ଝିଙ୍କ ଶିକାର କାଳ ହେଲା : ଗୁମ୍ଫାରେ ଶ୍ବାସରୁଦ୍ଧ ହୋଇ ଶିକାରୀ ମୃତ, ଜଣେ ଅସୁସ୍ଥ, ଶିକାରକୁ ଗ୍ରାମବାସୀଙ୍କ ଖଣ୍ଡନ

ମାଲକାନଗିରି : ଝିଙ୍କ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଶିକାରୀ ନିଜେ ହୋଇଗଲେ ଶିକାର। ଗୁମ୍ଫା ଭିତରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଗୁମ୍ଫାରୁ ଉଦ୍ଧାର ହେବା ପରେ ଗ୍ରାମବାସୀ ପାରଂପରିକ ଚିକିତ୍ସା କରି ତାଙ୍କୁ ସୁସ୍ଥ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ସଂପର୍କରେ ବିଳମ୍ବରେ ଖବର ପାଇ ଆଜି ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀ ଏତେ ମାତ୍ରାରେ ଭୟଭୀତ ଅବସ୍ଥାରେ ରହିଥିଲେ ଯେ କାହା ମୁହାଁରୁ କିଛି କଥା ବାହାରି ନଥିଲା। ବହୁ ସମୟ ଧରି ପଚରାଉଚୁରା କରିବା ପରେ ଶିକାର ଘଟଣାକୁ ଗ୍ରାମବାସୀ ଖଣ୍ଡନ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ବ୍ଲକ ଅନ୍ତର୍ଗତ ଝରାପାଲ୍ଲୀ ଗାଁରେ ଶୋକାକୁଳ ବାତାବରଣ ସୃଷ୍ଟି କରିଛି।

ଝିଙ୍କ ମାଂସ ଏବଂ କଣ୍ଟା ବଜାରରେ ଚଢ଼ା ଦରରେ ବିକ୍ରି ହୋଇଥାଏ। ବିଲୁପ୍ତି ଆଡ଼କୁ ଯାଉଥିବା ଏହି ଜୀବକୁ ରାଜ୍ୟ ବାହାରୁ ବହୁ ଲୋକ କିଣି ନେଉଥିବା ପୂର୍ବରୁ ବହୁ ନଜିର ରହିଛି। ସଦ୍ୟତମ ଘଟଣାରେ ବି ଗ୍ରାମବାସୀଙ୍କୁ କେହି ଜଣେ ବନ୍ୟଜନ୍ତୁ ଚୋରା ଚାଲାଣ କରୁଥିବା ମାଫିଆ ଝିଙ୍କ ଧରିବାକୁ ଅଗ୍ରୀମ ଦେଇଥିବା କୁହାଯାଉଛି। ତେଣୁ ଗାଁର ୫ଜଣ ଗତକାଲି ନିକଟସ୍ଥ ଜଙ୍ଗଲକୁ ଝିଙ୍କ ସନ୍ଧାନରେ ବାହାରିଥିଲେ। ବହୁ ସମୟ ଧରି ଘୂରି ବୁଲିବା ପରେ ଆଖିରେ ଗୋଟିଏ ଝିଙ୍କ ପଡ଼ିଥିଲା। ସେମାନେ ଚାରିପଟୁ ଘେରି ଧରିବା ପାଇଁ ଉଦ୍ୟମ କରିବାରୁ ଝିଙ୍କଟି ଗୋଟିଏ ଗୁମ୍ଫା ଭିତରେ ପଶି ଯାଇଥିଲା। ତେଣୁ ସେମାନେ ଗୁମ୍ଫା ମୁହଁରେ ନିଆଁ ଜଳାଇ ଧୂଆଁ କରିଥିଲେ। ଶ୍ବାସରୁଦ୍ଧ ହେବାରୁ ଝିଙ୍କ ଆପେ ଆପେ ବାହାରି ଆସିଥିଲା। ତାକୁ ଧରିବା ପରେ ଗୁମ୍ଫାରେ ଆହୁରି ଝିଙ୍କ ଥାଇ ପାରନ୍ତି ବୋଲି ଶିକାରୀମାନେ ଅନୁମାନ କରିଥିଲେ। ତେଣୁ ରାମଚନ୍ଦ୍ର ମାଢି ଏବଂ ସାଙ୍ଗା ମାଢି ଗୁମ୍ଫା ଭିତରେ ପଶିଥିଲେ। ଅନ୍ୟମାନେ ପୁଣି ନିଆଁ ଜାଳି ଧୂଆଁ କରିଥିଲେ। ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଉଭୟ ବାହାରକୁ ଆସି ନଥିଲେ। ସନ୍ଦେହ ହେବାରୁ ଅନ୍ୟମାନେ ଭିତରେ ପଶିଥିଲେ। ସେତେବେଳକୁ ରାମଚନ୍ଦ୍ରର ମୃତ୍ୟୁ ହୋଇଯାଇଥିବା ବେଳେ ସାଙ୍ଗା ଅଚେତ ହୋଇ ତଳେ ପଡ଼ିଥିଲା। ଗୁମ୍ଫା ବାହାରକୁ ଆଣି ସାଙ୍ଗାକୁ ଚିକିତ୍ସା ପାଇଁ ଗାଁକୁ ନିଆଯାଇଥିଲା। ଚେରମୂଳି ଚିକିତ୍ସା ପରେ ସେ ସୁସ୍ଥ ଥିବା ସୂଚନା ମିଳିଛି।

ଆଜି ସକାଳେ ଏହି ଘଟଣା ସଂପର୍କରେ କୌଣସି ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା। ଗୋଟିଏ ଟିମ୍ ପହଞ୍ଚିବା ବେଳକୁ ଗାଁ ଏକ ପ୍ରକାର ଶୂନଶାନ ରହିଥିଲା। ଲୋକେ ପଦାକୁ ବାହାରି ନଥିଲେ। ବାଧ୍ୟ ହୋଇ ଘର ଘର ବୁଲି ପଚରା ଉଚୁରା ଆରମ୍ଭ କରାଯାଇଥିଲା। ତେବେ ଗିରଫ ହେବା ଭୟରେ ଲୋକେ କିଛି କହି ନଥିଲେ। ଏପରିକି ଶିକାର ଘଟଣାକୁ ଖଣ୍ଡନ କରିଥିଲେ। ଗାଈ ଚରାଇବାକୁ ଯାଇ ପାହାଡ଼ ଉପରୁ ପଡ଼ି ରାମଚନ୍ଦ୍ରର ମୃତ୍ୟୁ ହୋଇଥିବା କହିଥିଲେ। ଏନେଇ ବନାଞ୍ଚଳ ଅଧିକାରୀ ବାସୁଦେବ ଜେନାଙ୍କୁ ପଚରାଯିବାରୁ ଉପରୋକ୍ତ ଘଟଣାକୁ ସେ ପରୋକ୍ଷରେ ସ୍ବୀକାର କରିବା ସହ ଗ୍ରାମବାସୀ ଶିକାରକୁ ଆଦୌ ଯାଇ ନଥିବା କହୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ତଥାପି ଘଟଣାର ଅଧିକ ତଦନ୍ତ କରୁଥିବା କହିଥିଲେ ବନାଞ୍ଚଳ ଅଧିକାରୀ। ତେବେ ଶିକାର କରିବାକୁ ଯାଇଥିବା ଅନ୍ୟମାନଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର