୭ରୁ କୃଷକ ସାଥୀ ସଂଘର ବିଧାନସଭା ସମ୍ମୁଖରେ ଧାରଣା

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ କୃଷକସାଥୀମାନେ ଆସନ୍ତା ୭ ତାରିଖଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ସହ ଆତ୍ମହୁତି ଦେବାକୁ ଧମକ ଦେଇଛନ୍ତି। ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଇବାକୁ ସରକାର ୨୦୦୬ ମସିହାରେ ପ୍ରତ୍ୟେକ ପଞ୍ଚାୟତରେ ୨ ଜଣ କୃଷକ ସାଥୀ ଚୟନ କରିଥିଲେ। ଗ୍ରାମ୍ୟସ୍ତରରେ କୃଷକମାନଙ୍କର କୃଷି ଜ୍ଞାନ କୌଶଳର ଆଧୁନିକୀକରଣ କରିବା ସହିତ ନୂତନ ବୈଜ୍ଞାନିକ କୌଶଳକୁ କୃଷି କ୍ଷେତ୍ରରେ ପ୍ରୟୋଗ କରିବା, ବିହନ ବିଶୋଧନ, ରୋଗ, ପୋକ ସର୍ବେକ୍ଷଣ ସୂଚନା, ପୂର୍ବ ଭାରତରେ ସବୁ ବିପ୍ଲବ, ଡାଲି, ତୈଳବୀଜ ଜାତୀୟ ଫସଲର ବିକାଶ ସହ ବିଜୁ କୃଷକ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କୃଷକ ସାଥୀମାନଙ୍କ ଦ୍ୱାରା ସଂପାଦନ କରାଇ ଆସିଛନ୍ତି। ସରକାର ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇଥିଲେ ମଧ୍ୟ କୃଷକସାଥୀମାନଙ୍କ ପ୍ରତି ଅବହେଳା କରି ଆସୁଛନ୍ତି। କୃଷକ ସାଥୀଙ୍କ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମାସିକ ମଜୁରି ୧୮ ହଜାର ଟଙ୍କା କରିବା, ପିଏଫ ଓ ଏଏସ୍‌ଆଇ ଅନ୍ତର୍ଭୁକ୍ତ କରାଇବା ଆଦି ଦାବିଗୁଡ଼ିକ ବାରମ୍ବାର ସରକାରଙ୍କ ନିକଟରେ ଉପସ୍ଥାପନ କରାଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ତୁରନ୍ତ ଦାବିଗୁଡ଼ିକ ପ୍ରତି ସରକାର ପଦକ୍ଷେପ ଗ୍ରହଣ ନ ଗଲେ ଆସନ୍ତା ୭ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ସହ ଆତ୍ମହୁତି ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେବ ଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର