ପୁଲିସ ନାଁ ନେଇ ବାରମ୍ବାର ବିଚ୍‌ ରାସ୍ତାରେ ଭିଡ଼ ଭିତରେ ଅନାୟାସରେ ଚକ୍‌ମା ଦେଖାଇ ଲୁଟୁଥିବା ‘ଇରାନି’ ଗ୍ୟାଙ୍ଗ୍‌ ମୁଖିଆ ସିକନ୍ଦର ଗିରଫ

ସହଯୋଗୀଙ୍କୁ ଧରିବାକୁ କର୍ଣ୍ଣାଟକରେ ପୁଲିସ୍‌ ଟିମ୍‌, ଓଡ଼ିଶା ସମେତ ୬ ରାଜ୍ୟରେ ସକ୍ରିୟ

ବ୍ରହ୍ମପୁର : ‌ଶେଷରେ ବ୍ରହ୍ମପୁର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ନାଁ ନେଇ ବାରମ୍ବାର ବିଚ୍‌ ରାସ୍ତାରେ ଭିଡ଼ ଭିତରେ ଅନାୟାସରେ ଚକ୍‌ମା ଦେଖାଇ ଲୁଟୁଥିବା ‘ଇରାନି’ ଗ୍ୟାଙ୍ଗ୍‌ ମୁଖିଆକୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ସେ ହେଉଛି କର୍ଣ୍ଣାଟକ ବିଦର ଜିଲ୍ଲା ଗାନ୍ଧୀଗଞ୍ଜ ଥାନା ହୁସାଇନି କଲୋନି ବାସିନ୍ଦା ସିକନ୍ଦର ଅଲ୍ଲୀ(୩୮)।

ପୁଲିସ୍‌ ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇ କହିଛନ୍ତି ଯେ, ଏହି ଗ୍ୟାଙ୍ଗ୍ ବ୍ରହ୍ମପୁର ସହରର ୭ଟି ସ୍ଥାନରେ ପୁଲିସ ନାଁ ନେଇ ଲୋକଙ୍କ ଠାରୁ ସୁନା ଗହଣା ଲୁଟ୍‌ କରିଥିବାବେଳେ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଟେକିଲି ଥାନା ଇଲାକାରେ ମଧ୍ୟ ଏଭଳି ଏକ ଘଟଣା ଘଟାଇଛନ୍ତି। ଇରାନି ଗ୍ୟାଙ୍ଗ୍‌ ନାଁରେ ବିଭିନ୍ନ ରାଜ୍ୟରେ ଏମାନେ ଅପରେଟ୍‌ କରୁଛନ୍ତି। ଗ୍ୟାଙ୍ଗ୍‌ ମୁଖିଆ ସିକନ୍ଦରକୁ ଧରିଥିବା ବେଳେ ଫେରାର୍‌ ସହଯୋଗୀଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ କର୍ଣ୍ଣାଟକ ଯାଇଥିବା ଏଏସ୍‌ପି ଶ୍ରୀ ରାଉତରାୟ ଗୋସାଇଁନୂଆଗାଁ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଲୁଟେରାଙ୍କ ବଂଶଜ ଇରାନ୍‌ରୁ ଭାରତକୁ ଚାଲି ଆସି ଏଠାରେ ଯାଯାବର ଭାବେ ରହି ଆସୁଥିଲେ। ପରେ ସେମାନେ ଲୋକଙ୍କୁ ବିଭିନ୍ନ ଉପାୟରେ ଠକିବା ଆରମ୍ଭ କରିଥିଲେ। ତେଣୁ ଏହି ଠକମାନଙ୍କୁ ଇରାନି ଗ୍ୟାଙ୍ଗ୍‌ ବୋଲି କୁହାଯାଉଛି। ଏମାନଙ୍କର ବିଭିନ୍ନ ଗ୍ୟାଙ୍ଗ୍‌ ଅଛନ୍ତି। ବିଗତ ବର୍ଷରେ କଟକ ପୁଲିସ ଦ୍ବାରା ଏକ ଗ୍ୟାଙ୍ଗ୍‌ ଧରାପଡ଼ିଥିଲେ। କିନ୍ତୁ ବ୍ରହ୍ମପୁର ପୁଲିସ ହାତରେ ଧରାପଡ଼ିଥିବା ସିକନ୍ଦର ପ୍ରଥମଥର ପାଇଁ ଗିରଫ ହୋଇଛି। ଏହି ଇରାନି ଗ୍ୟାଙ୍ଗ୍ କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଲୁଟ୍‌ କରିବା ପରେ ଓଡ଼ିଶାରେ ଗତ କିଛିବର୍ଷ ହେଲା ଲଗାତାର ଏଭଳି ଘଟଣା ଘଟାଇ ଚାଲିଥିଲେ। ଓଡ଼ିଶାର ବ୍ରହ୍ମପୁର ସମେତ ଭୁବନେଶ୍ବର, କଟକ, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଭଳି ସହରରେ ଏମାନେ ପୁଲିସ ନାଁ ନେଇ‌ ଲୋକଙ୍କ ଠାରୁ ସୁନା ଗହଣା ଠକିଛନ୍ତି। ଲୁଟ୍‌ କରିବା ପରେ ଏମାନେ ବାଇକ୍‌ରେ ଦ୍ରୁତଗତିରେ ଚମ୍ପଟ ମାରୁଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର