ସୈନିକଙ୍କୁ ଜମି ଯୋଗାଇବା ନାଁରେ ଠକେଇ : ଜୁଲାଇ ୨୫ରେ ଆତ୍ମସମର୍ପଣ ପାଇଁ କର୍ଣ୍ଣେଲ ରାଣାଙ୍କୁ ନିର୍ଦ୍ଦେଶ

କଟକ : ସୈନିକଙ୍କୁ ଭୁବନେଶ୍ୱରରେ ଜମି ଯୋଗାଇଦେବା ନାଁରେ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣେଲ ରାକେଶ ରାଣାଙ୍କ ଅନ୍ତରୀଣ ଜାମିନ ମିଆଦ ଜୁଲାଇ ହାଇକୋର୍ଟ ବୃଦ୍ଧି କରିଛନ୍ତି। ଅନ୍ତରୀଣ ଜାମିନ ମିଆଦ ଶେଷ ହେବା ପରେ ଜୁଲାଇ ୨୫ରେ ସେ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବେ। ଏହା ପରେ ଜୁଲାଇ ୩୦ରେ କର୍ଣ୍ଣେଲ ରାଣାଙ୍କ ନିୟମିତ ଜାମିନର ହାଇକୋର୍ଟରେ ଶୁଣାଣି ହେବ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ କର୍ଣ୍ଣେଲ ରାଣାଙ୍କ ଜାମିନ ଆବେଦନକର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ୱାସ୍ଥ୍ୟଗତ କାରଣରୁ କର୍ଣ୍ଣେଲ ରାଣାଙ୍କୁ ମେ’ ୨୧ରୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୯ରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଥିବା କର୍ଣ୍ଣେଲ ରାଣା ନିର୍ଦ୍ଧାରିତ ତାରିଖରେ ଆତ୍ମ ସମର୍ପଣ କରି ନଥିଲେ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପାଇଁ ତାଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅରୁପାନନ୍ଦ ଦାସ ମାମଲା ପରିଚାଳନା କରୁଛନ୍ତି।

କର୍ଣ୍ଣେଲ ରାଣା ସୈନିକ ୱେଲଫେୟାର ଅର୍ଗାନାଇଜେସନ୍‌ ନାମରେ ସଂସ୍ଥା ଗଢି ଭୁବନେଶ୍ୱର ଗିରିଙ୍ଗପୁଟ ମୌଜାରେ ଜମି ଯୋଗାଇ ଦେବାକୁ କହି ୫୪୨ ଲୋକଙ୍କ ନିକଟରୁ ପ୍ରାୟ ୩୦ କୋଟି ଟଙ୍କା ସଂଗ୍ରହ କରିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ଜମି ଯୋଗଇ ଦିଆଯାଇ ନଥିଲା କି ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇ ନଥିଲା। ଏହି ମାମଲାରେ କର୍ଣ୍ଣେଲ ରାଣାଙ୍କ ସହିତ ବ୍ରକସନ୍‌ ଏମଡି ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ପ୍ରଦୀପ ବାରିକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର