ହାଇକୋର୍ଟରେ କୋଣାର୍କ ସୁରକ୍ଷା ମାମଲା, ଷ୍ଟାଟସ୍ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ: କୋଣାର୍କ ମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଖଣ୍ଡପୀଠ ଊଭୟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ଓ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ମନ୍ଦିରର ମରାମତି ଓ ସଂରକ୍ଷଣ ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ କୋଣାର୍କ ମନ୍ଦିର ବର୍ତ୍ତମାନ ସ୍ଥିତି ସଂପର୍କରେ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଏସ୍ଆଇ ଡିଜିଙ୍କ ସତ୍ୟପାଠ
ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି

ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ଶୁଣାଣି ସମୟରେ ଏଏସଆଇ ଉଷା ଶର୍ମାଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ଦର୍ଶାଯାଇଛି ଯେ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ। କୋଣାର୍କ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ନ୍ୟାସନାଲ ପଲିସି ଅଫ କଞ୍ଜରଭେସନ୍ ଅନୁସାରେ ପଦକ୍ଷେପ ନିଆଯାଉଛି। ଆନ୍ତର୍ଜାତିକ ସ୍ତରରେ ପୁରାତନ ପ୍ରତ୍ନତାତ୍ତ୍ବିକ ଢାଞ୍ଚାର ମରାମତି ପାଇଁ ରହିଥିବା ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି। ମରାମତି ସମୟରେ କୋଣାର୍କ ମନ୍ଦିରର ଗୋଟିଏ ବି ପଥର ବଦଳ କରାଯାଇ ନାହିଁ। ରୁର୍‌କିର ସିବିଆରଆଇ, ଆଇଆଇଟି ଖଡଗପୁର ଓ ଆଇଆଇଟି ମାଡ୍ରାସର ବିଶେଜ୍ଞ ଓ ବୈଜ୍ଞାନିକମାନେ ସଂରକ୍ଷଣ ଓ ମରାମତି କାର୍ଯ୍ୟର ଅନୁଧ୍ୟାନ କରି ପରାମର୍ଶ ପ୍ରଦାନ କରୁଛନ୍ତି। ଏଏସଆଇ ଦ୍ବାରା ନି‌ୟୋଜିତ ରୁର୍‌କିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚି ଇନଷ୍ଟିଚ୍ୟୁଟ କୋଣାର୍କ ମନ୍ଦିର ଢାଞ୍ଚାର ନିକଟରେ ସବିଶେଷ ଅନୁଧ୍ୟାନ କରିଥିବା ବେଳେ କୌଣସି ବିପଦ ସଂପର୍କରେ ସୂଚନା ଦେଇ ନାହିଁ। କୋଣାର୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଷ୍ଟିଅରିଂ କମିଟି ଓ ଦୁଇଟି ୱାର୍କିଂ ଗ୍ରୁପ୍ ରହିଛି। ଏହି କମିଟି ଓ ଗ୍ରୁପର ପରାମର୍ଶ ନିଆଯାଉଛି। ଏହି କମିଟି ଓ ଗ୍ରୁପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ସଦସ୍ୟ ରହିଛି। କୋଣାର୍କ ପ୍ରତି ଅବହେଳାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କ ପକ୍ଷାରୁ ଅସ୍ବୀକାର କରାଯାଇଛି। ଅନ୍ୟପକ୍ଷରେ ଏଏସଆଇ ମହାନିର୍ଦ୍ଦେଶକ ସାନି ତଥ୍ୟ ଆଧାରରେ ଏପରି ସତ୍ୟପାଠ ଦାଖଲ କରି ନାହାନ୍ତି ବୋଲି ଆଜି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଏସଆଇ ବହୁ ପୁରୁଣା ରିପୋର୍ଟ ଆଧାରରେ ଏପରି କଥା କହୁଥିବା ବେଳେ ଏବେ କୋଣାର୍କ ସ୍ଥିତି ବିପଦପୂର୍ଣ୍ଣ ରହିଛି। ତେଣୁ କୋଣାର୍କର ସଂପର୍କରେ ଠିକ ତଥ୍ୟ ଉପସ୍ଥାପନ କରାଯାଉ। କୋଣାର୍କ ମରାମତି ପ୍ରସଂଗର ଅନୁଧ୍ୟାନ ପାଇଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମାମଲା ଭଳି ଆମିକସ କ୍ୟୁରିଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋଣାର୍କ ମରାମତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ରହିଥିବା ଯୋଜନା ସଂପର୍କରେ ଅବଗତ କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ‌ମରାମତି ଓ ସଂରକ୍ଷଣ ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯, ଜାନୁଆରି ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ ଓ ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ୨୦୧୬ରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର କୋଣାର୍କ ମନ୍ଦିର ପରିସରରେ ପାଣି ଜମିବା ଓ ମରାମତି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ‘ସମ୍ବାଦ’ର ନଭେମ୍ବର ୧୫ ଓ ୨୫ ତାରିଖ ସଂସ୍କରଣରେ କୋଣାର୍କ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସଂପର୍କରେ ଖବର ପ୍ରକାଶ ପାଇଥିଲା। କୋଣାର୍କର ସୁରକ୍ଷା ପ୍ରସଂଗକୁ ନେଇ ବିଧାନସଭାରେ ଆଲୋଚନା ହୋଇଥିବା ବେଳେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର