ସଂଘ ନିଜ ଅପେକ୍ଷା ଲୋକଙ୍କ କଥା ଚିନ୍ତା କରୁ: ସୌମ୍ୟରଞ୍ଜନ

କେନ୍ଦୁପତ୍ର କର୍ମଚାରୀ ସଂଗଠନର ସମାବେଶ

ଭବାନୀପାଟଣା : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଅନ୍ୟମନସ୍କ ହେବା ପାଇଁ ମନା କରାଯାଏ। କିନ୍ତୁ ସଂଘ କ୍ଷେତ୍ରରେ ଅନ୍ୟମନସ୍କ ହେବା ସହିତ ନିଜକଥା ଅପେକ୍ଷା ଲୋକଙ୍କ କଥା ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି। ୩୦ ବର୍ଷ ତଳେ କେନ୍ଦୁପତ୍ର କର୍ମଚାରୀମାନେ ସରକାରଙ୍କୁ ନିୟନ୍ତ୍ରଣ କରୁଥିଲେ। ବର୍ତ୍ତମାନ ପୁଣି ଏହି ଚାବିକାଠିକୁ ନିଜ ହାତକୁ ଆଣିବା ସହ ମିଛ ପ୍ରତିଶ୍ରୁତିରେ ପ୍ରଲୋଭିତ ନହୋଇ ପ୍ରତିଶ୍ରୁତି ପୂରଣ କରୁଥିବା ସରକାର ପ୍ରତି ଆସ୍ଥା ରଖିବା ଉଚିତ ବୋଲି ରାଜ୍ୟସଭା ସାଂସଦ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ମେଦିନୀପୁର ହାଇସ୍କୁଲ ଖେଳ ପଡିଆଠାରେ କେନ୍ଦୁପତ୍ର କର୍ମଚାରୀ ସଂଗଠନର ସମାବେଶରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସେ କହିଛନ୍ତି, କେନ୍ଦୁପତ୍ର କର୍ମଚାରୀମାନେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବା ଉଚିତ। କର୍ମଚାରୀମାନଙ୍କର ସିଧାସଳଖ କେନ୍ଦୁପତ୍ର ତୋଳାଳିମାନଙ୍କ ସହିତ ସମ୍ପର୍କ ରହିଥାଏ; ଯେଉଁଠି ସରକାରୀ କଳ ସେମାନଙ୍କ ପାଖରେ ଅନେକ ସମୟରେ ପହଞ୍ଚି ପାରିନଥାଏ। କର୍ମଚାରୀମାନେ ଜଙ୍ଗଲ ନଷ୍ଟ ରୋକିବାରେ ମଧ୍ୟ ସହଯୋଗ କରିବା ଉଚିତ। ବିଭାଗ ଯେଉଁଠି ସମସ୍ତ କର୍ମଚାରୀଙ୍କୁ ଏକାଠି କରିପାରୁ ନାହିଁ କର୍ମଚାରୀ ସଂଗଠନ ଏହି କାମକୁ ସଫଳ କରିପାରିଛି। ଭାରତରେ ଜାତୀୟ ଅର୍ଥନୀତି ଭୁଷୁଡିବାରେ ଲାଗିଥିବା ଯୋଗୁଁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ପୂର୍ଣ୍ଣକାଳୀନ ନିଯୁକ୍ତି ପାଇଁ କର୍ମଚାରୀ ସଂଗଠନର ଦାବିକୁ ସେ ଯଥାର୍ଥ ବୋଲି କହିଥିଲେ। କର୍ମଚାରୀଙ୍କ ବିଭିନ୍ନ ସମସ୍ୟ‌ା ସେ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କେନ୍ଦୁପତ୍ର ସଂଗ୍ରହ ଟାର୍ଗେଟ ହାସଲରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅଭିନନ୍ଦନ ଜ୍ଞାପନ କରିଥିଲେ।

କର୍ମଚାରୀ ସଂଘର ଜିଲ୍ଲା ସଭାପତି ଅଲେଖ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଭବାନୀପାଟଣା କେନ୍ଦୁପତ୍ର ଡିଏଫ୍‌ଓ ମଳୟ କୁମାର ଦାସ, ଅନ୍ୟତମ ସମ୍ମାନିତ ଅତିଥି କେନ୍ଦୁପତ୍ର ଏସିଏଫ୍‌ ନରହରି ସ୍ବାଇଁ ଯେ, ଉପଦେଷ୍ଟା ତଥା ଜିଲ୍ଲାପରିଷଦ ପୂର୍ବ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାଏକ, କେନ୍ଦୁପତ୍ର କର୍ମଚାରୀ ସଂଗଠନର ରାଜ୍ୟ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ । ଶୁଭେନ୍ଦୁ କୁମାର ବିଶି ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର