ଥାନା ଅବସ୍ଥା ଦେଖି ହାଇକୋର୍ଟ ବିଚାରପତି କ୍ଷୁବ୍ଧ : ମହିଳା ଡେସ୍କ ତାଲା ଖୋଲୁନି, ଚେୟାରରେ ଧୂଳି ଆସ୍ତରଣ, ଅଧ ଘଣ୍ଟା ବର୍ଷିଲେ, ଏସ୍‌ପିଙ୍କୁ ଡକାଇଲେ

ବ୍ରହ୍ମପୁର : ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍‌ ଜିଲ୍ଲା ପୁଲସ ଅପରାଧୀ ଦମନ ଅଭିଯାନ ଓ ଏନ୍‌କାଉଣ୍ଟର କ୍ଷେତ୍ରରେ ରେକର୍ଡ଼ କରିଛି। କିନ୍ତୁ ଜନତାଙ୍କ ବିଶ୍ୱାସ ଜିତି ପାରୁନି କି ମହିଳାଙ୍କୁ ସୁରକ୍ଷା ଦେଇପାରୁନି। ସାଧାରଣ ଲୋକଙ୍କ ଆସ୍ଥା ଜିତିବାକୁ ଆଉ ଏକ ନୂଆ ଯୋଜନା ‘ସ୍ୱୟଂସିଦ୍ଧା’ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଥାନାରେ ମହିଳା ଓ ଶିଶୁ ଡେସ୍କ ୧୨ ବର୍ଷ ହେଲା କୋମାରେ। ଆଜି ଓଡ଼ିଶା ହାଇକୋର୍ଟ ବିଚାରପତି ତଥା ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟିର ସଦସ୍ୟ ଜଷ୍ଟିସ୍‌ ବିଶ୍ୱନାଥ ରଥ ଅଚାନକ ବ୍ରହ୍ମପୁରର କେତେକ ଥାନା ଗସ୍ତ କରି ଘୋର ଅବ୍ୟବସ୍ଥା ନିଜ ଆଖିରେ ଦେଖି ପ୍ରବଳ ବିରକ୍ତି ହେବା ସହ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ଖାଲି ସେତିକି ନୁହେଁ, ଏସ୍‌ପିଙ୍କୁ ଥାନାକୁ ଡକାଇ ଅବସ୍ଥାରେ ସୁଧାର ଆଣିବାକୁ ତାଗିଦ୍‌ କରିଥିଲେ।

ଆଜି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ରଥ ମଧ୍ୟାହ୍‌ଣ ୧୨ଟା ୪୦ରେ ବ୍ରହ୍ମପୁର ସହରର କେନ୍ଦ୍ରସ୍ଥଳ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଆଇଆଇସିଙ୍କୁ ମହିଳା ଓ ଶିଶୁ ଡେସ୍କ ଦେଖାଇବାକୁ କହିଥିଲେ। କିନ୍ତୁ ପ୍ରକୋଷ୍ଠ ବନ୍ଦ ପଡ଼ିଥିଲା। ମହିଳା ଡେସ୍କ ଇନ୍‌ଚାର୍ଜଙ୍କଠାରୁ ଆରମ୍ଭ କରି ଦୁଇ ଚାରି ଜଣ ପୁଲିସ୍‌ କର୍ମଚାରୀ ଦୀର୍ଘ ୧୦-୧୫ ମିନିଟ ଝାଳନାଳ ହୋଇ ୩-୪ଟି ଚାବି ପେନ୍ଥା ଆଣି ଚେଷ୍ଟା କରିବା ପରେ ମଧ୍ୟ ଚାବି ଖୋଲିନଥିଲା। ଡେସ୍କ ବାହାରେ ଆଗନ୍ତୁକଙ୍କ ବସିବା ପାଇଁ ଉଦ୍ଦିଷ୍ଟ ଚେୟାର୍‌ ଟେବୁଲ୍‌ ଉପରେ ଇଞ୍ଚେ ବହଳ ଧୂଳି ଜମିଥିବା ଦେଖି ଜଷ୍ଟିସ୍‌ ରଥ ବିରକ୍ତି ହେବା ସହ ଦୀର୍ଘ ଦିନ ଧରି ଡେସ୍କ ଖୋଲା ଯାଇନଥିବା ଜାଣି ଆଇଆଇସିଙ୍କୁ ତାଗିଦ୍‌ କରିଥିଲେ। ଥାନା ଆଇଆଇସି କହିଲେ ସବୁ ଦିନ ସଫା ହେଉଛି। ଡେସ୍କ୍‌ ଇନ୍‌ଚାର୍ଜ କହିଲେ, ଗତକାଲି ଜଣେ ମହିଳା ପାରିବାରିକ କଳହକୁ ନେଇ ଏଠାକୁ ଆସିଥିଲେ। ଏହାଶୁଣି ସେମାନଙ୍କୁ କେଉଁଠାରେ ବସାଇଥିଲ ବୋଲି ଜଷ୍ଟିସ୍‌ ରଥ ପ୍ରଶ୍ନ କରିଥିଲେ। ଇନ୍‌ଚାର୍ଜ କହିଲେ, ତାଙ୍କୁ ପରାମର୍ଶ ଦେଇ ମହିଳା ଥାନା ପଠାଇ ଦେଇଥିଲୁ। ଜଷ୍ଟିସ୍‌ ରଥ ଏଥିରେ ଖପା ହୋଇ କହିଲେ, ‘କ’ଣ ଠିଆ ଠିଆରେ ଥାନା ଦୁଆରୁ ପରାମର୍ଶ ଦେଇ ପଠାଇଦେଲ, ଜଣେ ସକରକାରୀ କର୍ମଚାରୀ ହୋଇ ମିଛ କହିବା ଶୋଭା ଦେଉନାହିଁ।’ ଏହାପରେ ଥାନାର ମହିଳା ସେଲ୍‌ ଦେଖିଥିଲେ। ସେଲ୍‌ ଭିତରେ ଭଙ୍ଗା ଚେୟାର୍‌ ଟେବୁଲ୍‌ ସବୁ ରଖାଯାଇଥିଲା। ନିଜ ସହ ଆସିଥିବା ଅନ୍ୟ ଅଧିକାରୀଙ୍କୁ ଏହାର ଫଟୋ ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦେବା ସହ ଏସ୍‌ପିଙ୍କୁ ତତ୍‌କ୍ଷଣାତ୍‌ ଡକାଇ ଥାନା ସ୍ଥିତିରେ ସୁଧାର ଆଣିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର