ଦକ୍ଷିଣପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଚଳିତବର୍ଷ ଓଡ଼ିଶା ସମେତ ସାରା ଦେଶରେ ମୌସୁମୀ ଜନିତ ବର୍ଷା ଦୁର୍ବଳ ରହିଛି। ଆଉ ୩ରୁ ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଚଳିତ ମାସ ଶେଷ ଆଡ଼କୁ ମୌସୁମୀ ପୁଣିଥରେ ସକ୍ରିୟ ହୋଇପାରେ। ପୂର୍ବରୁ ଦେଖାଯାଇଛି ଯେ ଜୁଲାଇ ମାସରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବା ଦ୍ବାରା ମୌସୁମୀ ଅଧିକ ସକ୍ରିୟ ହୋଇଥାଏ। ବିଶେଷକରି ଉତ୍ତର ବଙ୍ଗୋ‌ପସାଗର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରେ। ତେବେ ଚଳିତ ଜୁଲାଇରେ ମୌସୁମୀ କିଛି ସମୟ ପାଇଁ ଉଭାନ ହୋଇଯାଇଛି। ଫଳରେ ସ୍ବାଭାବିକ ବର୍ଷା ହୋଇପାରୁନି। ଆସନ୍ତା ୨୫ ତାରିଖ ବେଳକୁ ଓଡ଼ିଶାରେ ପାଗ ବଦଳିବ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ମୌସୁମୀ ପୁଣିଥରେ ସକ୍ରିୟ ହେବ। ଯାହାକି ପରବର୍ତୀ ସମୟରେ ଲଘୁଚାପ ବଳୟରେ ପରିଣତ ହୋଇପାରେ। ୨୮ ତାରିଖଠାରୁ ମୌସୁମୀ ଜନିତ ବର୍ଷା ବଢ଼ିବା ସହ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‌ପ୍ରଥମେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପରବର୍ତୀ ସମୟରେ ‌ମୌସୁମୀ ପଶ୍ଚିମଦିଗକୁ ଅଗ୍ରସର ହେବ ବୋଲି ‌ପ୍ରଫେସର୍‌ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। କୋରାପୁଟରେ ସର୍ବାଧିକ ୩୨.୮ ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୫, ବାରିପଦାରେ ୮.୬, ଅନୁଗୁଳରେ ୮, ଫୁଲବାଣୀରେ ୬, ହୀରାକୁଦରେ ୨.୨, ବଲାଙ୍ଗୀରରେ ୨ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର