ଚୋର ଧରିବାକୁ ଗାଁରେ ବୁଲିଲା ଖଟ, ବିଚାର କଲା କଂଗାରୁ କୋର୍ଟ

ନରସିଂହପୁର: ଚୋର ଧରିବାକୁ ଗାଁରେ ବୁଲୁଛି ଖଟ। ଏବେ ବି ଲୋକଙ୍କ ମନରେ ଗୁଣି ଗାରେଡିର ବିଶ୍ୱାସ। ନରସିଂହପୁର  ଥାନା ଅନ୍ତର୍ଗତ ଆଇଁସିଆରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କାଳନ୍ଦୀ ସାହୁଙ୍କ ଘରେ ଘଟିଥିବା ଚୋରି ଘଟଣାରେ ଆଜି  ଅତ୍ୟନ୍ତ ବିବାଦୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଥାନାରେ ଏତଲା ଦିଆଯିବାର ୮ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ ‌େକୗଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଆଜି ଚୋରକୁ ଧରିବାକୁ ଗାଁରେ ଖଟ ବୁଲୁଥିବା ଦେଖିବାକୁ ମିଳିଥିଲା। ଖଟକୁ ଚାରି ଜଣ ଯୁବକ ଚାରି ପଟୁ ଧରି ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଗୁଣିଆ ନିର୍ଦେଶରେ ବୁଲିଥିଲେ। ଶେଷରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ କବାଟ ଭାଙ୍ଗି ଧସେଇ ପଶିଥିଲେ ସେମାନେ। ଏହି ଦୃଶ୍ୟ ଦେଖିବାକୁ ଗାଁରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସନ୍ଦେହରେ ଅଭିଯୁକ୍ତକୁ ଆଣି ଗାଁରେ ଏକ କଂଗାରୁ କୋର୍ଟ ବସିଥିଲା। ଗାଁ ଲୋକେ ଏକାଠି ହୋଇ ତା’ ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ଅନ୍ୟ ଅଭିଯୁକ୍ତଙ୍କ ନାମ ଜାଣିବାକୁ ପାଇଥିଲେ। କଂଗାରୁ କୋର୍ଟ ଏବେ କି ନ୍ୟାୟ ଦେଉଛି ତାହାକୁ ଏବେ ଅପେକ୍ଷା ରହିଛି। ଏ ସଂପର୍କରେ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କୁ ଯୋଗାଯୋଗ କରିବାରୁ ଖଟ ବୁଲିବା ଓ କଙ୍ଗାରୁ କୋର୍ଟ ସଂପର୍କରେ ତାଙ୍କ ପାଖରେ ଖବର ନାହିଁ ବୋଲି କହିଛନ୍ତି। ଏଥିସହ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ତଦନ୍ତ ପ୍ରକ୍ରିୟା ମଧ୍ୟ ଆଗେଇ ପାରୁ ନଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର