ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯିବ, ଟିଭି ଚାନେଲ୍ ଓ ୱେବପୋର୍ଟାଲ୍ ପାଇବେ ଫିଡ୍

ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିର ସମ୍ମୁଖକୁ ଯାଇପାରିବେନି ଭକ୍ତ

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । କରୋନା ଭାଇରସ ପାଇଁ ଏଥର କିନ୍ତୁ ଶ୍ରୀମନ୍ଦିର ସମ୍ମୁଖରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଗହଳି ହେବପାରିବ ନାହିଁ । ଏ ନେଇ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି । ଫଳରେ ଭକ୍ତମାନେ ଶ୍ରୀଜିଉଙ୍କୁ ସ୍ନାନ ସମୟରେ ଦର୍ଶନ କରିପାରିବେ ନାହିଁ । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗ୍ରହକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ‌ ଟିଭି ଓ ୱେବ ପୋର୍ଟାଲରେ ସ୍ନାନଯାତ୍ରାର ସିଧା ପ୍ରସାରଣ ଲାଗି ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚିଠି ଲେଖାଯାଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରାର ପ୍ରସାରଣ ବ୍ୟବସ୍ଥା କରି ଏହାକୁ ସମସ୍ତ ଚାନେଲ୍ ଓ ୱେବପୋର୍ଟାଲକୁ ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି।

ଚଳିତ ବର୍ଷ ସ୍ନାନଯାତ୍ରାକୁ କୌଣସି ଚ୍ୟାନେଲ ସିଧା ପ୍ରସାରଣ କରିପାରିବେ ନାହିଁ । ସମସ୍ତ ଚ୍ୟାନେଲ ଓ ୱେବ ପୋର୍ଟାଲ ସରକାରୀ ଫିଡ୍ ପାଇବେ । ସୂଚନା ଓ ଲୋକ ସଂପର୍କ ବିଭାଗ ସ୍ନାନଯାତ୍ରା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବ । ସୂଚନା ଓ ଲୋକ ସଂପର୍କ ବିଭାଗ ଲାଇଭ ଟେଲିକାଷ୍ଟ ଓ ୱେବକାଷ୍ଟର ବ୍ୟବସ୍ଥା କରିବ । ସେହିପରି ଲାଇଭ ଟେଲିକାଷ୍ଟର ସମସ୍ତ ଫିଡକୁ ବିଭାଗ ସବୁ ଚ୍ୟାନେଲକୁ ଦେବ । ଅନ୍ୟ କୌଣସି ଚ୍ୟାନେଲକୁ ସ୍ନାନଯାତ୍ରା କଭରେଜ ପାଇଁ ଅନୁମତି ମିଳିପାରିବ ନାହିଁ । ସ୍ନାନଯାତ୍ରା ପ୍ରସାରଣ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ସଚିବଙ୍କୁ ଚିଠି ଲେଖାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରାର ନୀତି ଚୂଡ଼ାନ୍ତ ହୋଇଛି। ନୀତି ସବ୍‌କମିଟି ଦ୍ବାରା ପ୍ରସ୍ତୁତ ନୀତିକାନ୍ତିର ନିର୍ଘଣ୍ଟ ସମୟ ଉପରେ ଛତିଶାନିଯୋଗ ଆଜି ମୋହର ମାରିଛି। ଚଳିତବର୍ଷ କରୋନା କଟକଣା ପାଇଁ ସଅଳ ନୀତି ସାରିବାକୁ ନିଷ୍ପତ୍ତି ହୋଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ ରାତି ଗୋଟାଏରୁ ଭୋର ୪ଟା ଭିତରେ ପହଣ୍ଡି ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରାପହଁରା ପରେ ପୂର୍ବାହ୍ଣ ୧୧ଟାରୁ ମହାପ୍ରଭୁଙ୍କ ହାତୀବେଶ ଆରମ୍ଭ ହେବ। ସ୍ନାନବେଦୀରେ ନୀତିକାନ୍ତି ଶେଷ ପରେ ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ସଂପାଦିତ ହେବ। ଆସନ୍ତା ୩୦ ତାରିଖ ପରିଚାଳନା କମିଟି ବୈଠକ ପରେ ନୀତିକାନ୍ତିରେ ଶେଷ ମୋହର ବାଜିବ। ଅନ୍ୟପଟେ କରୋନା କଟକଣା ପାଇଁ ଚଳିତବର୍ଷ ଭକ୍ତଙ୍କ ସାହାଣମେଲା ଦର୍ଶନ ବନ୍ଦ ରଖାଯାଇଛି।

ସମ୍ବନ୍ଧିତ ଖବର