ଏପ୍ରିଲ ୭ରୁ ଜେଇଇ ମେନ୍‌-୨

୭୦% ଜେଇଇ ମେନ୍‌-୧ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି

ଭୁବନେଶ୍ବର: ଇଞ୍ଜିନିୟରି˚ ଓ ଆର୍କିଟେକ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌-୨ ପରୀକ୍ଷା ଏପ୍ରିଲ ୭ରୁ ୨୦ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟି˚ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଗତ ଜାନୁଆରି ୮ରୁ ୧୨ ମଧ୍ୟରେ ହୋଇଥିଲା। ସେଥିରେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଛାତ୍ରଛାତ୍ରୀ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ‌ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଅର୍ଥାତ୍‌ ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାନ୍ତି। ଚଳିତବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ବର୍ଷକୁ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ହେବା ପରେ ଛାତ୍ରଛାତ୍ରୀ ଏହାର ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି। ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ରୢାଙ୍କ ପ୍ରସ୍ତୁତ କରାଯିବ। ତେଣୁ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇଥିଲେ ସେମାନେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ଭଲ କରିବା ଆଶାରେ ଏଥର ବି ନାମ ପଞ୍ଜୀକରଣ କରିଛନ୍ତି। ଦୁଇଟି ପର୍ଯ୍ୟାୟ ଜେଇଇ ମେନ୍‌ ମଧ୍ୟରୁ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ୨ ଲକ୍ଷ ୪୦ହଜାର ଛାତ୍ରଛାତ୍ରୀ ଆଇଆଇଟି ଓ ଏନ୍‌ଆଇଟି ଭଳି ଜାତୀୟସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ିବା ପାଇଁ ସୁଯୋଗ ପାଇବେ। ଦ୍ୱିତୀୟ ଜେଇଇ ମେନ୍ ଲାଗି ଗତ ୭ ତାରିଖରେ ନାମ ପଞ୍ଜୀକରଣ ଶେଷ ହୋଇଛି। ସାରା ଦେଶରେ ୯ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୬୯ ହଜାର ପ୍ରଥମ ଜେଇଇ ମେନ୍ ଦେଇ ସାରିଛନ୍ତି। ୩ ଲକ୍ଷ ୧୪ ହଜାର ନୂଆ ଆବେଦନକାରୀ ଅଛନ୍ତି। ଓଡ଼ିଶାରୁ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏଥର ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଦୁଇଟି ଜେଇଇ ମେନ୍ ସରିବା ପରେ ଏନ୍‌ଟିଏ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ କରିବ। ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବ। ପେପର-୧(ମ୍ୟାଥମେଟିକ୍ସ, ଫିଜିକ୍ସ ଓ କେମେଷ୍ଟ୍ରି) ପରୀକ୍ଷା ଦୁଇଟି ସିଫ୍ଟ(ସକାଳ ୯ଟା ୩୦ରୁ ୧୨ଟା ୩୦ ଓ ଅପରାହ୍‌ଣ ୨ଟା ୩୦ରୁ ୫ଟ ୩୦)ରେ ଅନୁଷ୍ଠିତ ହେବ। ପେପର୍‌-୨(ବି ଆର୍କ/ବି ପ୍ଲାନି˚) ପରୀକ୍ଷା ଦୁଇରୁ ଅଧିକ ସିଫ୍ଟରେ ହୋଇପାରେ।

ସମ୍ବନ୍ଧିତ ଖବର