ଶ୍ରୀଜଗନ୍ନାଥ ମନ୍ଦିର ମାମଲା: ୬ଟି ମନ୍ଦିରର ମରାମତି ଆବଶ୍ୟକ

ହାଇକୋର୍ଟରେ ଏଏସ୍‌ଆଇର ସତ୍ୟପାଠ

କଟକ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଜଳକ୍ରୀଡ଼ା ମଣ୍ଡପ, ଝୁଲଣ ମଣ୍ଡପ ସମେତ ମୁକ୍ତିମଣ୍ଡପ, ମା’ ସର୍ବ ମଙ୍ଗଳା ମନ୍ଦିର, ଆଦି ନୃସିଂହ ମନ୍ଦିର, ମା’ ମହାଲକ୍ଷ୍ମୀ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ତୁରନ୍ତ ମରାମତି କରାଯିବା ଆବଶ୍ୟକ ବୋଲି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଳେଖ କାରାଯାଇଛି। ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିର ଓ ମଣ୍ଡପ ଗୁଡିକର ଏଏସଆଇର ଇଂଜିନିୟର ଓ ଅଧିକାରୀ ଯାଞ୍ଚ କରିଥିଲେ। ଯାଞ୍ଚରୁ ଉପରୋକ୍ତ ୬ଟି ମନ୍ଦିରର ତୁରନ୍ତ ମରାମତି ଆବଶ୍ୟକ ବୋଲି ଜଣାପଡିଛି। ଏଥିସହିତ ପାତାଳେଶ୍ୱର ମନ୍ଦିର, ବୈକୁଣ୍ଠେଶ୍ୱର ମନ୍ଦିର, ମା ଅନ୍ନପୂର୍ଣ୍ଣା ମନ୍ଦିର, ରାମ ମନ୍ଦିର, ବରଭୟ ହନୁମାନ ମନ୍ଦିରର ମରାମତି କରାଯିବା ଆବଶ୍ୟକ ବୋଲି ଯାଞ୍ଚ ସମୟରେ ସ୍ପଷ୍ଟ ହୋଇଥିଲା। ସିଂହଦ୍ୱାର ଓ ପଶ୍ଚିମ ଦ୍ୱାରର ଭିତର ଗୁମୁଟ ସହିତ ପ୍ରତିହାରୀ ନିଯୋଗ-ରାଧାକୃଷ୍ଣ ମନ୍ଦିରର ମଧ୍ୟ ମରାମତି କରାଯିବା ଦରକାର ବୋଲି ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରିଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ତୁରନ୍ତ ମନ୍ଦିର ପରିସରରେ ଥିବା ଏହି ସବୁ ମନ୍ଦିର, ମଣ୍ଡପ ଓ ଦ୍ୱାରର ଭିତର ଗୁମୁଟର ମରାମତି ପାଇଁ ପଦକ୍ଷେପ ନେବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏହି ସବୁ ପ୍ରସ୍ତାବିତ ମରାମତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏଏସଆଇ ସବିଶେଷ ରିପୋର୍ଟ ଦାଖଲ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏଏସଆଇ ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍‌.ଏ.ନାୟକଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଜୟ ବିଜୟ ଦ୍ୱାରର ମରାମତି କାର୍ଯ୍ୟ ମେ’ ୧୨ରୁ ଆରମ୍ଭ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ଏପ୍ରିଲ ୧୮ରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଜୟବିଜୟ ଦ୍ୱାର ମରାମତି ପାଇଁ ମେ’ ୧ରୁ ସ୍ଥାନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ଚିଠି ଲେଖିଥିଲା। କିନ୍ତୁ ମେ’ ୧୧ରେ ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲା। ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ମରାମତି କାର୍ଯ୍ୟ କରିବା ପାଇଁ ଅନୁମତି ଦିଆଯାଇଥିଲା। ସକାଳେ ମଙ୍ଗଳ ଆଳତିରୁ ଦ୍ୱାରପାଳ ପୂଜା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟାହ୍ନ ଧୂପରୁ ସଂଧ୍ୟା ଆଳତି ପର୍ଯ୍ୟନ୍ତ ମରାମତି କାମ କରିବା ପାଇଁ ପ୍ରଶାସନ ଅନୁମତି ଦେଇଥିଲା। ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତି ପାଇଁ ମରାମତି କାର୍ଯ୍ୟ କେତେକ ଦିବସରେ ବନ୍ଦ ରହିବ ଓ ଏ ସଂପର୍କରେ ପୂର୍ବରୁ ସୂଚନା ଦିଆଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ମେ’ ୧୧ର ଚିଠିକୁ ଏଏସଆଇ ହାଇକୋର୍ଟରେ ଦାଖଲ କରିଥିଲା ଓ ଦର୍ଶାଇଥିଲା ଯେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ମେ’ ୧୨ରୁ ଜୟବିଜୟ ଦ୍ୱାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ଦିନ ଦୁଇଟି ପର୍ଯ୍ୟାୟରେ ମରାମତି କାର୍ଯ୍ୟ ସଂପାଦନ କରାଯାଉଛି। କିନ୍ତୁ ଏହି ମରାମତି କାର୍ଯ୍ୟ ପାଇଁ କେତେ ଦିନ ଲାଗିବ ସେ ନେଇ ସତ୍ୟପାଠରେ କିଛି ଉଲ୍ଲେଖ କରାଯାଇ ନଥିଲା। ଅନ୍ୟପକ୍ଷରେ ଜୟବିଜୟ ମରାମତି କାର୍ଯ୍ୟ ପାଇଁ ୩୦ ଦିନ ଲାଗିବ ବୋଲି ପୂର୍ବରୁ ଏଏସଆଇ ଶୁଣାଣି ସମୟରେ ଦର୍ଶାଇଥିଲା। ପ୍ରତି ଦିନ ନିର୍ଦ୍ଧାରିତ ସମୟଠାରୁ କମ୍‌ ସମୟ ମରାମତି ପାଇଁ ଏଏସଆଇକୁ ପ୍ରଦାନ କରାଯାଉ ଥିବା ବେଳେ ଏହି କାର୍ଯ୍ୟ କେବେ ସରିବ ସେ ନେଇ ଏଏସଆଇ ସନ୍ଦେହରେ ଥିବା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ ସମୟରେ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଆଜି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮, ଜୁଲାଇ ୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର