ମାନବାଧିକାର କମିସନରେ କୁନ୍ଦୁଲି ଦୁଷ୍କର୍ମ ମାମଲା ବନ୍ଦ

ଭୁବନେଶ୍ୱର : ରାଜ୍ୟ ସରକାର ବହୁଚର୍ଚିତ କୁନ୍ଦୁଲି ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଏହି ମାମଲାର ଶୁଣାଣି ଆଉ ମାନବାଧିକାର କମିସନରେ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ କମିସନରେ ଏହି ଫାଇଲ ବନ୍ଦ ହୋଇ ଯାଇଛି।

ମିଳିଥିବା ସୂଚନା ମୁତାବକ, ଦୁଷ୍କର୍ମ ଅଭିଯୋଗ ଆସିବା ପରେ ମାନବାଧିକାର କମିସନଙ୍କ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅନୁସୂଚିତ ଜାତି ଓ ଜନଜାତି କମିସନ, ପୁଲିସ ଡିଜି, କୋରାପୁଟ ଜିଲ୍ଲାପାଳ,ଏସ୍‌ପି, ଏମ୍‌କେସିଜି ମେଡିକାଲ୍‌ କଲେଜ କର୍ତୃପକ୍ଷଙ୍କୁ ନୋଟିସ୍‌ କରାଯାଇଥିଲା। ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଥିବା କୁନ୍ଦୁଲି ଡାକ୍ତରଖାନାର ଡାକ୍ତର, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନାର ଡାକ୍ତର ଓ ବ୍ରହ୍ମପୁରରୁ ଯାଇଥିବା ପ୍ରଫେସରଙ୍କ ମତାମତ ସଂଗ୍ରହ କରିଥିଲେ କମିସନ। ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ ସହିତ ଚିକିତ୍ସା କରିବାକୁ କମିସନ ନିର୍ଦେଶ ଦେଇଥିଲେ। ସେହିପରି ପୀଡ଼ିତାଙ୍କ ପାଠ ପଢ଼ାର ବ୍ୟବସ୍ଥା କରିବା ପାଇଁ କମିସନ ଅନୁସୂଚିତ ଜାତି ଓ ଜନଜାତି କମିସନରଙ୍କୁ ନିର୍ଦେଶ ହୋଇଥିଲା। ଅନୁସୂଚିତ ଜାତି ଓ ଜନଜାତି କମିସନର ଆଜି ମାନବାଧିକାର କମିସନରେ ହାଜର ହୋଇ ପୀଡ଼ିତାଙ୍କର ଏକ ସରକାରୀ ସ୍କୁଲରେ ନାମ ଲେଖା ଯାଇଛି ବୋଲି କହିଥିଲେ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ କେଉଁ ସ୍କୁଲରେ ପୀଡ଼ିତା ନାମ ଲେଖା ଯାଇଛି ତାକୁ ସର୍ବ ସାଧାରଣରେ ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧିତ ଖବର