ତତଲା ତାଳଚେର : ଜଳୁଛି ପଶ୍ଚିମ ଓଡ଼ିଶା, ୪୦ ଡିଗ୍ରି ଉପରେ ୧୨ ସହର

ଆଜିଠାରୁ କମିବ ତାତି, କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡ଼ିଶା। ବଲାଙ୍ଗୀର, ଟିଟିଲାଗଡ଼ ତାପମାତ୍ରା କମୁ ନଥିବା ବେଳେ ଆଜି ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଚଳିତବର୍ଷ ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ ହୋଇଛି। ଗତକାଲି ଏଠାରେ ତାପମାତ୍ରା ୪୨.୩ ଡିଗ୍ରି ରହିଥିଲା। ଆଜି ଦେଢ଼ ଡିଗ୍ରି ବୃଦ୍ଧି ପାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

‌କେବଳ ତାଳଚେର ନୁହେଁ। ଅନୁଗୁଳ ତାପମାତ୍ରା ବି ଅନୁରୂପ ଭାବେ ଗୋଟିଏ ଡିଗ୍ରି ବୃଦ୍ଧି ପାଇ ୪୩.୭ ଡିଗ୍ରିରେ ପହଞ୍ଚିଛି। ଟିଟିଲାଗଡ଼ ତାପମାତ୍ରା ୪୩ ଡିଗ୍ରି ଥିବା ବେଳେ ଝାରସୁଗୁଡ଼ାରେ ୪୨.୬ ଡିଗ୍ରି ରେକର୍ଡ କରାଯାଇଛି। ମୋଟ ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ୪୦ ଡିଗ୍ରି ତଳକୁ ଖସିଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ହେଉଛି ଯେ, ଗତକାଲି ତାପମାତ୍ରା ଟିକିଏ କମିବ। ଅପରାହ୍ନରେ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ତେଣୁ ତାପମାତ୍ରାରେ ସାମାନ୍ୟ ତଫା‌ତ୍‌ ଆସିବ। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ମଙ୍ଗଳବାର କାଳବୈଶାଖୀ ସହ ବଜ୍ରପାତର ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୬ ତାରିଖରେ ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତାକାଲି ତାପମାତ୍ରା ୦.୫ରୁ ଏକ ଡିଗ୍ରି ବୃଦ୍ଧି ପାଇବ। ୧୭ ତାରିଖରେ ଅପରିବର୍ତ୍ତିତ ରହିବ। ୧୮ ତାରିଖରେ ପୁଣି ହ୍ରାସ ପାଇବ। ୧୯ ତାରିଖରେ କାଳବୈଶାଖୀ ବର୍ଷା ହୋଇପାରେ। ଫଳରେ ତାପମାତ୍ରା ବିଶେଷଭାବେ କମିବ। ତେବେ ୨୦ ତାରିଖରୁ ତାପମାତ୍ରା ପୁଣି ବଢ଼ିବ। ୨୨ ତାରିଖରେ ପୁଣି ୪୦ ଡିଗ୍ରି ପହଞ୍ଚିବାର ସମ୍ଭାବନା ରହିଛି।

ତେବେ କଳାହାଣ୍ଡି, ବଲାଙ୍ଗୀର ସମେତ ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଆସନ୍ତାକାଲି ତାପମାତ୍ରା ୪୦ ଡିଗ୍ରି ତଳକୁ ଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର