ଲିକେଜ କିରୋସିନ ଆଳରେ ଚାଲିଛି ବ୍ୟାପକ ଦୁର୍ନୀତି, ଯୋଗାଣ ବିଭାଗ ଓ ଡିଲର ମିଶି କରୁଛନ୍ତି ହରିଲୁଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗରିବ ଲୋକମାନଙ୍କ ଡିବିରିକୁ ଆଲୁଅ ଦେବା ପରିବର୍ତ୍ତେ ହଜାର ହଜାର ଲିଟର କିରୋସିନ ଡିପୋରୁ ଆଣାଯାଉଥିବା ବେଳେ ଲିକେଜ ଦର୍ଶାଇ ବ୍ୟାପକ ଦୁର୍ନୀତି ହେଉଛି । ବିଭାଗୀୟ ଅଧିକାରୀ ଓ ଡିଲର ମିଶି ଏହି କିରୋସିନ ହରିଲୁଟ କରୁଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Business Line

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଗରିବ ଲୋକଙ୍କୁ ରାସନକାର୍ଡ ପିଛା ୨ ଲିଟର କିରୋସିନ ପ୍ରଦାନ କରାଯାଇଥାଏ । ଲୋକଙ୍କ ଡିବିରିକୁ ଆଲୁଆ ଦେବା ପରିବର୍ତେ ଜିଲ୍ଲା ଯୋଗାଣ ବିଭାଗ ଓ ଡିଲର ମାନଙ୍କ ଅସାଧୁମେଣ୍ଟ ଯୋଗୁଁ କିରୋସିନ ଦିଆନଯାଇ ଆଲୁଅ ଛଡେଇ ନିଆଯାଏ । ବର୍ଷ ବର୍ଷ ଧରି କିରୋସିନ ଦୁର୍ନୀତି ଚାଲିଥିଲା ମଧ୍ୟ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥାଏ । ତଳୁ ଉପର ଯାଏଁ ପିସି ଓ ହାତଗୁଞ୍ଜା ଯୋଗୁଁ ସରକାରୀ ବାବୁଙ୍କ ପକେଟ ଗରମ ହୋଇଥାଏ । ଅନ୍ୟ ପକ୍ଷରେ ଅନ୍ଧାରିମୂଳକରେ ଡିବିରି ଆଲୁଅଟିଏ ଗରିବଙ୍କ ପାଇଁ ସ୍ୱପ୍ନ ହୋଇପଡେ । ଗରିବ ହିତାଧିକାରୀଙ୍କ କିରୋସିନ ଖୋଲା ବଜାରରେ ବିକ୍ରି ହେବା ସହିତ ବିଭିନ୍ନ କ୍ରସର, ପିଚୁପ୍ଲାଣ୍ଟ, ଟାୟାର ଫ୍ୟାକ୍ଟ୍ରି ଓ ବିଭିନ୍ନ ଠିକା ସଂସ୍ଥାକୁ ହଜାର ହଜାର ଲିଟର କିରୋସିନ ଚାଲାଣ ହୋଇଥାଏ । ବର୍ତ୍ତମାନ ଲକଡାଉନ ସମୟରେ କିରୋସିନ ଲିଟର ପିଛା ମୂଲ୍ୟ ସରକାରୀ ଭାବେ ୧୫ ଟଙ୍କା ଥିବା ବେଳେ ଏହାକୁ ପଞ୍ଚାୟତ ମାନେ ଲିଟର ପିଛା ୪୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

Patrika

ବର୍ତ୍ତମାନ ଲକଡାଉନ ସମୟରେ ଲୋକଙ୍କୁ ଠିକ ଭାବରେ କିରୋସିନ ମିଳୁନଥିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ କିରୋସିନ ଲିକେଜ ଦେଖାଇ ଡିଲର ସାଙ୍ଗରେ ମିଶି ହଜାର ହଜାର ଲିଟର କିରୋସିନ ଖୋଲାବଜାରରେ ବିକ୍ରି କରି ହରିଲୁଟ ଚାଲିଛି । ଗତ ମାର୍ଚ୍ଚ ମାସରେ ଧର୍ମଗଡ଼ କଳାହାଣ୍ଡି କେରୋ ଏଜେନ୍ସି ପକ୍ଷରୁ ୩ ଲକ୍ଷ ୯୬ ହଜାର ଲିଟର କୋରିସିନ ଉଠାଣ କରାଯାଇଥିଲା । ଏଥି ମଧ୍ୟରୁ ଧର୍ମଗଡ଼ ବ୍ଲକକୁ ୩୩ ହଜାର ୪୦୩ ଲିଟର, ଗୋଳାମୁଣ୍ଡା ବ୍ଲକକୁ ୬୮ ହଜାର ୨୧୬ ଲିଟର, କଲମପୁର ବ୍ଳକକୁ ୧୮ ହଜାର ୫୦୫ ଲିଟର, କୋକସରା ବ୍ଲକକୁ ୫୮ ହଜାର ୯୨୮ ଲିଟର, ଜୁନାଗଡ଼ ବ୍ଳକକୁ ୪୯ ହଜାର ୩୮୮ ଲିଟର, ଭବାନୀପାଟଣା ସଦର ବ୍ଳକକୁ ୯୨ ହଜାର ୧୪ ଲିଟର, ଲାଞ୍ଜିଗଡ଼ ବ୍ଳକକୁ ୯ ହଜାର ୯୧୦ ଲିଟର, ଥୁଆମୂଳ ରାମପୁର ବ୍ଳକକୁ ୧୦ ହଜାର ୭୬ ଲିଟର ସମେତ ୩ ଲକ୍ଷ ୪୦ ହଜାର ୪୪୦ ଲିଟର କିରୋସିନ ଉଠାଣ ହୋଇଛି । କିନ୍ତୁ ୩ ହଜାର ୩୯୮ ଲିଟର କିରୋସିନ ଲିକେଜ ଦର୍ଶାଇଯାଇଛି । ଗତ ଏପ୍ରିଲ ମାସରେ ମାତ୍ର ୭୬ ଲିଟର ଲିକେଜ ଦର୍ଶାଯାଇଥିଲା । ଏପ୍ରିଲ ମାସରେ ୭୬ ଦର୍ଶାଯାଇଥିବା ବେଳେ ମାର୍ଚ୍ଚ ମାସରେ କିଭଳି ୩ ହଜାର ୩୯୮ ଲିଟର କିରୋସିନ ଲିକେଜ ଦର୍ଶାଆ ଯାଇଛି ଏହା ତଦନ୍ତ ସାପେକ୍ଷ ଅଟେ । ଏପ୍ରିଲ ମାସରେ କେବଳ ଗୋଳାମୁଣ୍ଡା ବ୍ଳକରେ ୩ ହଜାର ୬୮୦ଲିଟର, ଜୁନାଗଡ଼ ବ୍ଳକରେ ୪ ହଜାର ଲିଟର ସମେତ ୫ ହଜାର ୬୮୦ ଲିଟର ଉଠାଣ ହୋଇଛି। ଏପ୍ରିଲ ମାସରେ ଆଲର୍ଟମେଣ୍ଟକୁ କିରୋସିନ ଅଣାଯାଇନାହିଁ ।

ମାର୍ଚ୍ଚ ମାସର ଷ୍ଟକରୁ ଏପ୍ରିଲ ମାସରେ ପ୍ରଦାନ କରାଯାଇଛି । ଲକଡାଉନ ସମୟରେ କିରୋସିନ ପାଇଁ ଲୋକେ ଦହଗଞ୍ଜ ହେଉଥିବା ବେଳେ ଏପ୍ରିଲ ମାସରେ ଧର୍ମଗଡ଼ କଳାହାଣ୍ଡି କେରୋ ଏଜେନ୍ସି ପକ୍ଷରୁ କିରୋସିନ ଉଠାଣ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବର୍ଷ ତମାମ କିରୋସିନର ତଦନ୍ତ କରାଗଲେ ଯୋଗାଣ ବିଭାଗର ଅସଲ ମୁଖା ଖୋଲିବ ବୋଲି ସାଧାରଣରେ ଦାବୀ ହୋଇଛି । ଲିକେଜ କିରୋସିନ ଆଳ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି । ଅନ୍ୟ ପକ୍ଷରେ ଏହି କିରୋସିନକୁ ହରିଲୁଟ କରି ସରକାରୀ ବାବୁମାନେ ହାତ ଚିକଣ କରିବାରେ ଲାଗିଛନ୍ତି । ଲିକେଜ କିରୋସିନର ଏକ ଭିଜିଲାନ୍ସ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କୁ ପଚାରିବାରୁ କିରୋସିନ ପରିବହନ ବେଳେ ବିଭିନ୍ନ ସମୟରେ କିରୋସିନ ଲିକେଜ ହୋଇ ନଷ୍ଟ ହୋଇଥାଏ । ଏଥିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର