Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

କୁନ୍ଦୁଲି ଗଣଦୁଷ୍କର୍ମ : ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ!

0 1,059

କୋରାପୁଟ/ଜୟପୁର : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ପୀଡ଼ିିତା ସୁସ୍ଥ ହେବା ପରେ ଆଜି ଜୟପୁର ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିଷ୍ପତ୍ତି ଅନୁଯାୟୀ, କୋରାପୁଟର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ତାଙ୍କୁ ରଖାଯାଇଛି। ଅପରପକ୍ଷରେ ଗତକାଲି ରାତିରେ ପୀଡ଼ିତା ଡାକ୍ତରଖାନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏହାକୁ ଖଣ୍ଡନ କରିଛନ୍ତି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃର୍ତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗତ ୧୦ତାରିଖ ପୂର୍ବାହ୍ନରେ ଏହି ଅଘଟଣ ପରେ ପୀଡିତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ୨୭ତାରିଖରେ ଡାକ୍ତରଖାନାରୁ ବାହାରିଥିଲେ। ଶିଶୁ ମଙ୍ଗଳ କମିଟିର ସୁପାରିଶ ଅନୁସାରେ ଜୟପୁରର ସୌରାଗୁଡାରେ ଥିବା ଲାଇଫ ଫାଉଣ୍ଡେସନକୁ ନେଇ ସେଠାରେ ରଖାଯାଇଥିଲା। ସେଠାରେ ସେ ଅସୁସ୍ଥ ହୋଇ ପଡିବାରୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ରାତିରେ ସେ ମେଡିକାଲ ଉପର ମହଲାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପ୍ରଚାର ହୋଇଥିଲା। ପୀଡ଼ିତାଙ୍କ ପରିବାର ମଧ୍ୟ ଏଭଳି ଅଭିଯୋଗ ଆଣିଥିଲେ। ଫଳରେ ଆଜି ଜୟପୁର ମେଡିକାଲ ପରିସରରେ ପହଞ୍ଚିଥିଲେ ବୈପାରିପୁଡ଼ା ଥାନା, ଜୟପୁର ଟାଉନ୍‌ ଏବଂ ସଦର ଥାନା, କୋରାପୁଟ ଟାଉନ୍‌ ଥାନା, କୋଟପାଡ଼ ଥାନାର ଅଧିକାରୀମାନେ। ଏଥିସହ ଏସ୍‌ଡିପିଓ ଏବଂ ଏଏସ୍‌ପି ମଧ୍ୟ ପହଞ୍ଚି ସ୍ଥିତି ପରଖିଥିଲେ।

ଅନ୍ୟପକ୍ଷରେ ପୀଡ଼ିତା ସୁସ୍ଥ ହୋଇଥିବାରୁ ତାଙ୍କୁ କେଉଁଠିକି ନିଆଯିବ ଆଜି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଥିଲା। ପୀଡ଼ିତା ନିଜେ ଘରକୁ ଯିବା ପାଇଁ ଜିଦ୍‌ କରିଥିଲା ବେଳେ ତାଙ୍କ ପରିବାର ଘରକୁ ନେବା ପାଇଁ ମନା କରି ଦେଇଥିଲେ। ଘରକୁ ଗଲେ ତାଙ୍କୁ ନାନା ଆକ୍ଷେପ ଶୁଣିବାର ଆଶଙ୍କା ରହିଥିବା ପ୍ରକାଶ କରିଥିଲେ। ପରିବାର ବାସନ୍ଦ ହେବା ଆଶଙ୍କା ମଧ୍ୟ କରିଥିଲେ। ଏହାକୁ ନେଇ ଜୟପୁର ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ପରେ ଶିଶୁ ମଙ୍ଗଳ କମିଟିର ଉମାରଚରଣ ଚୌଧୁରୀ, ନୀଳମାଧବ ଦଳେଇ,ଜୟଦେବ ପ୍ରଧାନ, ଜଗୁ ନାୟକ ଓ ପ୍ରତିମା ରଥଙ୍କ ନିଷ୍ପତ୍ତି ଅନୁଯାୟୀ, କୋରାପୁଟ ଉପକଣ୍ଠ ଡୁମୁରୀପୁଟ ଅଂଚଳରେ ଥିବା ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ତାଙ୍କୁ ରଖାଯାଇଛି। ପୀଡିତାଙ୍କ ପାଇଁ ଏହି କେନ୍ଦ୍ର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

4 − one =