କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୁଲିସ ପୀଡିତାଙ୍କ ଜଣେ ସଂପର୍କୀୟଙ୍କୁ ଅଟକ ରଖିଛି। ପୂର୍ବରୁ ଏହି ମାମଲାରେ ଅଟକ ଥିବା ଅନ୍ୟ ୩ଜଣଙ୍କୁ ଏ ଭିତରେ ଛାଡ଼ି ଦିଆଯାଇଛି। ଅପରପକ୍ଷରେ ଦୋଷ ମାନି ଯିବାକୁ ପୁଲିସ ପକ୍ଷରୁ ଚାପ ପକାଯାଉଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କୁନ୍ଦୁଲି ଅଂଚଳ ମୂଷାଗୁଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ମଙ୍ଗଳବାର ପୂର୍ବାହ୍ନରେ ଫଟୋ ଉଠାଇ କୁନ୍ଦୁଲିରୁ ଫେରୁଥିବା ସମୟରେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଯାଇଥିଲା। ଏଥିନେଇ ପଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଏବେ ଏହି ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ପରିବାର ଅଭିଯୋଗ ଅନୁଯାୟୀ, ପପନ ଖରାଙ୍କୁ ପୁଲିସ ଦୁଇ ଦିନ ହେଲା ଅଟକ ରଖିଛି। ଏପରିକି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ଦୁଷ୍କର୍ମରେ ତାଙ୍କ ହାତ ଥିବା ସ୍ୱୀକାର କରିବାକୁ ଚାପ ମଧ୍ୟ ପକାଯାଉଛି। ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖା ଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ପୁଲିସ ପପନକୁ ନେଇ ପୀଡିତାଙ୍କ ସହ ମୁହାଁମୁହିଁ ଜେରା କରିଥିବା ଜଣାପଡିଛି। ରବିବାର ବିଳମ୍ବିତ ରାତିରେ ବରିଷ୍ଠ ପୁଲିସ ଅଧିକାରୀମାନେ ପପନଙ୍କୁ ଧରି ଡାକ୍ତରଖାନା ଯାଇଥିଲେ। ସେଠାରେ ପୀଡିତାଙ୍କ ସମ୍ମୁଖରେ ତାଙ୍କୁ ପଚରାଉଚୁରା କରାଯାଇଥିଲା। ଏଥିରୁ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଜଣାପଡିଛି। ତଦନ୍ତରେ ଏହା ବେଶ ସହାୟକ ହେବ ବୋଲି ପୁଲିସ ଅନୁମାନ କରୁଛି। କିନ୍ତୁ ଏଥିନେଇ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।
ଏପଟେ ପୁଲିସ ଆଜି ମଧ୍ୟ ବିଭିନ୍ନ ଦିଗକୁ ଦେଖି ତଦନ୍ତ ଜାରି ରଖିଛି। ହେଲେ ତଦନ୍ତ କେତେ ବାଟ ଆଗେଇଛି ତାହା ପ୍ରକାଶ କରାଯାଇନି। ପୁଲିସ ଗଠନ କରିଥିବା ଏକାଧିକ ଟିମ୍ ବିଭିନ୍ନ ପର୍ଯ୍ୟାୟରେ ମାମଲାର ତର୍ଜମା କରୁଛନ୍ତି। ଅପରପକ୍ଷରେ ପୁଲିସ ଅଟକ ରଖିଥିବା ପ୍ରତାପ ଛତି, ଅର୍ଜୁନ ପଡାଲ ଓ ସୋନୁ ଖେମୁଣ୍ଡୁଙ୍କୁ ଛାଡି ଦେଇଛି। ସେମାନେ ମୂଷାଗୁଡାରେ ପହଞ୍ଚିଥିଲା ବେଳେ ପୁଲିସ ସେମାନଙ୍କୁ ଘଟଣା ସଂପର୍କରେ ପଚାରିଥିବା କହିଛନ୍ତି। ତେବେ କୌଣସି ଶାରୀରିକ ନିର୍ଯାତନା ଦେଇ ନଥିବା କହିଛନ୍ତି। ଅପରପକ୍ଷରେ ତଦନ୍ତ ନେଇ ପୁଲିସ କୌଣସି ସୂଚନା ଦେଉ ନ ଥିବାରୁ ସନ୍ଦେହ ବଢି ଚାଲିଛି।
ଯନ୍ତ୍ରଣାରେ ପୀଡ଼ିତା
ଜୟପୁର : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୮ଦିନ ପୂରିଲାଣି। କିନ୍ତୁ ଏପର୍ଯ୍ୟନ୍ତ ଲିଭିନାହିଁ ପ୍ରତିବାଦର ନିଆଁ। ଗୋଟିଏ ପଟେ ଆନ୍ଦୋଳନ, ବନ୍ଦ ଚାଲିଥିବା ବେଳେ ଅନ୍ୟପଟେ ପୀଡିତା ୮ଦିନ ହେଲା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ହିଁ ରହିଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ନେଇ କୁହାଯାଉଥିଲେ ମଧ୍ୟ ପୀଡିତା ଏବେ ବି ଯନ୍ତ୍ରଣାରେ ରହିଥିବା ଜଣାପଡିଛି। ଠିକ୍ ରୂପେ ବସାଉଠା କରିପାରୁ ନଥିବା ନେଇ କହିଛନ୍ତି ପୀଡିତା। ତଳିପେଟରେ ଯନ୍ତ୍ରଣା ହେଉଛି। ପୀଡିତାଙ୍କ ଏଭଳି ବୟାନ ରହିଥିବା ଏକ ଅଡିଓ ଟେପ୍ ‘ସମ୍ବାଦ’ର ହସ୍ତଗତ ହୋଇଛି। ଏଥିରେ ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନଥିବା ପୀଡିତା ପୂରା ଘଟଣା ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଘଟଣା ଦିନ ସେ ଫଟୋ ଉଠାଇବା ସକାଳ ୯ଟାରେ ଘରୁ ବାହାରି କୁନ୍ଦୁଲି ଯାଇଥିଲେ। ଫଟୋ ଉଠାଇ ଫେରିବା ସମୟରେ ରାସ୍ତା ଉପରୁ ୪ଜଣ ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଯାଇଥିଲେ। ମୁହଁକୁ କପଡାରେ ବାନ୍ଧିଦେଇ ଦୁଷ୍କର୍ମ କରିଥିଲେ। ତେବେ କେତେ ଜଣ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି ସେ ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି। କିନ୍ତୁ ଦୁଷ୍କର୍ମ ହୋଇଥିଲା ଏବଂ କୁକର୍ମର ଫଟୋ ଦୁର୍ବୃତ୍ତ ମୋବାଇଲ ଫୋନରେ ଉଠାଇ ନେଇଥିଲେ। ଦୁଷ୍କର୍ମ ପରେ ପୀଡିତାଙ୍କୁ ଜଙ୍ଗଲ ମଧ୍ୟରୁ ଆଣି ପୁଣି ରାସ୍ତା କଡରେ ପକାଇ ଚାଲି ଯାଇଥିଲେ। ଅଭିଯୁକ୍ତଙ୍କ ସଂପର୍କରେ ପୀଡିତା କହିଛନ୍ତି ଯେ ସେମାନେ ୪ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଆଖିରେ କଳା ଜାଇ ରହିଥିଲା। ଯଦି ଅଭିଯୁକ୍ତଙ୍କୁ ତାଙ୍କ ସାମ୍ନାକୁ ଅଣାଯିବ ସେ ଚିହ୍ନି ପାରିବେ। ପୀଡିତା ଦୋଷୀଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଆଉ ଏକ ଜନସ୍ୱାର୍ଥ ମାମଲା
କଟକ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଉପଯୁକ୍ତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ହାଇକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦର ଯୁଗ୍ମ ସଂପାଦକ ସୂର୍ଯ୍ୟ ନାରାୟଣ ବେହେରାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ସମଗ୍ର ଘଟଣାର ତଦନ୍ତ ପୁଲିସ ଡିଜିଙ୍କ ତତ୍ତ୍ୱାବଧାନରେ ହେଉ ବୋଲି ଦର୍ଶାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଡିଜିପି, ଗୃହ ସଚିବ, କୋରାପୁଟ ଏସପି, ଡିଆଇଜି କୋରାପୁଟ, କ୍ରାଇମବ୍ରାଞ୍ଚ ଏସପି, କୋରାପୁଟ ମୁଖ୍ୟ ଚିକିତ୍ସା ଅଧିକାରୀ, ବିଏସଏଫ୍ ଡିଆଇଜି, ବିଏସଏଫ୍ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।