ଦୁଇ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କଲା ‌ଜେଏମ୍‌ଏମ୍‌, ବାଙ୍ଗିରିପୋଷିରୁ ଟିକେଟ୍‌ ପାଇଲେ ଫାଗୁ ହାଁସଦା

ବାରିପଦା/କଳାବାଡ଼ିଆ/ରାଇରଙ୍ଗପୁର : ପ୍ରାର୍ଥୀ ଘୋଷଣା କରିବାର ୨ ଦିନ ନ ଯାଉଣୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ଜେଏମ୍‌ଏମ୍‌। ଜିଲ୍ଲାର ମୋରଡ଼ା, ବାଙ୍ଗିରିପୋଷି, ସାରସକଣା ଏବଂ ରାଇରଙ୍ଗପୁର ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ଦଳ ବାଙ୍ଗିରିପୋଷି ଏବଂ ରାଇରଙ୍ଗପୁର ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଜିଲ୍ଲା ସଭାପତି ଫାଗୁ ହାଁସଦାଙ୍କୁ ଦଳ ବାଙ୍ଗିରିପୋଷିରେ ପ୍ରାର୍ଥୀ କରିଛି। ପୂର୍ବରୁ ଏଠାରୁ ଦଳୀୟ ଟିକେଟ୍‌ ପାଇଥିବା ସୁନ୍ଦର ମୋହନ ସିଂହଙ୍କ ଟିକେଟ୍‌ କଟିଛି। ସେହିପରି ରାଇରଙ୍ଗପୁର ଆସନରେ ଦଳ ବରିଷ୍ଠ ନେତା ରାମଚନ୍ଦ୍ର ମୁର୍ମୁଙ୍କ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏଠାରୁ ପ୍ରାର୍ଥୀ ହୋଇଥିବା ସୁନାରାମ ଟୁଡ଼ୁଙ୍କ ଟିକେଟ୍‌ କଟିଛି। ବୁଧବାର ପ୍ରାର୍ଥୀ ଘୋଷଣା ହେବା ପରେ ଜେଏମ୍‌ଏମ୍‌ରେ ଅସନ୍ତୋଷ ଦେଖା ଦେଇଥିଲା। ବାଙ୍ଗିରିପୋଷି ପାଇଁ ପ୍ରମୁଖ ଦାବିଦାର ଥିବା ଜିଲ୍ଲା ସଭାପତି ଫାଗୁ ଟିକେଟ ନ ପାଇ ଶୀର୍ଷ ନେତୃତ୍ବଙ୍କ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଦଳୀୟ ସୁପ୍ରିମୋ ଶିବୁ ସୋରେନ୍‌ଙ୍କ ହସ୍ତକ୍ଷେପ ପରେ ଫାଗୁଙ୍କୁ ବାଙ୍ଗିରିପୋଷି ପାଇଁ ଚୟନ କରାଯାଇଥିଲା। ସେହିପରି ରାଇରଙ୍ଗପୁରରେ ମଧ୍ୟ ଟିକେଟ୍‌ ଚୟନକୁ ନେଇ ଅସନ୍ତୋଷ ଦେଖା ଯାଇଥିଲା। ଫଳରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିଲା। ତେବେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଜେଏମ୍‌ଏମ୍‌ ମୁଖପାତ୍ର ଅଜେନ୍‌ ମୁର୍ମୁ ଗତକାଲି ବିଜେଡ଼ିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର