ଉତ୍କଳ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ : ‘୫-ଟି’କୁ କଡ଼ାକଡ଼ି କରିବାକୁ ନିର୍ଦେଶ

ଭୁବନେଶ୍ବର : ଏକ ମାସ ବ୍ୟବଧାନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଆଜି ପୁଣିଥରେ ଉତ୍କଳ ବିଶ୍ବବିଦ୍ୟାଳୟ ଗସ୍ତ କରିଛନ୍ତି। ଗତ ମାସ ଗସ୍ତ ସମୟରେ ଯେଉଁ ପରାମର୍ଶ ଦେଇଥିଲେ, ତାହାକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌ ହଲ୍‌ରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମେତ ୨୭ଟି ପିଜି ବିଭାଗର ମୁଖ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’କୁ କ୍ୟାମ୍ପସରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ରୋକଟୋରିଆଲ ସିଷ୍ଟମ’କୁ ଏପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟରେ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇନି। ତେଣୁ ମାସେ ଭିତରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ଲାଗି ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି। ବିଭାଗର ସମସ୍ତ ପ୍ରଫେସର୍‌ କିଛି କିଛି ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେଇ ସେମାନଙ୍କ ଅଭିଭାବକଙ୍କ ସହ ନିୟମିତ ବ୍ୟବଧାନରେ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଆସନ୍ତା ନଭେମ୍ବର ୨୭ରେ ହେବାକୁ ଥିବା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏଥର ପ୍ରତିଷ୍ଠା ଦିବସ ସହ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ତେଣୁ ଉତ୍ସବକୁ କିଭଳି ସଫଳ କରାଯାଇପାରିବ, ସେ ନେଇ ମନ୍ତ୍ରୀ ଶ୍ରୀ ସାହୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏଥର ପ୍ରତିଷ୍ଠା ଦିବସ ୪ଦିନ ଧରି ପାଳନ କରାଯିବ। ଉତ୍ସବକୁ ଧୁମଧାମ୍‌ରେ ପାଳନ କରିବା ଲାଗି ସମସ୍ତ ବିଭାଗ ଓ ଅଧିକାରୀମାନେ ସହଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ସାହୁ ଅନୁରୋଧ କରିଥିଲେ।

ଏହି ବୈଠକ ପରେ ଗତ ମାସ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ସାହୁ ଯେଉଁ ପରାମର୍ଶ ଦେଇଥିଲେ, ତାହାକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଯେଉଁଠି ତ୍ରୁଟି ରହିଛି ତାହାକୁ ତୁରନ୍ତ ସୁଧାରିବା ଲାଗି ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର