ବଡ଼ଦିନରେ ଯୀଶୁ ଜନ୍ମ ହୋଇନଥିଲେ: ଭର୍ତ୍ତୃହରି

କଟକ : ‘ଡିସେମ୍ବର ୨୫ତାରିଖ ବଡ଼ଦିନ ଭାବେ ପାଳନ କରାଯାଏ । କିନ୍ତୁ ପ୍ରକୃତରେ ଏହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ନୁହେଁ। ଏହି ଦିନ କେରଳରେ ମଧ୍ୟ ବଡଦିନ ପାଳନ କରାଯାଏ ନାହିଁ।’ ଖବରକାଗଜରେ ନିଜ ଲେଖାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ଉପରୋକ୍ତ ବକ୍ତବ୍ୟ ଦେଇ ପୁଣି ବିବାଦରେ ଫସିଛନ୍ତି। କଟକର ଶ୍ରୀରାମଚନ୍ଦ୍ର ଭବନରେ ‘ଫ୍ରି ଥିଙ୍କର୍ସ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଭର୍ତ୍ତୃହରି ଖୋଲାମଞ୍ଚରେ ଏହି ବକ୍ତବ୍ୟ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋପ୍‌ଙ୍କ ଆଧିପତ୍ୟ ବଢିବା ପରେ ଡିସେମ୍ବର ୨୫କୁ ବଡଦିନ ଭାବେ ପାଳନ କରାଯାଉଛି। ମାତ୍ର ଦୁଇ ହଜାର ବର୍ଷର ଇତିହାସକୁ ଦେଖିଲେ ଯୀଶୁଙ୍କ ଯେଉଁ ଚିତ୍ର ଏବେ ଦେଖିବାକୁ ମିଳୁଛି, ତାହା ବାସ୍ତବ ନୁହେଁ ବୋଲି ଶ୍ରୀ ମହତାବ କହିଥିଲେ। ଗ୍ରୀକ୍‌ ଦାର୍ଶନିକ ହାଫିଜ ସାଫିଆଙ୍କ ଅନୁଯାୟୀ ଯୀଶୁଙ୍କ ଚିତ୍ର ସଂପୂର୍ଣ୍ଣ ଅଲଗା । ଆଫ୍ରିକାରେ ଯୀଶୁଙ୍କ ପ୍ରତିମୂର୍ତ୍ତିରେ କଳା ଚିହ୍ନ ରହିଛି । ତାହା ମଧ୍ୟ ବାସ୍ତବ ନୁହେଁ । ଏସବୁ ଚିନ୍ତାଧାରା ବ୍ୟକ୍ତିଗତ ଭାବନା ଉପରେ ଅଧାରିତ ଏବଂ ଏହାକୁ ନେଇ ଖ୍ରୀଷ୍ଟଧର୍ମରେ ମତପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି । ସେହିପରି ଧର୍ମ ଉପରେ ଶାସନତନ୍ତ୍ରର ପ୍ରଭାବ ରହିବା ଉଚିତ ନୁହେଁ ଏବଂ ଇତିହାସରେ ଏପରି ଉଦାହରଣ ଅଧିକ ବୋଲି ଶ୍ରୀ ମହତାବ ଜୋର କରି କହିଥିଲେ।

ଅନ୍ୟପଟେ ଶ୍ରୀ ମହତାବଙ୍କ ଏହି ମତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । ଶ୍ରୀ ସାମନ୍ତରାୟ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ।ଏପରି ବୟାନ ତାଙ୍କ ଦଳ ପାଇଁ ଖରାପ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି । ଅନ୍ୟପଟେ ଶ୍ରୀ ମହତାବଙ୍କ ଏହି ବୟାନ ଉପରେ ମତ ରଖି ଜଣେ ଖୀଷ୍ଟ୍ରଧର୍ମ ଗୁରୁ କହିଛନ୍ତି, ଭର୍ତ୍ତୃହରି ବାବୁ କ’ଣ ପାଇଁ ଏ କଥା କହିଲେ ତାହା ତାଙ୍କୁ ଜଣାନାହିଁ । ମାତ୍ର ଡିସେମ୍ବର ୨୪ ତାରିଖ ରାତିରେ ପ୍ରଭୁ ଯୀଶୁ ଜନ୍ମ ହୋଇଥିଲେ ଏବଂ ୨୫ ତାରିଖରେ ତାଙ୍କ ଜନ୍ମୋତ୍ସବ ପାଳିତ ହୋଇଥିଲା ବୋଲି ସଂପୃକ୍ତ ଧର୍ମଗୁରୁ କହିଛନ୍ତି।

ସମ୍ବନ୍ଧିତ ଖବର