ଧର୍ମଶାଳାରେ ଜମି ଜାଲିଆତି : ରାଜପରିବାରର ସମାଧିସ୍ଥଳକୁ ବି ଛାଡ଼ିଲେନି

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଜମି ହଡ଼ପ ଚରମ ସୀମାରେ ପହଞ୍ଚିଛି। ରାଜସ୍ୱ, ଦେବୋତ୍ତର, ଗୋଚର ଜମିକୁୁ ବି ଛାଡ଼ୁ ନାହାନ୍ତି ଜମିମାଫିଆ। ଐତିହାସିକ ସ୍ଥଳର ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମଧୁପୁରଗଡ଼ ରାଜବଂଶଧରଙ୍କ ସମାଧିସ୍ଥଳକୁ ଜଣେ ବ୍ୟକ୍ତି ନିଜ ନାମରେ କରି ନେଇଛନ୍ତି। ବେଆଇନ ଦଖଲରୁ ଏହାକୁ ମୁକ୍ତ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଏହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଧର୍ମଶାଳା ତହସିଲ ମଧୁପୁରଗଡ଼ ମୌଜାରେ ରହିଛି ଏଠାରେ ଶାସନ କରୁଥିବା ରାଜବଂଶର ସମାଧି ପୀଠ। ପୀଠରେ ରହିଛି ୫ ଜଣ ରାଜା ଓ ଜଣେ ରାଣୀଙ୍କ ସମାଧି। ଏବେ ମଧ୍ୟ ଏଠାରେ ରାଜାଙ୍କ ବଂଶଧର ପୂର୍ବପୁରୁଷଙ୍କ ଶ୍ରାଦ୍ଧତର୍ପଣ କରୁଛନ୍ତି। ରାଜା ରାମଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସହ ତାଙ୍କ ପୁଅ କୃଷ୍ଣଚନ୍ଦ୍ର, ନାତି ନାରାୟଣଚନ୍ଦ୍ର ଓ ଅଣନାତି ବୃନ୍ଦାବନଚନ୍ଦ୍ରଙ୍କ ସହ ରାଣୀ ହୈମବତୀ ପାଟ୍ଟମହାଦେଈଙ୍କ ସମାଧି ଏଠାରେ ରହିଛି। ଦୁଇଟି ପ୍ଲଟ୍‌ରେ ଥିବା ଏହି ସମାଧିସ୍ଥଳକୁ ମଧୁପୁରଗଡ଼ର ରଘୁ ବାରିକ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ନିଜ ନାମରେ ପଟ୍ଟା କରିନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧୁପୁରଗଡ଼ ମୌଜା ଦର୍ପଣ ତହସିଲ ଅଧୀନରେ ଥିବା ବେଳେ ଏବେ ଧର୍ମଶାଳା ତହସିଲ ଅଧୀନକୁ ଆସିଛି। ରଘୁ ବାରିକ ଦର୍ପଣ ତହସିଲ୍‌ରେ ମାଳି ଚାକିରି କରୁଥିବା ବେଳେ ମଧୁପୁରଗଡ଼ ରାଜବାଟୀର କେତେକ କର୍ମଚାରୀ ଓ ତହସିଲ କର୍ମଚାରୀଙ୍କୁ ହାତ କରି ସମାଧିସ୍ଥଳ ଓ ତତ୍‌ସଂଲଗ୍ନ ବଗାୟତ ଜମି ମଧ୍ୟରୁ ୮୦ ଡିସିମିଲ୍‌ ଭାଗଚାଷ ନିୟମ ଅନୁସାରେ ନିଜ ନାମରେ କରାଇ ନେଇଥିଲେ। ପରେ ଏହାର ପଟ୍ଟା ମଧ୍ୟ ହାତେଇଥିଲେ। ତେବେ ଏହି ସବୁ ଘଟଣା ରାଜପରିବାରର ଅଜ୍ଞାତସାରରେ ହୋଇଥିଲା।

୧୯୭୬ ମସିହାରେ ରଘୁ ସମାଧି ଜମିର ନୂତନ ଲିଜ୍‌ ପାଇଁ ଆବେଦନ କରିଥିଲେ। ତତ୍କାଳୀନ ଦର୍ପଣ ତହସିଲଦାର ୧୯୭୮ ମସିହା ଜୁନ୍‌ ୧୭ରେ କୌଣସି ସଠିକ୍‌ ଦଲିଲ୍‌ ରଘୁଙ୍କ ପାଖରେ ନଥିବା ଅନୁଧ୍ୟାନ କଲା ପରେ ୭ ଦିନ ମଧ୍ୟରେ ଜମି ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ତହସିଲଦାରଙ୍କ ନିର୍ଦ୍ଦେଶକୁ ନମାନି ଆର୍‌ଆଇଙ୍କୁ ଧରି ପାଉତି କାଟିବାରେ ସଫଳ ହୋଇଥିଲେ। ୧୯୮୦ ପରବର୍ତ୍ତୀ ଚକବନ୍ଦୀ ବେଳେ ସମାଧିସ୍ଥଳ, ଜଙ୍ଗଲ କିସମ ଓ ଅନ୍ୟାନ୍ୟ ଜମିକୁ ମିଶାଇ ୩ ଏକର ୨୭ ଡିସିମିଲ୍‌ ଜମି ନିଜ ନାମରେ କରିନେଇଥିଲେ। ଏହି ସମସ୍ତ ଜମି ମଧୁପୁରଗଡ଼ ରାଜ ପରିବାରର ସମ୍ପତ୍ତି ବୋଲି ଜଣାପଡ଼ିଛି। ରଘୁ ଯେହେତୁ ତହସିଲ୍‌ରେ ଚାକିରି କରୁଥିଲେ, ରାଜସ୍ୱ ଆଇନର ଜଟିଳତା ଓ ଫାଙ୍କ ମଧ୍ୟରେ କର୍ମଚାରୀଙ୍କୁ ହାତ କରି ମଧୁପୁରଗଡ଼ ନିକଟସ୍ଥ ବରଡ଼ା ମୌଜାର ୫ ଏକରରୁ ଅଧିକ ଗୋଚର, ଅନାବାଦୀ ଓ ଜଙ୍ଗଲ କିସମ ଜମିକୁ ନିଜ ନାମରେ ମଧ୍ୟ କରାଇ ନେଇଥିଲେ। ଏହି ସବୁ ଜମିର ବେଆଇନ ଦଖଲକୁ ନେଇ କେତେକ ମାମଲାରେ ମଧ୍ୟ ସେ ଅଦାଲତରେ ହାରିଛନ୍ତି। ରାଜପରିବାରର ସମାଧିସ୍ଥଳ ସ୍ଥାନୀୟ ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ଏହାକୁ ରାଜପରିବାରକୁ ଫେରାଇ ଦେବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିବା ସହ ଏଠାରେ ହୋଇଥିବା ବ୍ୟାପକ ଜମି ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଏସଂପର୍କରେ ଧର୍ମଶାଳା ତହସିଲଦାର ପ୍ରଭାସ ବେଉରାଙ୍କୁ ଯୋଗାଯୋଗ କରାଯିବାରୁ ଏଭଳି କୌଣସି ଅଭିଯୋଗ ମିଳିନି। ଯଦି ଅଭିଯୋଗ ମିଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର